ଭୁବନେଶ୍ବର: ମୌସୁମୀର ଆଗମନରେ ଗ୍ରୀଷ୍ମର ପ୍ରଚଣ୍ଡ ତାତିର ମୁକ୍ତି ମିଳେ। ଚଳିତ ମୌସୁମୀରେ ଅନୁଭୂତ ତାତି କିନ୍ତୁ କିଛି ଭିନ୍ନ କଥା କହୁଛି। ଖାସ କରି ଏଲ୍‌ନିନୋର ପ୍ରଭାବ ବଢ଼ିଲେ ଏହା ସିଧାସଳଖ ଭାବେ ବର୍ଷା ଦିନ ସଂଖ୍ୟାରେ ପ୍ରଭାବ ପକେଇବା ସହ ମୌସୁମୀ ବର୍ଷାକୁ କମ କରାଇଥାଏ। ଯାହାର ଚିତ୍ର ଏବେ ରାଜ୍ୟରେ ଜଳଜଳ ଦିଶିଲାଣି। ଅଗଷ୍ଟରେ ସାଧାରଣତଃ ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ମଧ୍ୟରେ ରହିଥାଏ। କିନ୍ତୁ ଚଳିତ ଅଗଷ୍ଟରେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରି ଓ ତା’ଠାରୁ ଅଧିକ ରହିଛି। ପୁରୀ ତାପମାତ୍ରା ତ’ ଆଶ୍ଚର୍ଯ୍ୟ କଲା ଭଳି। ଗତକାଲି (୨୮ ତାରିଖ) ପୁରୀ ସହରର ସର୍ବୋଚ୍ଚ ତାପମାତ୍ରା ଥିଲା ୩୬ ଡିଗ୍ରି। ଯାହାକି ୧୮୯୨ ପରଠାରୁ ଅଗଷ୍ଟ ମାସରେ ଦ୍ୱିତୀୟ ସର୍ବାଧିକ ଦିନ ତାପମାତ୍ରା। ଖାଲି ପୁରୀ ନୁହେଁ, ୨୮ ଅଗଷ୍ଟରେ ଚାନ୍ଦବାଲିରେ ୩୬.୨ ଡିଗ୍ରି, ବାରିପଦା ଓ ପାରାଦୀପରେ ୩୬ ଡିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଥିଲା। ସେହିପରି ପାଖାପାଖି ୯ ସହରରେ ତାପମାତ୍ରା ୩୫ ଡିଗ୍ରି ବା ଅଧିକ ରେକର୍ଡ ହୋଇଛି। ଯାହାକି ଚିନ୍ତାଜନକ। ଚଳିତ ଅଗଷ୍ଟ ମାସରେ ରାଜ୍ୟରେ ପାଖାପାଖି ୧୫ରୁ ୧୬ ଦିନ ମୌସୁମୀ ଦୁର୍ବଳ ରହିଛି। ଫଳରେ ଗୁଳୁଗୁଳିର ମାତ୍ରା ବୃଦ୍ଧି ପାଇଛି ଓ ତାପମାତ୍ରା ସହନୀୟ ହେଉନାହିଁ। ଗତ ଦୁଇ ଦିନରେ ତାପମାତ୍ରାକୁ ଦେଖିଲେ ମୌସୁମୀ ନୁହେଁ, ବରଂ ଗ୍ରୀଷ୍ମର ପ୍ରଥମ ପ୍ରହାର ପରି ଅନୁଭୂତ ହେଉଛି।

Advertisment

ରାଜଧାନୀ ଭୁବନେଶ୍ବର କଥାକୁ ବିଚାରକୁ ନେଲେ ଜଣାପଡ଼ୁଛି, ଏଠାରେ ଉଷ୍ମ ଦ୍ୱୀପପୁଞ୍ଜ ଭଳି ତାତି ଅନୁଭୂତ ହେଉଛି। ଭୁବନେଶ୍ୱରରେ ୧ ଜୁନରୁ ୨୯ ଅଗଷ୍ଟରେ ୯୦ ଦିନ ମଧ୍ୟରୁ ଜୁନରେ ୮ ଦିନ, ଜୁଲାଇରେ୧୫ ଦିନ ଓ ଅଗଷ୍ଟରେ ୧୩ ଦିନ ବର୍ଷା ହୋଇଥିଲା। ବର୍ଷାର ପରିମାଣ ୨.୫ ମିମି କିମ୍ବା ତା’ଠାରୁ ଅଧିକ ଥିଲା। ଭାରତ ପାଣିପାଗ ବିଭାଗର ମାନକ ଅନୁଯାୟୀ ଗୋଟିଏ ଦିନରେ ୨.୫ ମିମି ବା ତା’ଠାରୁ ଅଧିକ ବର୍ଷା ହେଲେ ତାହାକୁ ବର୍ଷା ଦିନ ବୋଲି ଗଣାଯାଇଥାଏ। ଅର୍ଥାତ ଚଳିତ ମୌସୁମୀ ଋତୁରେ ଏଯାବତ୍‌ ୯୦ ଦିନ ମଧ୍ୟରୁ ୩୬ ଦିନ ରାଜଧାନୀରେ ବର୍ଷା ହୋଇଥିବା ବେଳେ ୫୪ ଦିନ ବର୍ଷାର ପରିମାଣ ୨.୫ ମିମି କିମ୍ବା କମ୍‌ ରହିଥିଲା। ଖାସ୍‌ କରି ଏହି ୫୪ ଦିନ ମଧ୍ୟରୁ ଜୁନ ମାସରେ ୧୮ ଦିନ, ଜୁଲାଇ ୭ ଦିନ ଓ ଅଗଷ୍ଟରେ ୧୩ ଦିନ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଥିଲା। ଅର୍ଥାତ ୩୮ ଦିନ ଆଦୌ ବର୍ଷା ଅନୁଭୂତ ହୋଇନଥିଲା। ଫଳରେ ତାପମାତ୍ରା ଏହି ଦିନଗୁଡ଼ିକରେ ୩୪-୩୫ ଡିଗ୍ରି ପାଖାପାଖି ରହିଥିଲା। ଏଥିସହ ଆର୍ଦ୍ରତା ୬୦%ରୁ ଅଧିକ ରହୁଥିବାରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇଛି। ଖାସ୍‌ କରି ୩୬ ବର୍ଷା ଦିନଗୁଡ଼ିକ ମଧ୍ୟରୁ ପାଖାପାଖି ୧୬ ଦିନକୁ ଛାଡ଼ି ଦେଲେ ଅବଶିଷ୍ଟ ୨୦ ଦିନରେ ଗୁଳୁଗୁଳିର ମାତ୍ରା ଏତେ ଅଧିକ ଥିଲା ଯେ ଗ୍ରୀଷ୍ମ ପ୍ରବାହ ପରି ମନ ହେଉଥିଲା।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଉମା ଶଙ୍କର ଦାସ କହିଛନ୍ତି ଯେ ଗବେଷଣାରୁ ମିଳିଥିବା ତଥ୍ୟ ଅନୁଯାୟୀ ସମଗ୍ର ଭାରତରେ, ମୌସୁମୀ ଋତୁରେ ୨୦୧୨ ରୁ ୨୦୨୧ ମଧ୍ୟରେ ହାରାହାରି ତାପମାତ୍ରା (ଜୁନ୍, ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର), ୧୯୫୧ -୮୦ ମସିହା ମଧ୍ୟରେ ହାରାହାରି ଗ୍ରୀଷ୍ମ ତାପମାତ୍ରା (ମାର୍ଚ୍ଚ, ଏପ୍ରିଲ୍, ମେ)ଠାରୁ ୦.୩ ଡିଗ୍ରି ଅଧିକ। ଏବେ ଏହା ୦.୪ ଡ଼ିଗ୍ରିକୁ ବୃଦ୍ଧି ପାଇଛି। କେବଳ ଏହି ବର୍ଦ୍ଧିତ ତାପମାତ୍ରା ହେତୁ ୨୦୧୫-୨୦ ମସିହା ମଧ୍ୟରେ ଉତ୍ତର-ପଶ୍ଚିମ ରାଜ୍ୟଗୁଡ଼ିକରେ ହିଟ୍‌-ଷ୍ଟ୍ରୋକ ଯୋଗୁଁ ୨,୧୩୭ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ଦକ୍ଷିଣ ରାଜ୍ୟଗୁଡ଼ିକରେ ଅତ୍ୟଧିକ ଉତ୍ତପ୍ତ ପରିବେଶ ହେତୁ ୨,୪୪୪ ଜଣଙ୍କର ମୃତ୍ୟୁ ହୋଇଛି। ଆହୁରି ମଧ୍ୟ ଗବେଷଣା କହୁଛି, ବିଶ୍ୱତାପନ ଓ ଏଲ୍‌ନିନୋର ପ୍ରଭାବ ହେତୁ ଉତ୍ତର ଭାରତ ମହାସାଗରର ତାପମାତ୍ରା ବୃଦ୍ଧି ସହ ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଏହାର ପ୍ରଭାବ ପରିଲିକ୍ଷିତ ହେଉଛି। ତାପମତ୍ରାରେ ବୃଦ୍ଧି ହେତୁ ବାୟୁମଣ୍ଡଳରେ ଜଳୀୟବାଷ୍ପ ଧାରଣ କ୍ଷମତା ବୃଦ୍ଧି ପାଇବା ସହ ଏହା ବଙ୍ଗୋପସାଗର ଓ ଆରବସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆର୍ଦ୍ରତା ବୃଦ୍ଧି କରିବାରେ ସାହାଯ୍ୟ କରୁଛି। ଫଳରେ ସଠିକ ମାତ୍ରାରେ ବର୍ଷା ନହେଲେ ଏହା ଅନୁଭୂତ ତାପମାତ୍ରାକୁ ଆହୁରି ବଢ଼ାଇ ଦେଉଛି। ଖାସ୍‌ କରି ଉଷ୍ମ ଦ୍ୱୀପପୁଞ୍ଜ ପ୍ରଭାବ ହେତୁ ଭୁବନେଶ୍ୱର ପରି ସହରାଞ୍ଚଳଗୁଡ଼ିକରେ ଏହାର ପ୍ରଭାବ ଅଧିକ ଅନୁଭୂତ ହେଉଛି।

ସେହିପରି ୨୯ ଅଗଷ୍ଟରେ ମଧ୍ୟ ବାରିପଦା ଓ ଚାନ୍ଦବାଲିରେ ୩୬.୨ ଡିଗ୍ରି, ବାଲେଶ୍ୱରରେ ୩୬ ଡିଗ୍ରି, ପାରାଦୀପରେ ୩୫.୯ ଡିଗ୍ରି, କଟକରେ ୩୫.୬ ଡିଗ୍ରି ମୌସୁମୀ ନୁହେଁ ବରଂ ଗ୍ରୀଷ୍ମ ଋତୁର ତାପମାତ୍ରାକୁ ସୂଚାଉଛି। ଖାସ୍ କରି ଉଚ୍ଚ ତାପମାତ୍ରା ସହ ଆର୍ଦ୍ରତା ଦିନତମାମ ୬୦%ରୁ ଅଧିକ ରହୁଥିବାରୁ ଗୁଳୁଗୁଳିକୁ ସହିବା କଷ୍ଟ ହୋଇଯାଉଛି। ଏହି ତାପମାତ୍ରା ଓ ଆର୍ଦ୍ରତା କେବଳ ସାଧାରଣ ଲୋକ ପାଇଁ ନୁହେଁ ଚାଷ ପାଇଁ ପାଇଁ ବି କାଳ ହୋଇଛି। ଉଚ୍ଚ ତାପମାତ୍ରାରେ କାର୍ଯ୍ୟଦକ୍ଷତା କମୁଥିବା ବେଳେ ଧାନ ଚାଷରେ ଅମଳ ମଧ୍ୟ କମିବାର ୯୮% ରୁ ଅଧିକ ସମ୍ଭାବନା ରହିଛି। ଏହାର କାରଣ ହେଉଛି ଫୁଲ ଫୁଟିବା ସମୟରେ ଉତ୍ତାପ ଚାପ (ହିଟ -ଷ୍ଟ୍ରେସ), ଧାନ ଗଛରେ ସ୍ପାଇକ୍ଲେଟ୍ ଉର୍ବରତାକୁ ହ୍ରାସ କରିଥାଏ, ଯାହା ମୁଖ୍ୟତଃ ଧାନ ଅମଳକୁ ପ୍ରଭାବିତ କରିଥାଏ। ସ୍ପାଇକ୍ଲେଟ୍ ତାପମାତ୍ରା ବାୟୁମଣ୍ଡଳୀୟ ତାପମାତ୍ରାଠାରୁ ଯଥେଷ୍ଟ କମ ହୋଇଥାଏ। ଅର୍ଥାତ ଯଦି ସ୍ୱାଭାବିକ ତାପମାତ୍ରାଠାରୁ ରେକର୍ଡ ହୋଉଥିବା ତାପମାତ୍ରା ୩ ରୁ ୪ ଡିଗ୍ରି ଅଧିକ ହେଉଛି, ଉଚ୍ଚ ଆର୍ଦ୍ରତା ପରିବେଶ ତାପମାତ୍ରାକୁ ଆହୁରି ୬ ରୁ ୭ ଡିଗ୍ରି ଅଧିକ କରାଇଥାଏ। ଯେହେତୁ ଚଳିତ ବର୍ଷ ଅଧିକାଂଶ ଜିଲ୍ଲାରେ ବର୍ଷା ଦିନ ସଂଖ୍ୟା ଯଥେଷ୍ଟ କମ ରହିଛି ଓ ଗୁଳୁଗୁଳି ତଥା ଆର୍ଦ୍ରତା ଅଧିକ ରହିଛି; ଏହା ସିଧାସଳଖ ଭାବେ ଧାନ ଅମଳ ୫୦%ରୁ କମ ହେବାର ଯଥେଷ୍ଟ ସମ୍ଭାବନା ରହିଛି।