କଟକ : ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲସ୍ ଟେକ୍ନୋଲୋଜି (ଆଇଏମଏମଟି)ର ନିର୍ଦ୍ଦେଶକ ପଦକୁ ନେଇ ରୁଜୁ ଜନସ୍ୱାର୍ଥ ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ପ୍ରତିଜବାବ ଦାଖଲ କରାଯାଇଛି। ଆବେଦନକାରୀ ନ୍ୟାସନାଲିଷ୍ଟ ଲୟର୍ସ ଫୋରମର ଯୁଗ୍ମ ସଂପାଦକ ତାପସ କୁମାର ଦ୍ୱିବେଦୀଙ୍କ ପକ୍ଷରୁ ଦାଖଲ ପ୍ରତିଜବାବ ସତ୍ୟପାଠରେ ଦର୍ଶାଯାଇଛି ଯେ ଆଇଏମଏମଟି ନିର୍ଦ୍ଦେଶକ ନିଯୁକ୍ତି ପ୍ରସଂଗରେ ରିକ୍ରୁଟମେଣ୍ଟ ରୁଲ୍ସ ଫର ଦି ପୋଷ୍ଟ ଅଫ୍ ଡାଇରେକ୍ଟର, ୨୦୦୮ର ଉଲ୍ଳଂଘନ କରାଯାଇଥିଲା। ବେଆଇନ୍ ଭାବେ ନିର୍ଦ୍ଦେଶକଙ୍କ ପଦର କାର୍ଯ୍ୟକାଳ ଅବଧି ୬ ବର୍ଷ ବୃଦ୍ଧି ପାଇଁ ୨୦୧୧, ନଭେମ୍ବର ୨୮ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ପ୍ରସଂଗରେ ସମସ୍ତ ନିୟମ ଓ ଆଇନକୁ ଉଲ୍ଲଂଘନ କରାଯାଇଥିବା ବେଳେ ପ୍ରତିପକ୍ଷ ନିଜ ଜବାବରେ ଏହା ଅସ୍ୱୀକାର କରିଛନ୍ତି। ଏପରି ପରିସ୍ଥିତିରେ ପ୍ରତିପକ୍ଷଙ୍କ ଜବାବ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଘନଶ୍ୟାମ ନାମତୋଆର ମାମଲା ପରିଚାଳନା କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଯୋଗ୍ୟ ଯେ ଆଇଏମଏମଟି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ସରିବା ପରେ ତାଙ୍କୁ ସିଏସ୍ଆଇଆରରେ ସାଇଣ୍ଟିଷ୍ଟ-ଏଚ୍ ଭାବେ ଅବସ୍ଥାପିତ କରାଯାଇଥିଲା। ତାଙ୍କୁ ସାଇଣ୍ଟିଷ୍ଟ-ଇନ୍-ଡାଇରେକ୍ଟର ଗ୍ରେଡ୍ ପଦରେ ନିଯୁକ୍ତି ପ୍ରଦାନ କରାଯାଇଥିବା ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିଲା। ଆଇଏମଏମଟିର ପୃଷ୍ଠପୋଷକ କେନ୍ଦ୍ର ସରକାରଙ୍କ ସିଏସ୍ଆଇଆର ହୋଇଥିବା ବେଳେ ନିର୍ଦ୍ଦେଶକ ପଦରେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ କର୍ତ୍ତୃପକ୍ଷ ସମସ୍ତ ନିୟମ ଉଲ୍ଲଂଘନ କରି ଅବସ୍ଥାପିତ କରିଛନ୍ତି ବୋଲି ଅଭିଯୋଗ କରି ଏହି ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା।