ଏହି ସ୍ଥାନରେ ବାତ୍ୟା କରିବ ଲ୍ୟାଣ୍ଡଫଲ!, ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ୱର : ଅବପାତରେ ପରିଣତ ହୋଇଛି ବଙ୍ଗୋପସାଗରରେ ୱେଲମାର୍କରେ ଲୋ- ପ୍ରେସର । ଏହା ୨୪ ତାରିଖ ଅର୍ଥାତ୍ ଆସନ୍ତାକାଲି ବାତ୍ୟାର ରୂପ ନେବା ପରେ ‘ୟାସ’ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ତେବେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ପାରାଦ୍ବୀପ ଓ ସାଗର ଦ୍ବୀପ ମଧ୍ୟଦେଇ ବାତ୍ୟା ଉପକୂଳ ଅତିକ୍ରମ କରିବ | ସେହିପରି ୨୬ ତାରିଖ ସନ୍ଧ୍ୟାରେ ସ୍ଥଳଭାଗକୁ ଛୁଇଁବାର ଆଶଙ୍କା କରାଯାଉଥିବାବେଳେ ଆସନ୍ତାକାଲି ସକାଳ ସୁଦ୍ଧା ଏହା ବାତ୍ୟାର ପରିଣତ ହୋଇପାରେ |

୨୬ ତାରିଖ ସନ୍ଧ୍ୟାରେ ପାରାଦ୍ବୀପ ଓ ସାଗର ଦ୍ବୀପ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବ ବୋଲି ସେ କହିଛନ୍ତି | ସେହିପରି ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ରହିବ | ବେଳେବେଳେ ପବନର ବେଗ ୧୮୫ କିଲୋମିଟର ମଧ୍ୟ ଛୁଇଁବ |୨୪ ତାରିଖ ସନ୍ଧ୍ୟାରୁ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ | ୨୫ରୁ ପବନର ବେଗ ବଢିବାକୁ ଥିବାବେଳେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ |

ଏହାର ପ୍ରଭାବରେ ଓଡିଶାର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ଖୋର୍ଦ୍ଧାରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ୨୬ ତାରିଖରେ ବାତ୍ୟା ସମୁଦ୍ର ପଥରେ ଓଡିଶା ଉପକୂଳ ଗତି କରିବା ସମୟରେ ବାଲେଶ୍ୱର, ଭଦ୍ରକ ଓ ମୟୂରଭଂଜରେ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର