ବନ୍ଧମୁଣ୍ଡାରେ ବେଆଇନ ମଦ କାରବାର ବୃଦ୍ଧି

ରାଉରକେଲା: ରେଳନଗରୀ ବନ୍ଧମୁଣ୍ଡା ଓ ଏହାର ଆଖପାଖରେ ବେଆଇନ ମଦ କାରବାର ଖେଲାଖୋଲି ଭାବେ ଚାଲିଛି। ନିୟମିତ ଭାବେ ଏଭଳି ବେଆଇନ କାରବାର ଚାଲୁଛି ଓ ସ୍ଥାନୀୟ ଛୋଟପିଲାମାନେ ମଧ୍ୟ ଏ ସଂପର୍କରେ ଅବଗତ ଥିବାବେଳେ ସ୍ଥାନୀୟ ପୁଲିସ ଓ ଅବକାରୀ କିଛି ନଜାଣିବା ଭଳି ଚୁପ୍‌ ରହିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ବେଆଇନ ମଦ ବେପାରୀମାନେ ସରକାରୀ ବାବୁମାନଙ୍କ ପକେଟ ଗରମ କରି ନିର୍ଭୟରେ ନିଜ ଧନ୍ଦା ଚଳାଇଥିବା ଅଭିଯୋଗ ହେଉଛି।

ବନ୍ଧମୁଣ୍ଡା ବି ସେକ୍ଟରସ୍ଥ ଏକ ହୋଟେଲରେ ବେଆଇନ ମଦ ବାର୍‌ ଚାଲୁଛି। ସଞ୍ଜ ନଇଁଲେ ସେଠାରେ ସ୍ଥାନୀୟ ଓ ଆଖପାଖ ଲୋକଙ୍କ ଭିଡ ଜମୁଛି। ବନ୍ଧମୁଣ୍ଡା ‘ଡି’ କ୍ୟାବିନ୍‌ରୁ ବିଶ୍ରା ଯିବା ରାସ୍ତାର ଶ୍ମଶାନଘାଟ ନିକଟ ଏକ ଢ଼ାବା ରହିଛି, ଯେଉଁଠି ସକାଳୁ ଆରମ୍ଭ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ବେଆଇନ ଭାବେ ମଦ ବିକ୍ରି ହେଉଛି। ବନ୍ଧମୁଣ୍ଡା ମୁଖ୍ୟ ମାର୍ଗରେ ଏହି ଢ଼ାବା ଥିବାରୁ  ରାସ୍ତାରେ ଯାତାୟାତ କରୁଥିବା ଗାଡି ଚାଳକଙ୍କ ମଧ୍ୟ ଏଠା‌ରେ ଭିଡ଼ ଜମୁଛି। ବାରମ୍ବାର  ଅଭିଯୋଗ ସତ୍ତ୍ବେ ସ୍ଥାନୀୟ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ହେଉ ନଥିବାରୁ ଢ଼ାବା ମାଲିକ ବିନା ଭୟରେ ମଦ ବିକୁଛନ୍ତି। ପ୍ରତ୍ୟେକ ମଦ ବୋତଲ ଉପରେ ସେ ୧୦୦ରୁ ୧୫୦ ଟଙ୍କା ଅଧିକ ନେଉଛନ୍ତି। ଏହାକୁ କେନ୍ଦ୍ରକରି ଢ଼ାବା ସାମ୍ନାରେ ଏକାଧିକବାର ଗଣ୍ଡଗୋଳ ହୋଇଛି। ମାଡପିଟ୍‌ ମଧ୍ୟ ହୋଇଛି।

କଥା ଥାନା ପର୍ଯ୍ୟନ୍ତ ହୋଇଛି। କିନ୍ତୁ ପୁଲିସ ସେଠାରେ ମଦ ବିକ୍ରି ହେଉଥିବା କଥା ଜାଣି ପାରୁନି! ତେଣୁ ଢ଼ାବା ଓ ହୋଟେଲର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ। କାରଣ ଉଭୟ ଢ଼ାବା ଓ ହୋଟେଲ ମାଲିକଙ୍କ ସହ ଅବକାରୀ ବିଭାଗ ଓ ପୁଲିସର ଭିତିରି ସଲାସୁତୁରାରେ ଏସବୁ ବେଆଇନ କାମ ଚାଲିଛି। ପ୍ରତି ମାସ ଏହି ହୋଟେଲ ଓ ଢ଼ାବାରୁ ସିଧାସଳଖ ବଟି ଥାନା ଓ ଅବକାରୀ ବିଭାଗ ପାଖରେ ପହଞ୍ଚିଯାଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ସେମିତି ରାତି ତମାମ ବନ୍ଧମୁଣ୍ଡାରେ ଆହୁରି କିଛି କିଛି ଢ଼ାବାରେ ମଦ ମିଳୁଛି। ମୁଖ୍ୟତଃ ଗାଡ଼ି ଚାଳକମାନେ ସେଠାରୁ ସହଜରେ ମଦ ପାଇଯାଉଛନ୍ତି। ମଦ ପିଇ ସେମାନେ ନିଶାଗ୍ରସ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବାରୁ ଅନେକ ସମୟରେ ବନ୍ଧମୁଣ୍ଡା ରୋଡରେ ଛୋଟବଡ ଦୁର୍ଘଟଣାମାନ ଘଟୁଛି। ଏପରିକି ସେଠାରେ ଅଧିକ ରାତି ଯାଏ ମଦ ମିଳୁଥିବାର ଖବର ସମସ୍ତେ ଜାଣି ଥିବାରୁ ଆଖପାଖର ମଦୁଆ ମଧ୍ୟ ରାତିଅଧରେ ସେଠାକୁ ଯାଉଥିବାର ଦେଖା ଯାଉଛି। ବର୍ଷ ବର୍ଷ ଧରି ଚାଲିଥିବା ଏହି ବେଆଇନ ମଦ କାରବାରକୁ ବନ୍ଦ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର