ଭୁବନେଶ୍ୱର : ଭାରତୀୟ ଚିକିତ୍ସକ ସଂଘ (ଆଇଏମ୍ଏ) ପକ୍ଷରୁ ଜାତୀୟ ଚିକିତ୍ସା ପରିଷଦ ୨୦୧୭ ବିଲ୍କୁ ବିରୋଧ କରାଯାଇଛି। ସାଂପ୍ରତିକ ପରିସ୍ଥିତିରେ ସରକାର ମୂଳ ପରିଷଦର ଉଦ୍ଦେଶ୍ୟକୁ ଭାଙ୍ଗୁଥିବା ବେଳେ ଏଲୋପାଥିକ୍ ଚିକିତ୍ସା ବିଷୟରେ ଧାରଣା ନଥିବା ବ୍ୟକ୍ତିମାନଙ୍କୁ ସଦସ୍ୟ କରାଯାଇଛି। କେବଳ ବିଲ୍ରେ ଥିବା କାର୍ଯ୍ୟଧାରା ନୁହେଁ ବରଂ ପରିଷଦର ଉଦ୍ଦେଶ୍ୟ ହିଁ ଖରାପ ବୋଲି କହିଛନ୍ତି ଆଇଏମ୍ଏର ଜାତୀୟ ସଭାପତି ଡ.ରବି ଓ୍ଵାଙ୍ଖେଡ୍କର।
ଆଜି ଆଇଏମ୍ଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସମ୍ମିଳନୀରେ ସେ କହିଲେ, ଏହି ବିଲ୍କୁ କ୍ୟାବିନେଟ୍ ଅନୁମୋଦନ କରି ପାର୍ଲାମେଣ୍ଟାରି ଷ୍ଟାଣ୍ଡିଙ୍ଗ୍ କମିଟିକୁ ୧୫ ତାରିଖରେ ରିପୋର୍ଟ ଦେବାକୁ ପଠାଇଛି। ମାତ୍ର ବାସ୍ତବରେ ଏହା ଯଦି କାର୍ଯ୍ୟକାରୀ ହୁଏ, ତେବେ ଡାକ୍ତରୀ ଚିକିତ୍ସା ପ୍ରଣାଳୀ ପ୍ରଭାବିତ ହେବ। ଏହା ଦ୍ୱାରା ଅନ୍ୟ ଚିକିତ୍ସା ପ୍ରଣାଳୀରେ ପ୍ରଶିକ୍ଷିତ ଡାକ୍ତରମାନେ ୬ ମାସର ତାଲିମ୍ ନେଇ ଏଲୋପାଥିକ୍ ଚିକିତ୍ସା କରିବା ପାଇଁ ହକ୍ଦାର ହେବେ। ଏ ପ୍ରକାରର ନିଷ୍ପତ୍ତି ମଣିଷର ଜୀବନ ସହ ଖେଳିବା ସଙ୍ଗେ ସମାନ ବୋଲି ସେ କହିଥିଲେ।
ଆଜି ଆୟୋଜିତ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆଇଏମ୍ଏର ପୂର୍ବତନ ଜାତୀୟ ସଭାପତି ଏମ୍ ଆବ୍ଦାସ୍, ରାଜ୍ୟ ସଭାପତି ଡ.ସନ୍ତୋଷ କୁମାର ମିଶ୍ର, ରାଜ୍ୟ ସମ୍ପାଦକ ଡ.ଜନ୍ମେଜୟ ମହାପାତ୍ର, ଫାଇନାନ୍ସ ସେକ୍ରେଟେରି ବ୍ରଜକିଶୋର ଦାଶ, ଆଇଏମ୍ଏ ଭୁବନେଶ୍ୱର ସଭାପତି ଡ.ମନୋଜ କିଶୋର ଛୋଟରାୟ, ଭୁବନେଶ୍ୱର ସମ୍ପାଦକ ଡ.ମାଗୁଣି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।