କଟକ: ରାଜ୍ୟ ଚିକିତ୍ସା ବ୍ୟବସ୍ଥାରେ ପ୍ରାଶାସନିକ ସ୍ଥାଣୁତା ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟ ସରକାର ମାସ ମାସ ହେଲା ଖାଲି ପଡ଼ିଥିବା ପଦ ପୂରଣ କରୁ ନଥିବା ବେଳେ ଆଗକୁ ଏହି ସଂଖ୍ୟା ବଢିବାରେ ଲାଗିଛି। ଆସନ୍ତାକାଲି ଅର୍ଥାତ ଫେବ୍ରୁଆରି ୨୮ ତାରିଖରେ ସୁନ୍ଦରଗଡ ମେଡିକାଲ ଅଧୀକ୍ଷକ ପ୍ରଫେସର ଡାକ୍ତର ପଙ୍କଜ ପରିଡା ଅବସର ଗ୍ରହଣ କରିବେ। ସେହିପରି ଏସ୍ସିବି ଦନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଜୟନ୍ତ କୁମାର ଦାଶ ମଧ୍ୟ ଅବସର ଗ୍ରହଣ କରିବେ। ପୂର୍ବରୁ ରାଜ୍ୟର ୪ଟି ମେଡିକାଲ କଲେଜ ଅର୍ଥାତ୍ ଏସ୍ସିବି, ଏମ୍କେସିଜି, କୋରାପୁଟ ଓ କଳାହାଣ୍ଡି ମେଡିକାଲ କଲେଜ ଅଧୀକ୍ଷକ ଓ ଅଧ୍ୟକ୍ଷ ପଦ ଖାଲିପଡିଛି। ବାରମ୍ବାର ଦାବି ସତ୍ତ୍ବେ ତାହା ପୂରଣ ହେଉ ନଥିବା ବେଳେ ଆସନ୍ତାକାଲିଠାରୁ ସେଥିରେ ଆଉ ଦୁଇଟି ପଦବି ଯୋଡ଼ି ହେବ। ଅନ୍ୟପଟେ ନୂଆ ମେଡିକାଲ କଲେଜ ଫୁଲବାଣୀ ପାଇଁ ଅଧ୍ୟକ୍ଷ ଭାବେ ସ୍ବାସ୍ଥ୍ୟ ବିଭାଗ ଯାହାଙ୍କୁ ନିଯୁକ୍ତି ଦେଇଥିଲେ ସେ ଆଜି ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦେଉ ନାହାନ୍ତି।
ଆଜି ଅବସର ନେବେ ଏସ୍ସିବି ଦନ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ, ସୁନ୍ଦରଗଡ଼ ମେଡିକାଲ କଲେଜ ଅଧୀକ୍ଷକ
ପୂର୍ବରୁ ଖାଲି ପଡ଼ିଛି ଏସ୍ସିବି, ଏମ୍କେସିଜି, କୋରାପୁଟ, କଳାହାଣ୍ଡି, ଫୁଲବାଣୀ ମେଡିକାଲ କଲେଜ ଅଧୀକ୍ଷକ/ଅଧ୍ୟକ୍ଷ ପଦ
ରାଜ୍ୟରେ ସରକାରୀ ମେଡିକାଲ କଲେଜ ସଂଖ୍ୟା ବଢୁଥିବା ବେଳେ ଗୁରୁତ୍ବପୂର୍ଣ୍ଣ ଅଧ୍ୟକ୍ଷ ଓ ଅଧୀକ୍ଷକ ପଦବି ଖାଲି ପଡ଼ିବା ଘଟଣା ଗୁରୁତର ପ୍ରାଶାସନିକ ଅଚଳାବସ୍ଥା ସୃଷ୍ଟି କରୁଛି। ଏସ୍ସିବି ମେଡିକାଲ କଲେଜର ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରସେନ୍ଜିତ୍ ମହାନ୍ତି ଗଲା ଜୁଲାଇ ମାସରେ ଅବସର ଗ୍ରହଣ କରିବା ପରେ ତାଙ୍କ ସ୍ଥାନରେ ଗୋଟିଏ ମାସ ପରେ ଅଧ୍ୟକ୍ଷ ଭାବେ ପ୍ରଫେସର ଡାକ୍ତର ଲୁସି ଦାସଙ୍କୁ ସରକାର ନିଯୁକ୍ତି ଦେଇଥିଲେ। ତେବେ ଏହା ପର ମାସରେ ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ଅବସର ନେବାରୁ ସେହି ସ୍ଥାନ ଖାଲିପଡ଼ିଲା। ଫଳରେ ଡାକ୍ତର ଲୁସି ଦାସଙ୍କୁ ଉଭୟ ଅଧ୍ୟକ୍ଷ ଓ ଅଧୀକ୍ଷକ ଦାୟିତ୍ବ ଦିଆଯାଇଛି। ୬ମାସ ହେବ ଏସ୍ସିବି ଭଳି ମେଡିକାଲ କଲେଜ ଏଭଳି ଦ୍ବୈତ ଦାୟିତ୍ବରେ ଚାଲିଛି। ଏପଟେ ଏମ୍କେସିଜି ମେଡିକାଲ କଲେଜ ବ୍ରହ୍ମପୁରର ଅବସ୍ଥା ବି ସମାନ। ଡିନ୍ ତଥା ଅଧ୍ୟକ୍ଷ ଥିବା ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ରଙ୍କୁ ଡିଏମ୍ଇଟି ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଲେ। କିନ୍ତୁ ତାଙ୍କ ସ୍ଥାନରେ କାହାରିକୁ ନିଯୁକ୍ତି ନ ଦେଇ ଏମ୍କେସିଜିର ଅଧୀକ୍ଷକ ଦାୟିତ୍ବରେ ଥିବା ପ୍ରଫେସର୍ ଡାକ୍ତର ସୁଚିତ୍ରା ଦାସଙ୍କୁ ଅତିରିକ୍ତ ଭାବେ ଅଧ୍ୟକ୍ଷ ଦାୟିତ୍ବ ଦେଇଛନ୍ତି। ୮ମାସରୁ ଅଧିକ ହେଲା ଏମ୍କେସିଜିରେ ବି ଏହିଭଳି କାମଚଳା ବ୍ୟବସ୍ଥା ଜାରି ରହିଛି। ସେହିପରି କୋରାପୁଟ ମେଡିକାଲ କଲେଜର ଡିନ୍ ତଥା ଅଧ୍ୟକ୍ଷ ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ଅଧୀକ୍ଷକ ଥିବା ପ୍ରଫେସର ଡାକ୍ତର ସୁଶାନ୍ତ କୁମାର ସାହୁଙ୍କୁ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। କଳାହାଣ୍ଡି ମେଡିକାଲ କଲେଜରେ ମଧ୍ୟ ଅଧୀକ୍ଷକ ପଦ ଖାଲିପଡ଼ିଛି। ସେଠାରେ ଅଧ୍ୟକ୍ଷଙ୍କୁ ଦ୍ବୈତ ଦାୟିତ୍ବ ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ସହ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହେଉଛି।