କୋଲାବିରା : ଝାରସୁଗୁଡା ବନଖଣ୍ଡର ଅବହେଳା ଏବଂ ଉଦସୀନତା ମଧ୍ୟରେ ଚିକିତ୍ସାରୁ ବଂଚିତ ‘ମଖନା ହାତୀ’ ଏବେ ଆସନ୍ନ ମୃତ୍ୟୁ ଅପେକ୍ଷାରେ ରହିଛି।
ଦାନ୍ତ ନଥିବା ଏହି ହାତୀଟି ଦୁଇ ମାସ ହେଲା ଛୋଟେଇ ଛୋଟେଇ କୋଲାବିରା ରେଞ୍ଜର ବିଭିନ୍ନ ଗ୍ରାମ୍ୟ ଜଙ୍ଗଲରେ ଘୂରି ବୁଲୁଥିଲା। ଏହାର ପଛ ଦୁଇଗୋଡ଼ କ୍ରମଶଃ ଅଚଳ ହୋଇ ଯାଉଥିବା ଲକ୍ଷ୍ୟ କରାଯାଉଥିଲା। ଏବେ ଗୋଡ଼ ଦୁଇଟି ସଂପୂର୍ଣ୍ଣ ଅଚଳ ହେବା ଫଳରେ କୋଲାବିରା ଫରେଷ୍ଟ ରେଞ୍ଜ ଚନ୍ଦନିମାଲ ଗ୍ରାମ୍ୟ ଜଂଗଲ ତେଲେନ ନଦୀ କୂଳରେ ଥିବା ଏକ ଚାଷ ଜମିରେ ହାତୀଟି ପଡ଼ି ରହିଛି। ହାତୀର ଦୟନୀୟ ଅବସ୍ଥା ଦେଖି ଚନ୍ଦନିମାଲ ଗ୍ରାମବାସୀ ଧାନ, ଚାଉଳ ଆଦି ଖାଇବାକୁ ଦେଉଛନ୍ତି। ଖବର ପାଇ ବନ ବିଭାଗ କର୍ମଚାରୀ ଶନିବାର ଅପରାହ୍ନରେ ଜେସିବି ମେସିନ୍ ସାହାଯ୍ୟରେ ହାତୀକୁ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ଭୁବନେଶ୍ୱର ନନ୍ଦନକାନନର ଜଣେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶକ୍ରମେ ରବିବାର କୋଲାବିରା ପ୍ରାଣୀ ବିଭାଗର ଭାରପ୍ରାପ୍ତ ଚିକିତ୍ସକ ଶାଲିନୀ ସେଠୀ ହାତୀକୁ ବିଭିନ୍ନ ପ୍ରକାର ଔଷଧ ଓ ଇଂଜେକସନ ଦେଇଥିଲେ। ହାତୀର ପଛ ଗୋଡ଼ର ପରୀକ୍ଷା ନିରୀକ୍ଷା ପରେ ତାହା ପକ୍ଷାଘାତଗ୍ରସ୍ତ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ୧୦ରୁ ଅଧିକ ବନ କର୍ମଚାରୀ ଜଗି ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/SBPHO16-Kolabira.jpg)