ଝାରସୁଗୁଡ଼ା: ଖଣି ଖାଦାନ ଓ ଶିଳ୍ପାନୁଷ୍ଠାନ ଭରା ଜିଲ୍ଲା ଝାରସୁଗୁଡ଼ାରେ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି। ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବୋଲି ରାସ୍ତା ଉପରେ ବଡ଼ ବଡ଼ ଅକ୍ଷରରେ ଫଳକ ଲଗାଯାଇଛି। କିନ୍ତୁ ଭିତରକୁ ଯିବା ବେଳକୁ କୋଠାରେ ତାଲା ଝୁଲୁଛି। ସ୍ବାସ୍ଥ୍ୟକେନ୍ଦ୍ରରୁ ମାତ୍ର ୧୦ ମିଟର ଦୂରତାରେ କିନ୍ତୁ କ୍ବାକ୍‌ ପାଖରେ ରୋଗୀଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ଝାରସୁଗୁଡ଼ା ସହର ଉପକଣ୍ଠରେ ରହିଥିବା ସଦର ବ୍ଲକ୍‌ ଅନ୍ତର୍ଗତ ଦଲ୍‌କି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଏଭଳି ଚିତ୍ର ଦେଖିବାକୁ ମିଳିଛି। ବିକଳ୍ପ ନଥିବାରୁ ଲୋକେ ବାଧ୍ୟ ହୋଇ କ୍ବାକ୍‌ ପାଖକୁ ଯାଉଥିବା କହିଛନ୍ତି।

Advertisment

ଘଟଣା ସମ୍ପର୍କରେ ଦଲ୍‌କି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦାୟିତ୍ବରେ ଥିବା ମେଡିକାଲ ଅଫିସର କେ. ମଲ୍ଲିକଙ୍କୁ ପଚାରିବାରେ କହିଛନ୍ତି, କୋଠାର ଅବସ୍ଥା ଯେଭଳି ଅଛି, ତାହା କୌଣସି ବି ମୁହୂର୍ତ୍ତରେ ଗଳିପଡ଼ିବ। ଏଠାରେ ବିଦ୍ୟୁତ୍‌ ଓ ପାଣିର ସଂଯୋଗ ନଥିବାରୁ ସିଏଚ୍‌ଓ ଫିଲ୍‌ଡରେ ବୁଲି ବୁଲି ରୋଗୀଙ୍କ ସେବା କରୁଥିବା ସେ କହିଛନ୍ତି। ଲୋକେ ମାଗଣାରେ ଘର ପାଖରେ ଯେଭଳି ଚିକିତ୍ସା, ଔଷଧ, ଫିଜିଓଥେରାପି ଆଦି ପାଇପାରିବେ ସେଥିପାଇଁ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବାବଦକୁ ବାର୍ଷିକ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହେଉଛି। ପ୍ରତି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଜଣେ ଲେଖାଏ ସିଏଚ୍‌ଓଙ୍କୁ ନିଯୁକ୍ତି ଦିଆଯାଇଛି। ସେଠାରେ ରୋଗୀଙ୍କ ଚିକିତ୍ସା ଓ ୧୦୫ଟି ମାଗଣା ଔଷଧ ପ୍ରଦାନ କରାଯିବାର ବି ବ୍ୟବସ୍ଥା ରହିଛି। କିନ୍ତୁ ପ୍ରତି ଶନିବାର ସେକ୍ଟର ମିଟିଂ, ରବିବାର ସାପ୍ତାହିକ ଛୁଟି, ମଙ୍ଗଳବାର, ବୁଧବାର ଓ ଶୁକ୍ରବାର ଭିଏଚ୍‌ଏମ୍‌ ସାଙ୍ଗକୁ ଟିକାକରଣ ଡ୍ୟୁଟିରେ ଏହି ସିଏଚ୍‌ଓଙ୍କୁ ନିଯୁକ୍ତ କରାଯାଉଛି।

ଏହାବାଦ୍‌ ବର୍ତ୍ତମାନ ଚାଲିଥିବା ସାମୂହିକ ଫାଇଲେରିଆ ଔଷଧ ବଣ୍ଟନ କାର୍ଯ୍ୟରେ, ସଞ୍ଜିବନୀ ପୋର୍ଟାଲ କାମରେ ବି ସିଏଚ୍‌ଓଙ୍କୁ ନିଯୁକ୍ତ କରାଯାଇଛି। ଫଳସ୍ବରୂପ ଏହି ସିଏଚ୍‌ଓମାନେ କେନ୍ଦ୍ର ଖୋଲି ବସିବାକୁ ସମୟ ବି ପାଇପାରୁ ନଥିବା ଅଭିଯୋଗ ହୋଇଛି। ଯାହାର ସୁଯୋଗ ନେଇ ଏହି ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ନିକଟରେ ବେଫିକର ଭାବେ କ୍ବାକ୍‌ମାନେ ନିଜ ନିଜ କେନ୍ଦ୍ର ଖୋଲି ରୋଗୀଙ୍କୁ ଚିକିତ୍ସା ଦେଉଛନ୍ତି। ଖାଲି ଦଲ୍‌କି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କାହିଁକି, ଝାରସୁଗୁଡ଼ା ସଦର ବ୍ଲକର କାତିକେଲା, ଏଚ୍‌. କଟାପାଲି, ଲଖନପୁରର ୪ଟି କେନ୍ଦ୍ର, କୋଲାବିରାର ରଘୁନାଥପାଲି, ଝିର୍ଲାପାଲି କେନ୍ଦ୍ରର ବି ଅନୁରୂପ ଅବସ୍ଥା। ଏସବୁ ସ୍ଥାନରେ ଖୁବ୍‌ ଶୀଘ୍ର ନୂତନ କୋଠା ନିର୍ମାଣ କରାଯିବ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏଇ ଇଂଜିନିୟର୍‌ ଅଶୋକ ମିଶ୍ର କହିଛନ୍ତି।