ଗାନ୍ଧୀଜୀଙ୍କୁ ଭଲପାଇବା ଆଗରେ ଅସୁସ୍ଥତା ହାର୍‌ ମାନିଲା

ଭୁବନେଶ୍ବର : ବାର୍ଦ୍ଧକ୍ୟଜନିତ ରୋଗ ଯୋଗୁଁ ଚାଲି ପାରୁନାହାନ୍ତି। ଖାଦ୍ୟନଳୀ ସହାୟତାରେ ତରଳ ଖାଦ୍ୟ ଖାଉଛନ୍ତି। କିନ୍ତୁ ଗାନ୍ଧୀଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବା ଆଗରେ ଶରୀରର ଅସୁସ୍ଥତା ବାଧକ ସାଜିପାରିଲାନି। ଗାନ୍ଧୀ ଜୟନ୍ତୀରେ ଯେଉଁ ଗାନ୍ଧୀମୂର୍ତ୍ତିରେ ସେ ଦୀର୍ଘ ବର୍ଷ ହେଲା ଶ୍ରଦ୍ଧା ସୁମନ ଅର୍ପଣ କରି ଆସୁଥିଲେ ସେଠାକୁ ଆସିବା ପାଇଁ ତାଙ୍କର ପ୍ରବଳ ଇଚ୍ଛା ଶକ୍ତି ଆଗରେ ଆଜି ତାଙ୍କ ଅସୁସ୍ଥତା ବାଧକ ସାଜିପାରିଲାନି।

ନାକରେ ଖାଦ୍ୟ ନଳୀ, ପରିସ୍ରା ନଳୀ ଲଗାଇ ହୁଇଲ୍‌ ଚେୟାରରେ ବସି ଆଜି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ପହଞ୍ଚି ଯାଇଥିଲେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାୟକ। ଅନ୍ୟ ଜଣେ ଧରିଲେ ବି ସିଧା ଛିଡ଼ା ହୋଇ ପାରୁନଥିବା ଏହି ୮୫ବର୍ଷ ବୟସ୍କ ବୃଦ୍ଧ ରାଜନେତା ଜଣେ ସଚ୍ଚା ଗାନ୍ଧୀପ୍ରେମୀ ବୋଲି ଆଜି ପ୍ରମାଣିତ କରି ଦେଖାଇ ଦେଇଛନ୍ତି। ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶ୍ରୀ ନାୟକ କିଛି ଦିନ ତଳେ ଘରକୁ ଫେରିଥିଲେ। ଏବେବି ସଂପୂର୍ଣ୍ଣ ସୁସ୍ଥ ହୋଇନଥିବା ସୁର କିନ୍ତୁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଛିଡ଼ା ହେବାବେଳେ ଭାବବିହ୍ବଳ ହୋଇଯାଇଥିଲେ। ଯେଉଁ ହାତ ସେ ଉଠାଇ ପାରୁନଥିଲେ ସେ ହାତରେ ସେ ଗାନ୍ଧୀଜୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଗାନ୍ଧୀଜୀଙ୍କ ନୀତି, ଆଦର୍ଶ‌ରେ ଆଜି ପର୍ଯ୍ୟନ୍ତ ବଞ୍ଚି ଆସିଥିବା ସୁରେନ୍ଦ୍ର ନାୟକଙ୍କ ଅଧା ଶରୀର ଅଚଳ ହୋଇଯାଇିଲେ ବି ତାଙ୍କ ମନରେ ଗାନ୍ଧୀଜୀ ଅଛନ୍ତି ତାହା ସେ ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରମାଣିତ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର