କଟକ: ରାଜ୍ୟର ଏକମାତ୍ର ସରକାରୀ ଦନ୍ତ ମହାବିଦ୍ୟାଳୟରେ ହୋଇପାରୁନି ଦାନ୍ତ କ୍ୟାପିଂ। ପ୍ରତିଦିନ ରୋଗୀ ନିରାଶ ହୋଇ ଫେରୁଛନ୍ତି। ବାଧ୍ୟ ହୋଇ ଅଧିକ ଟଙ୍କା ବ୍ୟୟ କରି ଘରୋଇ ହସ୍ପିଟାଲରେ ଲୋକେ ଦାନ୍ତ କ୍ୟାପିଂ କରାଉଛନ୍ତି। ୪୪ ବର୍ଷର ଏସ୍ସିବି ଦନ୍ତ ମହାବିଦ୍ୟାଳୟରେ ଆଜି ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହୋଇପାରି ନଥିବା ବେଳେ ଏହି ସେବାକୁ ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ (ପିପିପି) ମୋଡ୍ରେ ଯୋଗାଇ ଦେବାକୁ ଦନ୍ତ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ରାଜ୍ୟ ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ (ଡିଏମ୍ଇଟି)ଙ୍କୁ ଚିଠି ଲେଖିଥିଲେ ବି ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରୁନି।
କାର୍ଯ୍ୟକାରୀ ହୋଇପାରୁନି ଦାନ୍ତ କ୍ୟାପିଂ, ଏମ୍ଆର୍ଆଇ ବ୍ୟବସ୍ଥା
ପିପିପି ମୋଡ୍ରେ କରିବାକୁ ଡିଏମ୍ଇଟିଙ୍କୁ ଚିଠି ପରେ ବି ସୁଧୁରୁନି ସ୍ଥିତି
ଅନ୍ୟପଟେ ଏସ୍ସିବିରେ ପିପିପି ମୋଡ୍ରେ ଏମ୍ଆର୍ଆଇ ହେଉଥିବାବେଳେ ଦନ୍ତ ମହାବିଦ୍ୟାଳୟର ରୋଗୀ କିନ୍ତୁ ଏହି ଚିକିତ୍ସା ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ପୂର୍ବରୁ ଦନ୍ତ ଚିକିତ୍ସା ପାଇଁ ଯେଉଁମାନଙ୍କ ଏମ୍ଆର୍ଆଇର ଆବଶ୍ୟକତା ପଡୁଥିଲା ସେହି ରୋଗୀଙ୍କୁ ଡାକ୍ତରଙ୍କ ଚିଠା ଅନୁସାରେ ଏସ୍ସିବିରେ ମାଗଣାରେ ପରୀକ୍ଷା ସୁବିଧା ମିଳିପାରୁଥିଲା। କିନ୍ତୁ ଏବେ ୮ମାସ ହେଲା ଏହି ସୁବିଧା ମିଳିପାରୁ ନ ଥିବାରୁ ଦନ୍ତ ମହାବିଦ୍ୟାଳୟର ରୋଗୀ ମାଗଣା ସେବାରୁ ବଞ୍ଚିତ ହେଉଛନ୍ତି। ଏପରିକି ସେମାନଙ୍କ ଅସ୍ତ୍ରୋପଚାର ପୂର୍ବରୁ ଯେଉଁ ଏମ୍ଆର୍ଆଇ ପରୀକ୍ଷା ରିପୋର୍ଟ ଡାକ୍ତରଙ୍କୁ ରୋଗ ଚିହ୍ନଟ ଓ ନିରୂପଣ ପାଇଁ ଆବଶ୍ୟକ ପଡୁଛି ତାହା ମିଳି ପାରୁନି। ଏ ସଂପର୍କରେ ଏସ୍ସିବି କର୍ତ୍ତୃପକ୍ଷ ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଦନ୍ତ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଜଣାଇଥିଲେ ବି ଏହାର ସମାଧାନ ହୋଇପାରୁନି।
ସେହିଭଳି ଦନ୍ତ ମହାବିଦ୍ୟାଳୟର ଦାନ୍ତ ତିଆରି ବିଭାଗରେ ଦାନ୍ତ ତିଆରି କରି ଲଗାଇବାରେ ବି ବହୁ ବିଳମ୍ବ ହେବା ସହ ଟେକ୍ନିସିଆନ୍ ଅଭାବ ରହିଛି। କର୍ମଚାରୀ ଅଭାବ ଥିବା ଦର୍ଶାଇ ଯେଉଁଭଳି ଭାବେ ଦାନ୍ତ ତିଆରି କରି ମାପ ଅନୁସାରେ ରୋଗୀଙ୍କଠାରେ ତାକୁ ବସାଇବା କଥା ତାହା ବି ଠିକ୍ରେ କରାଯାଉନି। ମାତ୍ରାଧିକ ବିଳମ୍ବ ହେଉଥିବାରୁ ରୋଗୀ ବାଧ୍ୟ ହୋଇ ଘରୋଇ ବ୍ୟବସ୍ଥା ଉପରେ ନିର୍ଭର କରୁଛନ୍ତି। ଏସ୍ସିବି ଦନ୍ତ ମହାବିଦ୍ୟାଳୟ ରାଜ୍ୟର ଏକମାତ୍ର ସରକାରୀ ଦନ୍ତ ମହାବିଦ୍ୟାଳୟ। ରାଜ୍ୟରେ ଦନ୍ତ ଚିକିତ୍ସାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗକୁ ୪ଟି ନୂଆ ଦନ୍ତ ମହାବିଦ୍ୟାଳୟ ଖୋଲିବା ପାଇଁ ଯୋଜନା କରିଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କିନ୍ତୁ ଏସ୍ସିବି ଦନ୍ତ ମହାବିଦ୍ୟାଳୟକୁ ସଜଡ଼ା ଯାଇ ପାରୁନି।