ଭୁବନେଶ୍ବର: ଅକ୍ଟୋବର ଆସିଲେ ଓଡିଶାକୁ ଘାରେ ବାତ୍ୟା ଭୟ । ଆଉ ୧୫ ଦିନ ପରେ ଯେତେବେଳେ ଅକ୍ଟୋବର ମାସ ହାଜର ହୋଇଯିବ ତା ଆଗରୁ ଓଡିଶା ଉପରେ ବାତ୍ୟା ନେଇ ଆଶଙ୍କା ବଢିଛି । ଅକ୍ଟୋବରରୁ ଡିସେମ୍ବର ଭିତରେ କଣ ରହିବ ଓଡ଼ିଶାର ପାଣିପାଗ। ବାତ୍ୟା ଆଶଙ୍କା ଭିତରେ ବଡ଼ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । 

Advertisment

ଆଇଏମଡି ଡିଜିଙ୍କ ସୂଚନା ଅନୁସାରେ- ଅକ୍ଟୋବରରୁ ଡିସେମ୍ବର ଭିତରେ ବଙ୍ଗୋପ ସାଗରରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ । ଏସବୁ ସମୟରେ ପ୍ରତିବର୍ଷ ସାଧାରଣତଃ ବଙ୍ଗୋପସାଗର ଏବଂ ଆରବ ସାଗରରେ ୫ଟି ବାତ୍ୟା ସୃଷ୍ଟି ହୋଇଥାଏ । ତା ଭିତରେ ୩ଟି ବତ୍ୟା ଅକ୍ଟୋବରରୁ ଡିସେମ୍ବରରେ ସୃଷ୍ଟି ହୋଇଥାଏ । ମାତ୍ର ଏ ବର୍ଷ ଏଯାଏଁ କୌଣସି ବାତ୍ୟା ବଙ୍ଗୋପସାଗର କିମ୍ବା ଆରବସାଗରରେ ସୃଷ୍ଟି ହୋଇନାହିଁ । ହେଲେ ଅକ୍ଟୋବରରୁ ଡିସେମ୍ବର ମାସରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । 

ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଲା-ନିନା ସୃଷ୍ଟି ହୋଇପାରେ । ଲା-ନିନା ସୃଷ୍ଟି ହେଲେ ବଙ୍ଗୋପସାଗରର ଉତ୍ତରରେ ପ୍ରଭାବ ଦେଖିବାକୁ ମିଳିଥାଏ । ବାତ୍ୟା ସୃଷ୍ଟି ପାଇଁ ଲାନିନା ପ୍ରଭାବ ପକାଇଥାଏ । ମାତ୍ର ଏଯାଏଁ ସେମିତି କିଛି ସୃଷ୍ଟି ହୋଇନି । ଯଦି ହୁଏ ଏହାର ଅନୁକୂଳ ପ୍ରଭାବ ବଙ୍ଗୋପସାଗର ଉପରେ ପଡିବ । ତେବେ ବାତ୍ୟା କେବେ ହେବ ? କେଉଁଠି ସୃଷ୍ଟି ହେବ ? ଏବେଠୁ କହି ହେବନି । ବାତ୍ୟା ଋତୁ ଆସୁଥିବାରୁ ଆମେ ପ୍ରସ୍ତୁତ ଅଛୁ, ଆଗୁଆ ପଦକ୍ଷେପ ନେବୁ । ଗୁଜବରେ ବିଶ୍ବାସ କରନ୍ତୁ ନାହିଁ, ଆମେ ଏନେଇ ସୂଚନା ଦେବୁ । ଏତେ ଦିନ ଆଗରୁ ବାତ୍ୟା ଉପରେ କହି ହେବନି । 

ସେପଟେ ମୌସୁମୀ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି । ପଶ୍ଚିମ ରାଜସ୍ଥାନରୁ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି । ଏପଟେ ଓଡିଶାରେ ଲଘୁଚାପ ପ୍ରଭାବରେ ଆଜି ବି ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ହେଲେ ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । 

ସେହିପରି ଆସନ୍ତାକାଲି ମଧ୍ୟ ସାରା ରାଜ୍ୟରେ ବର୍ଷା ଅଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ସହ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ଜାରି କରାଯାଇଛି ।