ଭୁବନେଶ୍ବର: ଚଳିତ ବର୍ଷ ଗ୍ରୀଷ୍ମ ଋତୁ ଓଡ଼ିଶା ପାଇଁ ଆଶ୍ବସ୍ତିକର ରହିବ। ଖରା କଲବଲ କରିବନି। ମାର୍ଚ୍ଚରୁ ମେ’ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବ। ବିଶେଷକରି, ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼ ଓ ବୌଦ୍ଧ ଆଦି ଜିଲ୍ଲାରେ ଗ୍ରୀଷ୍ମ ୩ ମାସରେ ଦିନ ଓ ରାତିର ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବ। ଅବଶିଷ୍ଟ ଓଡ଼ିଶାର ତାପମାତ୍ରା ସ୍ବାଭାବିକ ରହିପାରେ। ଚଳିତ ମାର୍ଚ୍ଚରେ ଗଜପତି ସମେତ ଉତ୍ତର ଉପକୂଳ ଓଡ଼ିଶା ଓ ପାର୍ଶ୍ବବର୍ତ୍ତୀ ଆଭ୍ୟନ୍ତରୀଣ ଜିଲ୍ଲାର ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବ। କିନ୍ତୁ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଏଇ ମାସ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବା ଫଳରେ ପ୍ରବଳ ଗରମ ଅନୁଭୂତ ହେବ।

Advertisment

ଓଡ଼ିଶାର ପାଣିପାଗକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏପରି ପୂର୍ବାନୁମାନ କରିଛି। ଏବେ ଓଡ଼ିଶା ଉପରେ ଲା-ନିନା ସକ୍ରିୟ ରହିଥିବାରୁ ମାର୍ଚ୍ଚରୁ ମେ’ ଓଡ଼ିଶା ତାପମାତ୍ରା ବିଶେଷ ବଢ଼ିବାର ସମ୍ଭାବନା ନାହିଁ। ଏହି ୩ ମାସରେ ରାଜ୍ୟରେ ଅଧିକ ବର୍ଷା ସମ୍ଭାବନା ରହିଛି ବୋଲି ଆଇଏମ୍‌ଡି କହିଛି।

ଆଇଏମ୍‌ଡି ଆହୁରି କହିଛି, ଉତ୍ତର-ପଶ୍ଚିମ ଭାରତ ଓ ଉତ୍ତର-ପୂର୍ବ ଭାରତର ଅଧିକାଂଶ ସ୍ଥାନ, କେନ୍ଦ୍ର ଭାରତ ସମେତ ପୂର୍ବ-ଉପକୂଳ ଭାରତ ଓ ହିମାଳୟ ପାଦଦେଶର କିଛି କିଛି ଅଞ୍ଚଳରେ ରାତି ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ବା ତା’ଠାରୁ ଅଧିକ ରହିବ। ସେହିଭଳି କେନ୍ଦ୍ରୀୟ ଭାରତର ପଶ୍ଚିମ ଓ ସଂଲଗ୍ନ ଅଞ୍ଚଳ, ଉତ୍ତର-ପଶ୍ଚିମ ଭାରତ, ଉତ୍ତର-ପୂର୍ବ ଭାରତର ଉତ୍ତର ଉପାନ୍ତ ଅଞ୍ଚଳ ସର୍ବାଧିକ ଦିନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। କିନ୍ତୁ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବା ସହ ବର୍ଷା ସମ୍ଭାବନା ରହିଛି। ଏଣୁ ଚଳିତ ଗ୍ରୀଷ୍ମ ଓଡ଼ିଶାବାସୀଙ୍କ ପାଇଁ ଆଶ୍ବସ୍ତିକର ରହି ବୋଲି ପ୍ରାରମ୍ଭିକ ଆକଳନରୁ ଜଣାପଡ଼ୁଛି।

ଅନ୍ୟପଟେ, ଉତ୍ତର ଓଡ଼ିଶା ଓ ଏହାର ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ଶୁଖିଲା ରହିଥିବା ବେଳେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, କନ୍ଧମାଳ, ଗଞ୍ଜାମ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଏଥିସହ ଉପକୂଳ ଓଡ଼ିଶା ଯଥା ଖୋର୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ପଡ଼ିଛି। ଜଗତ୍‌ସିଂହପୁର ଓ ଖୋର୍ଧା ଜିଲ୍ଲା‌ର କିଛି କିଛି ସ୍ଥାନରେ ଘନକୁହୁଡ଼ି ମଧ୍ୟ ଦେଖିବାକୁ ମିଳିଛି। ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ଟିଟିଲାଗଡ଼ଠାରେ ୩୭.୨ ଡିଗ୍ରି ଓ ଛତ୍ରପୁରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୬ଡିଗ୍ରି ‌ରେକର୍ଡ ହୋଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମ‌ାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।