ରାଜ୍ୟର ଶତ ପ୍ରତିଶତ ଟିକାକରଣରେ ବାଧକ ସାଜିଛନ୍ତି ପ୍ରବାସୀ

ଭୁବନେଶ୍ୱର : ରାଜ୍ୟର କରୋନା ଟିକାକରଣ ଲକ୍ଷ୍ୟ ହାସଲରେ ବାଧକ ସାଜିବେ ପ୍ରବାସୀ ଓଡ଼ିଆ। ଚଳିତମାସ ୩୧ ତାରିଖ ସୁଦ୍ଧା ରାଜ୍ୟ ସରକାର ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କୁ ଅତି କମ୍‌ରେ ଗୋଟିଏ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ପ୍ରାୟ ୧୦ ଲକ୍ଷ ଓଡ଼ିଆ ଦେଶର ବିଭିନ୍ନ ସ୍ଥାନରେ ରହୁଥିବାରୁ ସେମାନଙ୍କୁ ରାଜ୍ୟ ଟିକାକରଣ ତାଲିକାରେ ସାମିଲ କରିବା ସମ୍ଭବ ହେଉ ନାହିଁ। କରୋନାର ପ୍ରଥମ ଲହରରେ ପ୍ରବାସୀଙ୍କ ଫେରନ୍ତାଙ୍କୁ ଚିନ୍ତା ବଢ଼ିଥିବା ବେଳେ ଏବେ ପ୍ରବାସୀଙ୍କ ବାହାରେ ରହିବାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ରାଜ୍ୟ ସରକାର ଧାର୍ଯ୍ୟ ଟିକାକରଣର ଡେଡ୍‌ଲାଇନ୍‌କୁ ବାରମ୍ବାର ଘୁଞ୍ଚାଇ ଚାଲିଛନ୍ତି। ରାଜ୍ୟରେ ୧୮ବର୍ଷରୁ ଅଧିକ ୩.୨୫ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବ। ଏ ପର୍ଯ୍ୟନ୍ତ ୧୮ବର୍ଷରୁ ଅଧିକ ୩.୦୨କୋଟି ଲୋକ ନିଜର ପ୍ରଥମ ଡୋଜ୍ ନେଇସାରିଥିବା ବେଳେ ୨.୩ କୋଟିରୁ ଅଧିକ ଡବଲ ଡୋଜ୍ ନେଇ ସାରିଲେଣି। ଯାହାକି ଯୋଗ୍ୟ ହିତାଧିକାରୀଙ୍କ ଯଥାକ୍ରମେ ୯୩ ଓ ୭୧ ପ୍ରତିଶତରୁ ଅଧିକ। ମାତ୍ର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟକୁ ହିସାବକୁ ନେଲେ ଡବଲ ଡୋଜ୍ ଟିକାକରଣରେ ଓଡ଼ିଶା ପଛ‌ରେ ରହିଛି।

ଦେଶର ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଶତପ୍ରତିଶତ ଟିକାକରଣ ଓ ୭ଟି ରାଜ୍ୟରେ ୮୦ ପ୍ରତିଶତରୁ ଅଧିକ ଡବଲ ଡୋଜ୍ ଟିକାକରଣ ହୋଇସାରିଛି। ରାଜ୍ୟର କଟକ, ଗଜପତି, ସୁନ୍ଦରଗଡ଼, ଅନୁଗୁଳ ଓ ମୟୂରଭଞ୍ଜ ଭଳି ଜିଲ୍ଲାରେ ଟିକାକରଣ କମ୍ ରହିଛି। ମୟୂରଭଞ୍ଜ ଜିଲ୍ଲା ଦ୍ବିତୀୟ ଡୋଜ୍ ଟିକାକରଣରେ ପଛୁଆ ରହିଛି।

ରାଜ୍ୟ କରୋନା ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ଏ ପର୍ଯ୍ୟନ୍ତ ୨୩ଲକ୍ଷ ଲୋକ ନିଜର ପ୍ରଥମ ଡୋଜ୍ ଟିକା ନେଇ ନାହାନ୍ତି। ତହିଁରୁ ପ୍ରାୟ ୧୦ଲକ୍ଷ ହେଉଛନ୍ତି ପ୍ରବାସୀ। ରାଜ୍ୟରେ ଅନେକ ଅସୁସ୍ଥ ଲୋକ ଥିବା ବେଳେ କେତେକ ଟିକା ନେବାକୁ ଅମଙ୍ଗ ହେଉଛନ୍ତି। ଏହାସହ କରୋନାରେ ସଂକ୍ରମିତ ହେଉଥିବା ଲୋକମା‌ନେ ମଧ୍ୟ ଏବେ ଟିକା ନେଇ ନାହାନ୍ତି। ଏସବୁ ଦୃଷ୍ଟିରୁ ପରିସଂଖ୍ୟାନକୁ ହିସାବକୁ ନେଲେ ରାଜ୍ୟରେ ଶତ ପ୍ରତିଶତ ଟିକାକରଣ ସମ୍ଭବ ନୁହେଁ। ଯେଉଁ ଓଡ଼ିଆମାନେ ବାହାର ରାଜ୍ୟରେ ରହୁଥିବା ନିଜ ନିଜ ରହଣି ସ୍ଥାନରେ ନିଶ୍ଚିତ ଟିକା ନେଇଥିବେ। ମାତ୍ର କେତେଜଣ ଟିକା ନେଇଛନ୍ତି ତାହାର ତାଲିକା ରାଜ୍ୟ ପାଖରେ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏ ଦୃଷ୍ଟିରୁ ଜିଲ୍ଲାୱାରୀ ଘରକୁ ଘର ବୁଲି ୧୮ ବର୍ଷରୁ ଅଧିକ ଲୋକଙ୍କ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ଫଳରେ ରାଜ୍ୟରେ ପ୍ରକୃତ ଲୋକଙ୍କ ତଥ୍ୟ ମିଳିପାରିବ। ଏହାସହ ଯେଉଁ ଜିଲ୍ଲାରେ ଟିକାକରଣ କମ୍ ରହିଛି, ସେସବୁ ଅଞ୍ଚଳରେ ମୋବାଇଲ ଟିମ୍ ଟିକାକରଣରେ ସହାୟତା କରୁଛନ୍ତି ବୋଲି ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ରାଜ୍ୟରେ ୧୫-୧୮ବର୍ଷର ୨୩.୬୫ ଲକ୍ଷ ପିଲା ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧ ଲକ୍ଷରୁ ଅଧିକ ଅର୍ଥାତ୍ ୫୦ ପ୍ରତିଶତ ପିଲାଙ୍କ ପ୍ରଥମ ଡୋଜ୍ ଟିକାକରଣ ଶେଷ ହୋଇଛି। ଚଳିତ ମାସ ଆରମ୍ଭରୁ ପିଲାଙ୍କ ଟିକାକରଣ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାର ୧ମାସ ଭିତରେ ସେମାନଙ୍କ ଟିକାକରଣ ସାରିବା ଲାଗି ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର