୩ ଦିନ ପର୍ଯ୍ୟନ୍ତ ଶୀତରୁ ନିସ୍ତାର ନାହିଁ; ରାଜ୍ୟର ୫ ଜିଲ୍ଲା ପାଇଁ ‘ୟେଲୋ ଓ୍ଵାର୍ଣ୍ଣିଂ’ ଜାରି କଲା ଆଇଏମଡି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ରାଜ୍ୟର ପାଞ୍ଚଟି ଜିଲ୍ଲା ପାଇଁ ହଳଦିଆ ଚେତାବନୀ ବା ‘ୟେଲୋ ଓ୍ଵାର୍ଣ୍ଣିଂ’ ଜାରି କରିଛି। ରାଜ୍ୟରେ ଆସନ୍ତା ତିନି ଦିନ ପାଇଁ ଶୀତ ଲହରୀ ଜାରି ରହିବ ବୋଲି ଆଇଏମଡି ଚେତାବନୀ ଦେଇଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଚେତାବନୀ ଦେଇଛି ଯେ ଆଗାମୀ ଦିନରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ସେଲସିୟସ୍‌ ହ୍ରାସ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁଯାୟୀ, ଜାନୁଆରି ୪ ଏବଂ ୫ରେ ଝାରସୁଗୁଡା, ସୁନ୍ଦରଗଡ, ସୋନପୁର, ସମ୍ବଲପୁର ଏବଂ ବଲାଙ୍ଗୀର ପ୍ରଭୃତି ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହେବ। ରାତିର ତାପମାତ୍ରାରେ ଆହୁରି ହ୍ରାସ ଘଟିବ।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଆଇଏମଡି କେନ୍ଦ୍ରର ବୈଜ୍ଞାନିକ ତଥା ମୁଖ୍ୟ ଏଚଆର ବିଶ୍ୱାସ କହିଛନ୍ତି ଯେ ରାଜ୍ୟର ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ତିନିରୁ ଚାରି ଡିଗ୍ରି ସେଲସିୟସ ହ୍ରାସ ପାଇପାରେ। ସେ କହିଛନ୍ତି ଯେ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଅଂଶର କିଛି ଅଞ୍ଚଳରେ ଘନରୁ ମଧ୍ୟମ ଧରଣର କୁହୁଡି ପଡ଼ିବା ଜାରି ରହିବ।

ତେବେ, େଓ୍ଵଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ପ୍ରଭାବରେ ଜାନୁଆରି ୫ ରୁ ରାଜ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରାରେ କ୍ରମଶଃ ବୃଦ୍ଧି ଘଟିବ। େଓ୍ଵଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ପ୍ରଭାବରେ ଜାନୁଆରି ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ଏବଂ ବଜ୍ରପାତ ହୋଇପାରେ। ସେହିପରି ଜାନୁଆରି ୧୦ ଏବଂ ୧୧ରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ।

ସମ୍ବନ୍ଧିତ ଖବର