ତାଳଚେର: ତାଳଚେର ସାଉଥ୍‌ବଲଣ୍ଡା ନୀଳକଣ୍ଠେଶ୍ବର ମହାବିଦ୍ୟା‌ଳୟରେ ଆଜି ଯୁକ୍ତ ୩ ପରୀକ୍ଷାରେ ଜଣେ ଛାତ୍ରୀଙ୍କୁ ପରୀକ୍ଷକ କପି କରାଇନଦେବାରୁ ସେ ଖାତା ଚିରିଦେଇ ଧମକଚମକ ଦେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ସୂଚନା ମୁତାବକ, ଆଜି କଲେଜରେ ଯୁକ୍ତ ୩ ସେମିଷ୍ଟର ପରୀକ୍ଷା ଚାଲୁଥିଲା। ଏହି କଲେଜର ଜଣେ ଛାତ୍ରୀ ତଥା ତାଳଚେର ବ୍ଲକ ଅନ୍ତର୍ଗତ ଏକ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ବନଶ୍ରୀ (ଛଦ୍ମନାମ) ଆଜି ରାଜନୀତି ବିଜ୍ଞାନ ପରୀକ୍ଷା ଦେଉଥିଲେ। ପରୀକ୍ଷା ଦେବାବେଳେ ବନଶ୍ରୀ କପି କରିବାକୁ ଚେଷ୍ଟା କରିଥିଲେ। ହଲ୍‌ରେ ଥିବା ପରୀକ୍ଷକ ଏହାକୁ ବିରୋଧ କରିଥିଲେ। ଫଳରେ ବନଶ୍ରୀ ରାଗି ଯାଇଥିଲେ। କିଛି ସମୟ ଯିବା ପରେ ସେ ପୁନର୍ବାର କପି କରିବାକୁ ଚେଷ୍ଟା କରିବାରୁ ପରୀକ୍ଷକ ପୁଣି ତାହାକୁ ବିରୋଧ କରିଥିଲେ।

publive-image Facebook

ଏଥିରେ ବନଶ୍ରୀ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ। ମୁହେଁ ମୁହେଁ ପରୀକ୍ଷକଙ୍କୁ କହିଥିଲେ, ମୁଁ ଶାସକ ଦଳର ସରପଞ୍ଚ। ମୁଁ କପି କରିବି, ନହେଲେ ଖାତା ଚିରିଦେବି। ଏହା କହି ସେ ତାଙ୍କ ପରୀକ୍ଷାଖାତାକୁ ସର୍ବସମକ୍ଷରେ ଚିରି ଫୋପାଡ଼ି ଦେଇଥିଲେ। କେବଳ ସେତିକି ନୁହେଁ, ପରୀକ୍ଷା ହଲ୍‌ରୁ ବାହାରି ଚିତ୍କାର କରି ଶାସକ ଦଳର କର୍ମୀମାନଙ୍କୁ ଫୋନ୍‌ କରିଥିଲେ। ଏହି ଘଟଣା କଲେଜ ସିସିଟିଭିରେ କଏଦ୍‌ ହୋଇରହିଛି। ଏହାପରେ କଲେଜ ଅଧ୍ୟକ୍ଷ ଏବଂ ପରୀକ୍ଷା ପରିଚାଳକ ପହଞ୍ଚି ତାଙ୍କୁ ବୁଝାସୁଝା କରିଥିଲେ। ପରେ ବନଶ୍ରୀ ଏକ ସାଦା କାଗଜରେ ଲିଖିତ ଭାବେ ଜଣାଇଥିଲେ , ‘ମୋର ମୁଣ୍ଡ ବୁଲାଉଥିଲା, ସେଥିପାଇଁ ମୁଁ ପରୀକ୍ଷକଙ୍କୁ ଏଭଳି ବ୍ୟବହାର କରିଥିଲି। ଏହାପରେ କଲେଜ ଅଧ୍ୟକ୍ଷ ଓ ପରୀକ୍ଷା ପରିଚାଳକ ତାଙ୍କୁ ଏକ ସ୍ୱତନ୍ତ୍ର କୋଠରିରେ ଗୋଟିଏ ନୂଆଖାତା ଦେଇ ପରୀକ୍ଷା ଦେବାକୁ ଅନୁମତି ଦେଇଥିଲେ।

ଏ ସଂପର୍କରେ କଲେଜ ଅଧ୍ୟକ୍ଷ ବଳଭଦ୍ର ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, ‘ଆଜି କଲେଜରେ ଜଣେ ଛାତ୍ରୀ ବନଶ୍ରୀ ପରୀକ୍ଷା ହଲ୍‌ରେ ତାଙ୍କ ପରୀକ୍ଷା ଖାତା ଚିରିଦେଇଥିଲେ। ସେ ଅସୁସ୍ଥ ଥିଲେ ଓ ତାଙ୍କ ମୁଣ୍ଡ ବୁଲାଉଥିଲା ବୋଲି ଲିଖିତ ଭାବେ ଜଣାଇବାରୁ ତାଙ୍କୁ ସ୍ୱତନ୍ତ୍ର କୋଠରିରେ ପରୀକ୍ଷା ଦେବାକୁ ଅନୁମତି ଦିଆଯାଇଥିଲା। ’