ମୁଁ ବିଚଳିତ ନୁହେଁ : ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ। ସେ କହିଛନ୍ତି, ମନ୍ତ୍ରିମଣ୍ଡଳରେ କାହାକୁ ରଖିବେ କି ନାହିଁ ତାହା ପ୍ରଧାନମନ୍ତ୍ରୀଙ୍କ ଇଚ୍ଛାଧୀନ। ତେଣୁ ମୁଁ ଏଥିରେ ମୁଁ ବିଚଳିତ ଓ ଚିନ୍ତିତ ନୁହେଁ। ମୁଁ କେବେ ମନ୍ତ୍ରୀ ପଦ ପାଇଁ ଆଶା କରି ନ ଥିଲି। ମନ୍ତ୍ରୀ ହେବା ପାଇଁ କେବେ କଳ୍ପନା କରି ନ ଥିଲି। ଅଚାନକ ଫୋନ୍ ପାଇ ମନ୍ତ୍ରୀ ହୋଇଥିଲି। ତେଣୁ ମନ୍ତ୍ରୀ ପଦ ନ ରହିଲେ ମୋର କିଛି ଯାଏ ଆସେ ନାହିଁ। ମନ୍ତ୍ରୀ କି ବିଧାୟକ ନ ଥିଲା ବେଳେ ଲୋକଙ୍କ ସେବା କରୁଥିଲି। ତାହା ଜାରି ରହିବ।

ମନ୍ତ୍ରୀ ଭାବେ ତାଙ୍କ ପ୍ରଦର୍ଶନରେ ପ୍ରଧାନମନ୍ତ୍ରୀ ଅସନ୍ତୁଷ୍ଟ ଥିବା ନେଇ ହେଉଥିବା ଚର୍ଚ୍ଚା ପ୍ରସଙ୍ଗରେ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ମୋତେ ଏ କଥା ଜଣା ନାହିଁ। ପ୍ରଧାନମନ୍ତ୍ରୀ କେବେ ଅସନ୍ତୋଷ ବ୍ୟକ୍ତ କରି ନ ଥିଲେ। ସେ ଅନେକ ଥର ଆମ ସହ ବୈଠକ କରିଛନ୍ତି। ପ୍ରେରଣାଦାୟୀ ପ୍ରସ୍ତାବ ଦିଅନ୍ତି। ମୋ ପ୍ରସ୍ତାବ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତାଙ୍କ ଅସନ୍ତୋଷ ମୁଁ ଜାଣିବାର ସୁଯୋଗ ପାଇ ନାହିଁ।

ସମ୍ବନ୍ଧିତ ଖବର