ଭୁବନେଶ୍ବର: ରାଜ୍ୟପାଳଙ୍କ ପୁଅଙ୍କୁ ନେଇ ପୁଣି ଆଜି ବିଧାନସଭା ହୁଲସ୍ତୁଲ ହୋଇଛି। ବିରୋଧୀ ବିଜେଡି ଓ କଂଗ୍ରେସ ଲଗାତାର ତୃତୀୟ ଦିନ ପାଇଁ ଏହି ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରିଦେଇଥିଲେ। ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ବି ଫେଲ୍ ମାରିଥିଲା। ଫଳରେ ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ଆଦୌ ହୋଇପାରି ନଥିଲା। ଅପରାହ୍ନରେ ବିନା ବିରୋଧୀ ଦଳରେ ଆଲୋଚନା ହୋଇଥିଲା। ଆଜି ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିବା ପାଇଁ ଠିଆ ହେଲେ। ରାଜ୍ୟପାଳଙ୍କ ପୁଅ ଆଇନକୁ ହାତକୁ ନେଇଛନ୍ତି। କିନ୍ତୁ ସରକାର ଚୁପ୍ ବସିଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ଆରୋପ ଲଗାଇଥିଲେ। ତେବେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରି ଏକ ପ୍ରଶ୍ନର ଉତ୍ତର ଦେବାକୁ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଡାକିଲେ। ମନ୍ତ୍ରୀ ଉତ୍ତର ଦେଉଥିଲା ବେଳେ ବିଜେଡି ବିଧାୟକମାନେ ନିଜ ନିଜ ଆସନରେ ଠିଆ ହୋଇପଡ଼ିଲେ। ଓଡ଼ିଆ ଏଏସ୍ଓଙ୍କୁ ନ୍ୟାୟ ନ ମିଳିଲେ ଗୃହ କାର୍ଯ୍ୟରେ ଭାଗ ନେବୁ ନାହିଁ କହି ସେମାନେ କକ୍ଷତ୍ୟାଗ କରିଥିଲେ। କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ। ଡବଲ୍ ଇଞ୍ଜିନ ସରକାର ଓଡ଼ିଶା ପ୍ରତି ପକ୍ଷପାତିତା କରିଥିବା ଅଭିଯୋଗ ଆଣିଥିଲେ। କଂଗ୍ରେସ ସଭ୍ୟଙ୍କ ନାରାବାଜିରେ ଗୃହ କମ୍ପୁଥିବାରୁ ମନ୍ତ୍ରୀଙ୍କ ଉତ୍ତର କିଛି ଶୁଣାଯାଉ ନଥିଲା। ଫଳରେ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏ ମୁଲତବୀ ରଖିଥିଲେ।
୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ବିଜେଡି ସଭ୍ୟମାନେ ଗୃହକୁ ଆସି ନଥିଲେ। ଏହି ସମୟରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ମଧ୍ୟାହ୍ନ ୧୨ଟା ଯାଏ ମୁଲତବୀ ରଖିଲେ। ସର୍ବଦଳୀୟ ବୈଠକକୁ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସିପିଆଇ(ଏମ୍) ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ଓ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ବାଚସ୍ପତି ଡାକିଥିଲେ। ବୈଠକ ଚାଲିଥିବାରୁ ପୁଣି ୧୨ଟାରୁ ଅପରାହ୍ଣ ୪ଟା ଯାଏ ଗୃହକୁ ମୁଲତବୀ ରଖାଯାଇଥିଲା। କିନ୍ତୁ ସର୍ବଦଳୀୟ ବୈଠକରେ କିଛି ନିର୍ଯ୍ୟାସ ବାହାରି ନଥିଲା।
୪ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେଲା ପରେ ଉପବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିଲା। ଏହା ପରେ ବିଜେଡି ସଭ୍ୟମାନେ ପୂର୍ବ ଘୋଷଣା ଅନୁଯାୟୀ କକ୍ଷତ୍ୟାଗ କରିଥିଲେ। କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କଲେ। ଏହି ସମୟରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପଏଣ୍ଟ୍ ଅଫ୍ ଅର୍ଡର୍ ମାଗିଥିଲେ। ବାଚସ୍ପତି ତାଙ୍କୁ ସୁଯୋଗ ଦେଇଥିଲେ। ଶ୍ରୀ କାଡ଼ାମ କେନ୍ଦ୍ରୀୟ ବଜେଟରେ ଓଡ଼ିଶାକୁ ଅବହେଳା ସମ୍ପର୍କରେ କହିବା ଆରମ୍ଭ କରିଥିଲେ। ଏହା ପଏଣ୍ଟ୍ ଅଫ୍ ଅର୍ଡର୍ ନୁହେଁ କହି ବାଚସ୍ପତି ସୁଯୋଗ ଦେଇ ନଥିଲେ। ଏହା ପରେ କଂଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ। ସିପିଆଇ(ଏମ୍) ସଭ୍ୟ ଲକ୍ଷ୍ମଣ ମୁଣ୍ଡା ମଧ୍ୟ କକ୍ଷତ୍ୟାଗ କରିଥିଲେ। ଏହା ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇଥିଲା। ବିରୋଧୀ ଦଳ ଅନୁପସ୍ଥିତିରେ କେବଳ ଶାସକ ଦଳ ବିଧାୟକମାନେ ଆଲୋଚନାରେ ଭାଗ ନେଇଥିଲେ। ବିଜେଡି ବିଧାୟକ କଳିକେଶ ସିଂହଦେଓ ଗଣମାଧ୍ୟମକୁ କହିଥିଲେ, ଯେତେବେଳେ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ଗୃହ ବନ୍ଦ ହେଉଛି, ରାଜ୍ୟ ସରକାର ତାହାକୁ ବିଚାର କରୁ ନାହାନ୍ତି। କାର୍ଯ୍ୟ ପରାମର୍ଶଦାତା ବୈଠକ ଡକାଉ ନାହାନ୍ତି। ଜଣାପଡ଼ୁଛି ସେମାନେ ଗୃହ ଚଳାଇବାକୁ ଚାହୁନାହାନ୍ତି। ଆମେ ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେବୁନି। ବିଜେପି ବିଧାୟକ ବାବୁ ସିଂହ କହିଥିଲେ, ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବକୁ ବର୍ଜନ କରି କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛି ବିଜେଡି।
ସେମାନେ ବିରୋଧୀ ଆସନରେ ଥିବାରୁ ସହଜରେ ହଜମ କରିପାରୁ ନାହାନ୍ତି। ୮୦ରୁ ଅଧିକ ନୂଆ ବିଧାୟକ ଆସିଛନ୍ତି। ବିରୋଧୀ ପ୍ରଥମ ଦିନରୁ ଗୃହ ବନ୍ଦ କରାଇ ନୂଆ ବିଧାୟକଙ୍କ ସ୍ବପ୍ନକୁ ଧୂଳିସାତ କରୁଛନ୍ତି। ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ଆଇନ ମନ୍ତ୍ରୀ କହିସାରିଛନ୍ତି। ଗୃହରେ ବିରୋଧୀ ଆଲୋଚନାକୁ ଆସିଲେ ନିର୍ଯ୍ୟାସ ବାହାରିବ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଲେ, ବଜେଟ୍ରେ ଓଡ଼ିଶାକୁ ଅବହେଳା କରାଯାଇଥିବାରୁ କଂଗ୍ରେସ ପ୍ରତିବାଦ କରିଛି। ଆନ୍ଧ୍ର ଓ ବିହାରକୁ କେନ୍ଦ୍ର ସ୍ବତନ୍ତ୍ର ପ୍ୟାକେଜ୍ ଦେଲା। ଓଡ଼ିଶାରୁ ୨୦ ସାଂସଦ ନେଲେ। କିନ୍ତୁ ତାହା ବଦଳରେ କିଛି ଦେଲେନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/Odisha-assembly.jpg)