ୱାର୍ଡବାସିନ୍ଦା ଚାହୁଁଥିବାରୁ ମୁଁ ଲଢ଼ୁଛି : ସ୍ବାଧୀନ ପ୍ରାର୍ଥିନୀ ରଶ୍ମିରେଖା ଜେନା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୌର ନିର୍ବାଚନ ଲାଗି ପ୍ରଚାର ଜୋର ଧରିଛି। ଗତକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ଥିବା ବେଳେ ଆଜିଠାରୁ ପ୍ରାର୍ଥୀମାନେ ପୂରା ଦମରେ ପ୍ରଚାରରେ ଲାଗିପଡ଼ିଛନ୍ତି। ରାଜଧାନୀର ବହୁ ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ/ପ୍ରାର୍ଥିନୀ ମଇଦାନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି। ଭୁବନେଶ୍ବର ମହାନଗର ନିଗମର ୧୪ ନମ୍ବର ୱାର୍ଡରୁ କର୍ପୋରେଟର ପ୍ରାର୍ଥୀ ହୋଇଛନ୍ତି ରଶ୍ମିରେଖା ଜେନା।

ନିଜର ପ୍ରାର୍ଥିତ୍ବ ସଂପର୍କରେ ସେ କହନ୍ତି, ‘‘ମୋ ୱାର୍ଡର ଲୋକ ଚାହୁଁଥିବାରୁ ମୁଁ ଲଢ଼ୁଛି। ମୁଁ ରାଜନୀତି ନୁହେଁ, ଲୋକଙ୍କ ସେବା କରିବାକୁ ଆସିଛି। ଆଜିକାଲି ସେବା ବାହାନାରେ ଅନେକ ପ୍ରାର୍ଥୀ ୫ ବର୍ଷ ନିର୍ବାଚିତ ହେବା ପରେ ଲୋକଙ୍କ ଲାଗି କାମ ନ କରି ବେପାର କରୁଛନ୍ତି, ଯାହା କି ଗଣତନ୍ତ୍ର ବିରୋଧୀ। ହେଲେ ମୁଁ ପ୍ରତିଶ୍ରୁତି ଦେଉଛି, ନିର୍ବାଚନ ଜିତିଲେ ମୋ ୱାର୍ଡର ବିକାଶ ପାଇଁ କାମ କରିବି। ’’

ପୁଣି ସେ କହିଛନ୍ତି,  ୧୪ ନମ୍ବର ୱାର୍ଡରୁ ମୁଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛି। ମୋ ୱାର୍ଡର ଲୋକ ମୋତେ ଛାଡ଼ି ନିର୍ବାଚନର ପରିକଳ୍ପନା କରିପାରି ନଥିବାରୁ ମୁଁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବାକୁ ଆଗେଇ ଆସିଛି। ମୋ ବାପା ସୀତାନାଥ ଜେନା ଜଣେ ଟାଣୁଆ ନେତା ହେବା ସହ ଭୁବନେଶ୍ୱର ମ୍ୟୁନିସିପାଲିଟିର କର୍ପୋରେଟର ଥିଲେ। ମୋ ସ୍ୱାମୀ ସ୍ବର୍ଗତ ରଞ୍ଜନ ଜେନା ମଧ୍ୟ ଏହି ୱାର୍ଡରୁ କର୍ପୋରେଟର ହୋଇଥିଲେ। ଲୋକଙ୍କ ସେବା ପାଇଁ ମୁଁ ଓ ଆମ ପରିବାର ଉତ୍ସର୍ଗୀକୃତ। ଗରିବଙ୍କ ସେବା କରିବା ମୋ ଧର୍ମ। ମୋ ପାଇଁ ରାଜନୀତି ବ୍ୟବସାୟ ନୁହେଁ, ସେବା। ଏଥିସହ ସେ ତାଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ୱାର୍ଡବାସୀଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର