ଭୁବନେଶ୍ୱର : କେନ୍ଦ୍ର ସରକାର ଚୁଡ଼ା,ମୁଢ଼ି, ଗୁଡ଼, ଦହି, ଖଇ ଓ ଉଖୁଡ଼ା ଆଦି ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀ ଉପରେ ୫% ହାରରେ ଜିସ୍ଟି ଲାଗୁ କରିବା ନିଷ୍ପତି ଏକ ହତଭାଗ୍ୟ ନିଷ୍ପତି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।
ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦୁଝର ଆଦି ଜିଲ୍ଲାରେ ମୁଢ଼ି ବିନା ଜୀବନ ଦୁର୍ବିସହ। ଓଡ଼ିଶାର ସାଧାରଣ ଜୀବନରେ ଏ ସମସ୍ତ ଖାଦ୍ୟ ଅତ୍ୟାବଶ୍ୟକ ଅଟେ। ହେଲେ କେନ୍ଦ୍ର ସରକାର ଜିଏସ୍ଟି ନାଁରେ ଗରିବଙ୍କ ଖାଦ୍ୟ ଉପରେ ପାହାର ପକାଇଛନ୍ତି। ବିଡ଼ମ୍ବନାର ବିଷୟ ଯେଉଁ ଜିଏସ୍ଟି କାଉନସିଲ୍ ବୈଠକରେ ଏନେଇ ନିଷ୍ପତ୍ତି ନିଆଗଲା ସେଥିରେ ଓଡ଼ିଶାର ଅର୍ଥମନ୍ତ୍ରୀ ଉପସ୍ଥିତ ଥିଲେ ବି ବିରୋଧ କଲେ ନାହିଁ। ଏହା କ’ଣ ରାଜ୍ୟବାସୀଙ୍କ ସ୍ବାର୍ଥ ବିରୋଧୀ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି।
ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍ଗୋ କହିଛନ୍ତି ଯେ, ୨୦୦୫ ମସିହାରେ ମନମୋହନ ସିଂହଙ୍କ ସରକାର ସମୟରେ କେନ୍ଦ୍ର ସରକାର ୩୭ଟି ଅତ୍ୟାବଶ୍ୟକ ଦ୍ରବ୍ୟକୁ ଭାଟ ମୁକ୍ତ କରିଥିଲେ। କିନ୍ତୁ ଏଥିରୁ ଅଧିକାଂଶ ସାମଗ୍ରୀ ଉପରେ ଆସନ୍ତାକାଲି ଠାରୁ ଜିଏସ୍ଟି ଲାଗୁ ହେବ। ୨୦୧୭ ମସିହାରେ ଜିଏସ୍ଟି ଲାଗୁ କଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଏହାଦ୍ବାରା ବିଭିନ୍ନ ସାମଗ୍ରୀର ଦାମ୍ ବହୁ ମାତ୍ରାରେ କମିଯିବ, ସାଧାରଣ ଲୋକ ସୁଫଳ ପାଇବେ। ହେଲେ ସତ କ’ଣ ତାହା ଏବେ ସମସ୍ତେ ଦେଖୁଛନ୍ତି। ଏକ ରାଷ୍ଟ୍ର ଏକ ଟ୍ୟାକ୍ସ କହୁଥିବା କେନ୍ଦ୍ର ସରକାର ଏବେ ୫ଟି ସ୍ଲାବ୍ରେ ଜିଏସ୍ଟି ଆଦାୟ କରୁଛନ୍ତି। କେନ୍ଦ୍ର ସରକାର ତୁରନ୍ତ ଚୁଡ଼ା, ମୁଢ଼ି, ଗୁଡ଼ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଜିଏସ୍ଟି ପ୍ରତ୍ୟାହାର କରନ୍ତୁ।
ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଗଣେଶ୍ୱର ବେହେରା, ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି, ଅମୀୟ ପାଣ୍ଡବ ଓ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/congress-m19.jpg)