କଟକ: ଅବକାରୀ ବିଭାଗରେ ସ୍ଥାୟୀ କମିସନର ନାହାନ୍ତି। ଡିଏସ୍‌ପିରୁ ଡେପୁଟି କମିସନର ଯାଏଁ ଅନେକ ପଦବି ଖାଲି ପଡ଼ିଥିବା ବେଳେ ନିଯୁକ୍ତି ସଂକ୍ରାନ୍ତରେ ନିଷ୍ପତ୍ତି ହୋଇପାରୁ ନାହିଁ। ଇନ୍‌ସ୍ପେକ୍ଟର ପାହ୍ୟାରୁ ଡିଏସ୍‌ପି ପାହ୍ୟା ପାଇଁ ପଦୋନ୍ନତି ବୋର୍ଡ ବସିଥିବା ବେଳେ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଡିଏସ୍‌ପିରୁ ଏସ୍‌ପି ପାହ୍ୟାକୁ ପଦୋନ୍ନତି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ନିଯୁକ୍ତି ହେଉନାହିଁ। ଏସ୍‌ପିରୁ ଡେପୁଟି କମିସନର ପାହ୍ୟାକୁ ପଦୋନ୍ନତି ବିଜ୍ଞପ୍ତି ପ୍ରକାଶ ହୋଇଥିବା ବେଳେ ନିଯୁକ୍ତି ନାହିଁ। କେଉଁ ଅଦୃଶ୍ୟ କାରଣରୁ ଏ ପ୍ରକାର ସ୍ଥିତି ସୃଷ୍ଟି ହେଉଛି ତାହାକୁ ନେଇ ବିଭାଗରେ ଅସନ୍ତୋଷ ବଢ଼ିବାରେ ଲାଗିଛି। 

Advertisment

ଅବକାରୀ ବିଭାଗରେ ଜାନୁଆରିରେ ଇନ୍‌ସ୍ପେକ୍ଟର ପାହ୍ୟାରୁ ଡେପୁଟି ସୁପରିନ୍‌ଟେଣ୍ଡେଣ୍ଟ ପାହ୍ୟାକୁ ପ୍ରାୟ ୯ ଜଣଙ୍କ ପଦୋନ୍ନତି ସଂକ୍ରାନ୍ତ ବୋର୍ଡ ବସିଥିଲା। କିନ୍ତୁ ଏନେଇ ନିର୍ଦ୍ଦେଶନାମା ଜାରି ହେଲାନାହିଁ। ମାର୍ଚ୍ଚ ୨୯ରେ ୭ ଜଣ ଅବକାରୀ ଏସ୍‌ପିଙ୍କ ଡେପୁଟି କମିସନର ପାହ୍ୟାକୁ ପଦୋନ୍ନତି ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି ହୋଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଅବସର ଗ୍ରହଣ କରିଥିବା ବେଳେ ଦୁଇ ଡେପୁଟି କମିସନର ପଦବି ଖାଲିପଡ଼ିଛି। ଅବକାରୀ ବିଭାଗରେ ୮ଟି ମଞ୍ଜୁରିପ୍ରାପ୍ତ ଡେପୁଟି କମିସନର ପଦବି ରହିଛି। ଏମାନଙ୍କ ମଧ୍ୟରେ ଜଣେ ଓଏଏସ୍ କ୍ୟାଡର୍ ଓ ୭ ଜଣ ଅବକାରୀ କ୍ୟାଡର୍‌ର। ଏ ସବୁ ପଦବି ବି ଖାଲିପଡ଼ିଛି।

୩ ମାସ ହେଲା ନାହାନ୍ତି ସ୍ଥାୟୀ ଅବକାରୀ କମିସନର

ଜାନୁଆରିରେ ଜଣେ ଡେପୁଟି କମିସନର(ଅବକାରୀ କ୍ୟାଡର୍) ଡମ୍ବରୁଧର ଖଣ୍ଡା ଯୁଗ୍ମ କମିସନର ପଦବିକୁ ପଦୋନ୍ନତି ପାଇଥିଲେ। ଅବଶିଷ୍ଟ ପଦବିଗୁଡ଼ିକ ଏକ ବର୍ଷରୁ ଅଧିକ ହେବ ଖାଲିପଡ଼ିଛି। ଏଥିରୁ ୪ ଜଣ ଡେପୁଟି କମିସନର କଟକରେ ଅବକାରୀ କମିସନରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ ଅବଶିଷ୍ଟ ୪ ଜଣ ଡେପୁଟି କମିସନର ସମ୍ବଲପୁର ଉତ୍ତରାଞ୍ଚଳ ରେଞ୍ଜ(୧୩ ଜିଲ୍ଲା), କଟକ କେନ୍ଦ୍ରାଞ୍ଚଳ (୧୧ ଜିଲ୍ଲା), ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରେଞ୍ଜ (୯ ଜିଲ୍ଲା), ଓଡ଼ିଶା ରାଜ୍ୟ ପାନୀୟ ନିଗମକୁ ନିୟନ୍ତ୍ରଣ କରିଥାନ୍ତି। କିନ୍ତୁ ଏହି ପଦବିଗୁଡ଼ିକ ଖାଲି ପଡ଼ିଥିବାରୁ ଅବକାରୀ ମାମଲାର ନିୟମିତ ତଦାରଖ 
ହୋଇପାରୁନାହିଁ। କାମଚଳା ଢଙ୍ଗରେ ଜଣେ ଯୁଗ୍ମ କମିସନର ରାଜେନ୍ଦ୍ର ଭତ୍ରା କେନ୍ଦ୍ରାଞ୍ଚଳ, ଉତ୍ତାରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଦାୟିତ୍ବରେ ଅତିରିକ୍ତ ଭାବେ ଅଛନ୍ତି।

ଏପ୍ରିଲ ୧୭ରେ ଡେପୁଟି ସୁପରିନ୍‌ଟେଣ୍ଡେଣ୍ଟରୁ ସୁପରିନ୍‌ଟେଣ୍ଡେଣ୍ଟ(ଏସ୍‌ପି) ପାହ୍ୟାକୁ ୧୩ ଜଣ ଅବକାରୀ ଅଧିକାରୀଙ୍କର ପଦୋନ୍ନତି ହେଲା। ଏହି ଡେପୁଟି ସୁପରିନ୍‌ଟେଣ୍ଡେଣ୍ଟମାନେ ଜିଲ୍ଲାରେ ୩ ବର୍ଷ ବିତାଇ ସାରିଲେଣି। କିନ୍ତୁ ଏଯାଏଁ ସେମାନଙ୍କୁ ନିଯୁକ୍ତି ମିଳୁନାହିଁ। ରାଜ୍ୟରେ ୪୬ଟି ମଞ୍ଜୁରିପ୍ରାପ୍ତ ଅବକାରୀ ଏସ୍‌ପି ପଦବି ଥିବାବେଳେ ଏବେ ମାତ୍ର ୨୫ ଜଣ ଅଛନ୍ତି।  ୩୩ଟି ଅବକାରୀ ଜିଲ୍ଲାରେ ୨୨ଜଣ ଏସ୍‌ପି ଅଛନ୍ତି। ୧୧ ଅବକାରୀ ଜିଲ୍ଲାରେ ଡିଏସ୍‌ପିମାନେ ଭାରପ୍ରାପ୍ତ ଏସ୍‌ପି ଭାବେ କାମ ତୁଲାଉଛନ୍ତି। ଅବକାରୀ କମିସନର ପଦବି ବି ଏବେ ଖାଲିପଡ଼ିଛି। ନରସିଂହ ଭୋଳ ମାର୍ଚ୍ଚ ୬ ତାରିଖ ଯାଏଁ ଅବକାରୀ କମିସନର ଦାୟିତ୍ବ ତୁଲାଉଥିଲେ। ତାଙ୍କୁ କମିସନରେଟ୍ ପୁଲିସର ଅତିରିକ୍ତ ପୁଲିସ କମିସନର ଭାବେ ବଦଳି କରାଯିବା ପରେ ତାଙ୍କ ସ୍ଥାନରେ ଅବକାରୀ ବିଭାଗର ଅତିରିକ୍ତ କମିସନର ଧର୍ମେନ୍ଦ୍ର ମଲ୍ଲିକଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। କିନ୍ତୁ ଜଣେ ସ୍ଥାୟୀ ଅବକାରୀ କମସିନର ରାଜ୍ୟ ସରକାର ଏଯାଏଁ ନିଯୁକ୍ତି ଦେଇନାହାନ୍ତି।