ପୁରୀ: ଶ୍ରୀମନ୍ଦିର ଅଲୋକୀକରଣ ଓ ଜଗନ୍ନାଥବଲ୍ଲଭ ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ବେଶ ଆଦି ପ୍ରଦର୍ଶନୀକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ଆଉ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ଏହି ଅଲୋକୀକରଣ, ପ୍ରଦର୍ଶନୀ କିଏ କରୁଥିଲା, କିଏ ଓ କେଉଁଠୁ ଟଙ୍କା ଦେଉଥିଲା, ତାହା ନା ଜିଲ୍ଲା ପ୍ରଶାସନ ଜାଣିଛି ନା ଶ୍ରୀମନ୍ଦିର ପ୍ରଶାସନ ପାଖରେ ଖବର ଅଛି। ଏପରିକି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଠାରୁ ଆରମ୍ଭ କରି ଶ୍ରୀକ୍ଷେତ୍ରର ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟର ଟେଣ୍ଡର୍‌ ନେଇଥିବା ଓବିସିସି କର୍ତ୍ତୃପକ୍ଷ ବି ଏ ସମ୍ପର୍କରେ ଅଜ୍ଞ ବୋଲି କହିଛନ୍ତି। ୫ ମାସ ଧରି ଚାଲିଥିବା ଏହି ଅଲୋକୀକରଣ, ପ୍ରଦର୍ଶନୀ କାହା ଅନୁମତିରେ ଚାଲିଥିଲା, ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷେ ଦିଲ୍ଲୀର ଥାର୍ଡ ୱେଭ୍‌ ନାମକ ଇଭେଣ୍ଟ ସଂସ୍ଥା ଏହି ସବୁ କାମର ଦାୟିତ୍ୱ ନେଇଥିଲା ବୋଲି କୁହାଯାଉଛି।

Advertisment

ଗତ ଜାନୁଆରି ୧୭ ତାରିଖରେ ଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବ। ଏହାପୂର୍ବରୁ ଶ୍ରୀକ୍ଷେତ୍ରକୁ ନୂଆବୋହୂ ଭଳି ସଜା ଯାଇଥିଲା। ଏଥିପାଇଁ ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ଅବସରରେ ଶ୍ରୀମନ୍ଦିର ସହ ବଡ଼ଦାଣ୍ଡ, ଶ୍ରୀମାର୍ଗରେ ବ୍ୟାପକ ସାଜସଜ୍ଜା ହୋଇଥିଲା। ଭକ୍ତଙ୍କ ବେଶ ଦର୍ଶନ ପାଇଁ ଶ୍ରୀଜଗନ୍ନାଥବଲ୍ଲଭ ପରିସରରେ ମହାପ୍ରଭୁଙ୍କ ୨୫ ବେଶ ପ୍ରଦର୍ଶନୀ କରାଯାଇଥିଲା। ତିନି ରଥ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କ୍ଷୁଦ୍ର କଳାକୃତି ବି ପ୍ରଦର୍ଶିତ ବି ହୋଇଥିଲା। ବେଶ ତିଆରି ଓ ବେଶ ପ୍ରଦର୍ଶନୀ ପାଇଁ ବିପୁଳ ଅର୍ଥ ବ୍ୟୟ ହୋଇଛି। ଶ୍ରୀମନ୍ଦିର ସିଂହାରି ନିଯୋଗ ଓ ଶ୍ରୀମନ୍ଦିର ବେଶ କାରିଗରମାନଙ୍କ ସହଯୋଗରେ ବେଶ, ରଥ ଆଦି ପ୍ରସ୍ତୁତ କରାଯାଇଥିଲା। ଏପରିକି କୌଣସି ଗଣମାଧ୍ୟମ ଏମାନଙ୍କୁ ସେ ସମୟରେ ପ୍ରଦର୍ଶନୀ ସମ୍ପର୍କରେ ପଚାରିଲେ, କେହି ମୁହଁ ଖୋଲୁନଥିଲେ। ଫଟୋ ଉଠାଇବାକୁ ବି ବାରଣ କରାଯାଉଥିଲା। ଜାନୁଆରିରୁ ଏହି ପ୍ରଦର୍ଶନୀ ଚାଲି ଆସୁଥିବା ବେଳେ ହଠାତ୍‌ ଜାନୁଆରି ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବାକ୍ଷଣି ଶ୍ରୀମନ୍ଦିର ଅଲୋକୀକରଣ ଓ ପ୍ରଦର୍ଶନୀକୁ ବନ୍ଦ କରିଦିଆଗଲା। ଯାହାକୁ ନେଇ ଅଗଣିତ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିଲା। ପରେ ବନ୍ଦ କରି ଦିଆଯାଇଥିବା ଅଲୋକୀକରଣ ଓ ପ୍ରଦର୍ଶନୀ ପୁଣି ଚାଲୁ କରାଯାଇଛି। ଓଡ଼ିଶାର ଇଭେଣ୍ଟ ସଂସ୍ଥା ଜରିଆରେ ଏହା ପୁନଃ କାର୍ଯ୍ୟକ୍ଷମ କରାଯାଇଛି। ତେବେ ଏହା କିଏ କରୁଥିଲା ଓ କିଏ ଟଙ୍କା ଦେଉଥିଲା କେହି ଜାଣିନଥିବା କହିଛନ୍ତି।

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ଅଲୋକୀକରଣ ଓ ପ୍ରଦର୍ଶନୀ କାମ କିଏ କରିଛି, ତାର ଅନୁସନ୍ଧାନ ଜାରି ରହିଛି। ପ୍ରାଥମିକ ଅନୁସନ୍ଧାନରୁ ଦିଲ୍ଲୀର ଏକ ଇଭେଣ୍ଟ ସଂସ୍ଥା ଏହା କରିଥିବା ସୂଚନା ମିଳିଛି। ଏହାର ଅଧିକ ଅନୁସନ୍ଧାନ ଜାରି ରହିଛି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ(ଓଏସ୍‌ଡି) ଅଜୟ କୁମାର ଜେନା କହିଛନ୍ତି, ଏ ସମ୍ପର୍କରେ ଆମେ କିଛି ଜାଣିନୁ। ଆମକୁ କିଛି ଅବଗତ କରାଯାଇନି। ସେହିପରି, ଓବିସିସି-୧ ନିର୍ବାହୀ ଯନ୍ତ୍ରୀ ଇଂ. ପ୍ରଭାତ କୁମାର ପାଣିଗ୍ରାହୀ କହିଛନ୍ତି, ଆମେ କେବଳ ପରିକ୍ରମା ପ୍ରକଳ୍ପ କାମ କରୁଥିଲୁ। ଅଲୋକୀକରଣ ଓ ପ୍ରଦର୍ଶନୀ କାମ କିଏ କରୁଥିଲା, ଆମେ ଜାଣିନୁ କି ଆମେ କରିନୁ। ଓବିସିସି-୨ ନିର୍ବାହୀ ଯନ୍ତ୍ରୀ ଇଂ. ସୁନ୍ଦର ମାଧବ ପାଢ଼ୀ କହିଛନ୍ତି, ଆମେ କେବଳ ଶ୍ରୀଜଗନ୍ନାଥବଲ୍ଲଭ ବହୁତଳ ପାର୍କିଂ କାମ କରିଛୁ। ପ୍ରଦର୍ଶନୀ କାମ ଆମେ କରିନୁ। କିଏ କରିଛି ବି ଜାଣିନୁ ବୋଲି ଇଂ. ପାଢ଼ୀ କହିଛନ୍ତି।