ବେଧଡ଼କ ଭାବେ ଓଡ଼ିଶାରେ ପ୍ରବେଶ କରୁଛନ୍ତି ପ୍ରବାସୀ

ପ୍ରବାସୀ ବାରବୁଲାଙ୍କ ଆଗମନକୁ ନେଇ ଚିନ୍ତାରେ ଅଂଚଳବାସୀ

ସୋହେଲା : ବରଗଡ଼ ଜିଲ୍ଲାରେ ପ୍ରତିଦିନ କରୋନାର ଗ୍ରାଫ ଚିନ୍ତାଜନକ ଭାବେ ଉପରମୁହାଁ ହୋଇ ଚାଲିଛି। ପ୍ରଶାସନର ଢିଲାପଣ ଓ ଖାମଖିଆଲି ମନୋଭାବ ଯୋଗୁ ବେଧଡ଼କ ଭାବେ ଅନ୍ୟ ରାଜ୍ୟରୁ ଲୋକେ ବିନା ଯାଂଚରେ ରାଜ୍ୟକୁ ପ୍ରବେଶ କରୁଛନ୍ତି। ଯାହାକି ସୋହେଲା ଅଂଚଳ ତଥା ଜିଲ୍ଲାବାସୀଙ୍କ ପାଇଁ ବିପଦକୁ ବରଣ ସଦୃଶ ହେଉଛି।

ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ କରୋନା ସଂକ୍ରମଣ ଚରମ ସୀମାରେ ପହଂଚିଛି। ଛତିଶଗଡ଼ ରାଜ୍ୟ ସୀମାକୁ ଲାଗିଥିବା ରାଜ୍ୟର ୧୦ ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ତରଫରୁ ସ୍ୱତନ୍ତ୍ର କଟକଣା ଲାଗୁ କରାଯାଇଛି। ସେଥି ମଧ୍ୟରୁ ବରଗଡ଼ ଜିଲ୍ଲା ଅନ୍ୟତମ। ଛତିଶଗଡ଼ ରାଜ୍ୟ ସୀମାନ୍ତକୁ ଲାଗିଥିବା ଏହି ୧୦ଟି ଜିଲ୍ଲାଗୁଡ଼ିକରୁ ପଡୋଶୀ ଛତିଶଗଡ଼ ରାଜ୍ୟକୁ ଚଳାଚଳ କରୁଥିବା ସମସ୍ତ ପ୍ରକାର ଯାନବାହନ ଗତ ୧୦ ତାରିଖରୁ ବନ୍ଦ ରହିଛି। ଛତିଶଗଡ଼ ରାଜ୍ୟ ସୀମାନ୍ତରେ ଥିବା ସୋହେଲା ଥାନା ଲୁହୁରାଚଟିରେ ପ୍ରଶାସନ ତରଫରୁ ଏକ ଯାଂଚକେନ୍ଦ୍ର ଖୋଲାଯାଇଛି। ଯାଂଚକୁ କଡାକଡି କରି ୭୨ ଘଂଟା ମଧ୍ୟରେ କରୋନା ଯାଂଚ (ଆର୍‌ଟି ପିସିଆର୍‌) ନେଗେଟିଭ ରିପୋର୍ଟ ଥିଲେ କିମ୍ବା କରୋନା ଟିକାର ୨ଟି ଡୋଜ ନେଇଥିବାର ପ୍ରମାଣପତ୍ର ଥିଲେ ସେମାନଙ୍କୁ ଓଡ଼ିଶାକୁ ପ୍ରବେଶର ଅନୁମତି ଦେଉଥିବା ପ୍ରଶାସନ ପକ୍ଷରୁ ପ୍ରଚାର କରାଯାଉଛି। କିନ୍ତୁ ବାସ୍ତବ ଚିତ୍ର ସଂପୂର୍ଣ ଓଲଟା। କେବଳ ଧର୍ମକୁ ଅଖିଠାର ନୀତିରେ ଯାଂଚ ଚାଲିଛି ।

ଏହି ଚେକ୍‌ ପଏଣ୍ଟରେ ନିୟୋଜିତ କର୍ମଚାରୀମାନେ ଛତିଶଗଡ଼ ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ ଓ କରୋନା ରିପୋର୍ଟ ଦେଖି ଛାଡୁଥିବା କହୁଛନ୍ତି। କିନ୍ତୁ ଆଜିର ଏକ ଘଟଣାରେ ସେଠାରେ କିପରି ଯାଂଚ ଚାଲିଛି ତାହା ସ୍ପଷ୍ଟ ଜଣାପଡୁଛି। ଗୁରୁବାର ମହାରଷ୍ଟ୍ର ରାଜ୍ୟ ନମ୍ବର ଥିବା ୬ଟି ଗାଡି ପ୍ରାୟ ୨୫/୩୦ଜଣ ଲୋକ ଲୁହୁରାଚଟି ଯାଂଚକେନ୍ଦ୍ର ଦେଇ ରାଜ୍ୟ ମଧ୍ୟକୁ ପ୍ରବେଶ କରିଥିଲେ। ସେମାନେ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଡେରା ପକେଇ ରହିଛନ୍ତି। ଖବର ପାଇ ପ୍ରଶାସନ ତରଫରୁ ପୁଲିସ୍‌ ସେଠାକୁ ଯାଇ ପଚରାଉଚୁରା କରିଥିଲେ। କିନ୍ତୁ ବର୍ତମାନ ସୁଦ୍ଧା ସେମାନଙ୍କ କୌଣସି ପ୍ରକାର ଟେଷ୍ଟ କରାଯାଇନଥିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ କରୋନା ସ୍ଥିତି ବେକାବୁ ହେବା ପରେ ବରଗଡ଼ ଜିଲ୍ଲା ସୀମାନ୍ତକୁ ଜିଲ୍ଲା କୋଭିଡ୍‌ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ପରିଦର୍ଶନ ପରେ ପ୍ରଶାସନ ସକ୍ରିୟ ହୋଇଥିଲା। କିନ୍ତୁ ବର୍ତମାନ ତାହା କେବଳ ଔପଚାରିକତା ଭାବେ ଯାଂଚ କାର୍ଯ୍ୟ ସଂପାଦନା କଲା ପରି ପରିଲକ୍ଷିତ ହେଉଛି।

ସମ୍ବନ୍ଧିତ ଖବର