ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ତାପଙ୍ଗ ଇଲାକାରେ ଚାଲୁଥିବା ବେଆଇନ ଖଣି ବିରୋଧରେ ଏସ୍ଟିଏଫ୍ର ଚଢ଼ଉ ପରେ ଏବେ ଖଣି ମାଫିଆ ତାପଙ୍ଗ ନିକଟସ୍ଥ ନରସିଂହପ୍ରସାଦକୁ ନିଜ କବ୍ଜା କରିଛନ୍ତି। ବେଆଇନ ଭାବେ ଶ୍ରୀଜଗନ୍ନାଥଙ୍କ ଶତାଧିକ ଏକର ଜମିରୁ ମାଙ୍କଡ଼ା ପଥର ଉତ୍ତୋଳନ ଓ ଚାଲାଣ କରୁଛନ୍ତି। ଧର୍ମକୁ ଆଖି ଠାର ଭଳି ପୁଲିସ୍ ଗୋଟିଏ ଦୁଇଟି ଟ୍ରକ୍ ଜବତ କରୁଥିଲେ ମଧ୍ୟ ବେଆଇନ କାରବାରର ମୁଖ୍ୟ ଅଭିଯୁକ୍ତ ଏ ପର୍ଯ୍ୟନ୍ତ ପୁଲିସ୍ ହାତକୁ ଆସିପାରିନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ତିନିଦିନ ପୂର୍ବେ ନରସିଂହପ୍ରସାଦରେ ବେଆଇନ ମାଙ୍କଡ଼ାପଥର ଖଣି ନେଇ ସଦର ଥାନାରେ ଏତଲା ଦେଇଥିବାରୁ ଗ୍ରାମବାସୀଙ୍କୁ ଖଣିମାଫିଆ ଧମକଚମକ ଦେବା ଆରମ୍ଭ କରିଛନ୍ତି। ସୂଚନାନୁସାରେ, ଗତ ବୁଧବାର ନରସିଂହପ୍ରସାଦରେ ଶ୍ରୀଜଗନ୍ନାଥଙ୍କ ଜମିରେ ବେଆଇନ ଭାବେ ମାଙ୍କଡ଼ା ପଥର ଖନନ ଓ ଚାଲାଣ କରାଯାଉଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ସଦରଥାନାରେ ଏତଲା ଦିଆଯାଇଥିଲା। ଗ୍ରାମବାସୀଙ୍କ ଅଭିଯୋଗ ଥିଲା ଯେ ଏନେଇ ସେମାନେ ଅଗଷ୍ଟ ୨୯ ତାରିଖରେ ଜିଲ୍ଲା ପ୍ରଶାସନ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ। କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ତେବେ ସଦରଥାନା ପୁଲିସ୍ ପକ୍ଷରୁ ଏହି ଅଭିଯୋଗ ଉପରେ ଏକ ମାମଲା ରୁଜୁ କରାଯାଇଥିଲେ ମଧ୍ୟ ଏଯାଏଁ କୌଣସି ବିଧବଦ୍ଧ ପଦକ୍ଷେପ ନେଇନାହିଁ। ତେବେ ଅଭିଯୋଗକାରୀ ଗ୍ରାମବାସୀଙ୍କ ଉପରେ ଉକ୍ତ ଅଞ୍ଚଳରେ ସକ୍ରିୟ ଥିବା ଖଣିମାଫିଆ ଧମକଚମକ ଦେବା ଆରମ୍ଭ କରିଛନ୍ତି। ଗାଁକୁ ଯୋଗାଯୋଗ କରୁଥିବା ରାସ୍ତାରେ ଜାଣିଶୁଣି ସମସ୍ୟା ସୃଷ୍ଟି କରୁଛନ୍ତି। ଏହାକୁ ନେଇ ନରସିଂହପ୍ରସାଦ ଗ୍ରାମରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ପୁଲିସ୍ ପ୍ରଶାସନ ଏନେଇ ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ବେଆଇନ ଖଣି ବିରୋଧରେ ଏତଲା ଦେବାରୁ ଖଣିମାଫିଆଙ୍କ ଧମକ
/sambad/media/post_attachments/wp-content/uploads/2019/10/mines-ff.jpg)