ସ୍ମାର୍ଟସିଟିବାସୀଙ୍କୁ ରୋଗପ୍ରତିରୋଧକ ଶକ୍ତି ଚିନ୍ତା: ଘରେ ଘରେ ଭିଟାମିନ୍‌ ଟାବଲେଟ୍‌, କାଡା, ହୋମିଓପାଥିକ ଇମୁନ୍‌ ବୁଷ୍ଟର

ଅଧିକାଂଶ ଔଷଧ ଦୋକାନରେ ମିଳୁନି ଭିଟାମିନ୍‌ ଟାବଲେଟ୍‌

ରାଉରକେଲା: କାୟା ବିସ୍ତାର କରି ଚାଲିଛି ମହାମାରୀ କରୋନା। ସୁନ୍ଦରଗଡ ଜିଲ୍ଲାରେ ସଂଖ୍ୟା ଛୁଇଁଛି ୧୬୨୧। ଏମାନଙ୍କ ମଧ୍ୟରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛନ୍ତି ସ୍ମାର୍ଟ ସିଟି ରାଉରକେଲାରେ। ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ‌ନେଉଛନ୍ତି। ଏହା ସତ୍ବେ କରୋନା ସଂକ୍ରମଣରେ ବ୍ରେକ୍‌ ଲାଗି ପାରୁନି। ତେଣୁ କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ସ୍ମାର୍ଟସିଟିବାସୀଙ୍କୁ ଘାରିଛି ରୋଗପ୍ରତିରୋଧ ଶକ୍ତି (ଇମ୍ୟୁନିଟି ପାୱାର) ଚିନ୍ତା। ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ସମସ୍ତେ ଖାଦ୍ୟ ଅପେକ୍ଷା ବେଶି ଇମ୍ୟୁନିଟି ପାୱାରକୁ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ଘରେ ଘରେ ଚାଲିଛି କାଡା ପ୍ରସ୍ତୁତି। କେବଳ କାଡା ନୁହେଁ କିଣାଯାଉଛି ଭିଟାମିଟ୍‌ ଟାବଲେଟ୍‌, ହୋମିଓପାଥିକ ବୁଷ୍ଟର। ଫଳରେ ସହରରେ ଅଧିକାଂଶ ଔଷଧ ଦୋକାନରେ ଭିଟାମିଟ୍‌ ଟାବଲେଟ୍‌ ମିଳୁନାହିଁ। କେତେକ ସ୍ଥାନରେ ନିର୍ଦ୍ଧାରିତ ଦାମ ଠାରୁ ଅଧିକ ଟଙ୍କାରେ ବିକ୍ରି ହେଉଛି।

ଗତ କିଛି ଦିନ ହେବ ଭିଟାମିନ୍‌ ଟାବଲେଟ୍‌ ବିକ୍ରି ପୂ‌ର୍ବାପେକ୍ଷା ‌ଢ଼େର ବଢ଼ି ଯାଇଥିବା କିଛି ଔଷଧ ଦୋକାନୀ କହିଛନ୍ତି। ଭିଟାମିନ୍‌ ଟାବଲେଟ୍‌ ମଧ୍ୟ ରହିଛି ଭିଟାମିନ୍‌ –ସି, ଜିଙ୍କୋନିଆ-୫୦, ଜିଙ୍କୋଭିଟ୍‌, ବି –କୋଲେନ୍‌ ଡ୍ରପ୍‌, ବି- କୋଲେନ୍‌ ଟାବଲେଟ୍‌, ବିକୋସୁଲ, ସିଲିନ୍‌, ଲିନ୍‌ସି ଇତ୍ୟାଦି। ଅନୁରୂପ ଭାବେ ହୋମିଓପାଥିକ ଇମ୍ୟୁନିଟି ବୁଷ୍ଟର, କାଡା ପାଇଁ ଆବଶ୍ୟକ ଆୟୁର୍ବେଦିକ ସାମଗ୍ରୀ ବିକ୍ରି ମଧ୍ୟ ସେହି ପରିମାଣରେ ବିକ୍ରି ହେଉଛି। ନ୍ୟୁ ଭବନୀ ମେଡିକାଲ ଷ୍ଟୋର ବିଜିତ ବିଶ୍ବାଳ, ଚିନ୍ମୟ ମେଡିସିନ୍‌ ଷ୍ଟୋର ହିରୋଜ ରାୟ କହନ୍ତି, ପୂର୍ବରୁ ଭିଟାମିଟ୍‌ ଟାବଲେଟ୍‌ ଏତେଟା ଚାହିଦା ନଥିଲା। ଏବେ ଦୈନିକ ୪୦ରୁ ୫୦ ଷ୍ଟ୍ରିପ୍‌ ବିକ୍ରି ହେଉଛି। ଯେଉଁମାନେ ଔଷଧ କିଣିବାକୁ ଆସୁଛନ୍ତି ସେମାନେ ୨/୩ ଷ୍ଟ୍ରିପ୍‌ ଭିଟାମିନ୍‌ ଟାବଲେଟ୍‌ କିଣି ନେଉଛନ୍ତି। ଲୋକମାନେ ମାଗୁଥିବାରୁ ଆମେ ଅଧିକ ଭିଟାମିଟ୍‌ ଟାବଲେଟ୍‌ ରଖିବାକୁ ବାଧ୍ୟ ହେଉଛୁ। ଅନୁରୂପ ଭାବେ ଯେଉଁଠି ହୋମିଓପାଥିକ କ୍ଲିନିକ୍ ଓ ଔଷଧ ଦୋକାନରେ ସଦାସର୍ବଦା ଖାଁ ଖାଁ ଥିଲା ସେଠି ଏବେ ଲୋକଙ୍କ ଭିଡ ଜମୁଛି। ଡାଲଚିନ୍‌, ଲବଙ୍ଗ, ଗୁଜୁରାତି, ତେଜପତ୍ର, ଲେମ୍ବୁ, ଗୁଡ, ଅଦା, ତୁଳସୀ ପତ୍ର ମିଶ୍ରିତ କାଡାର ଚାହିଦା ମଧ୍ୟ କାହିଁରେ କ’ଣ।

ଚାହିଦା ଅନୁଯାୟୀ ଏବେ ସହର ପ୍ରତ୍ୟେକ ଦୋକାନରେ ଏସବୁ ଜିନିଷ ବିକ୍ରି ହେଉଛି। ହୋମିଓପାଥିକ କଳେଜ ପକ୍ଷରୁ ସହରରେ ୪୬ରୁ ଅଧିକ ସଂସ୍ଥା ମାଧ୍ୟମରେ ହୋମିଓପାଥିକ ଇ‌ମୁନୋ ବୁଷ୍ଟର ବଣ୍ଟନ କରାଯାଇଛି। ଅଦ୍ୟାବଧି ସହରରେ ୭୫ ହଜାର ଲୋକଙ୍କୁ ମାଗଣାରେ ବଣ୍ଟା ଯାଇଛି। ଜାତୀୟ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ (ଏନ୍‌ଆଇଟି) କର୍ମଚାରୀ ଓ ତାଙ୍କ ପରିବାର, ଓଏସ୍‌ଏପି ୪ର୍ଥ ବାଟାଲି୍ୟନର କରୋନା ଯୋଦ୍ଧା, ଜଗଦା ସାଂସ୍କୃତିକ ପରିଷଦ ପକ୍ଷରୁ ୪ ହଜାର, ଶକ୍ତି କ୍ଲବ, ପତଞ୍ଜଳି ଯୋଗ ସମିତି ପକ୍ଷରୁ ୪ ହଜାର, ବ୍ରହ୍ମକୁମାରୀ, ସେକ୍ଟର-୭ କ୍ଲବ, ଏନ୍‌ଏସ୍‌ପିସିଏଲ୍‌ କର୍ମଚାରୀ ଓ ତାଙ୍କ ପରିବାରକୁ ବଣ୍ଟନ କରାଯାଇଛି। ଏଥିସହ ପାୱାର ଗ୍ରୀଡ୍‌, ସେଣ୍ଟ୍ରାଲ ଏକ୍ସସାଇଜ୍‌, ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର କିଛି ବିଭାଗର କର୍ମଚାରୀ ଓ ତାଙ୍କ ପରିବାର, ନୟାବଜାର, ସହରରେ ଅଧିକାଂଶ ଘରୋଇ ସ୍କୁଲରେ ହୋମିଓପାଥିକ ଇମୋନ ବୁଷ୍ଟର ବଣ୍ଟନ କରାଯାଇଛି। ଇମ୍ୟୁନିଟି ପାୱାରକୁ ନେଇ ଡାକ୍ତରମାନେ ଭିନ୍ନ ଭିନ୍ନ ମତ ରଖିଛନ୍ତି। କେତେକ ଡାକ୍ତର ଭିଟାମିଟ୍‌ ଔଷଧ ଅପେକ୍ଷା ଭିଟାମିନ୍‌ ଯୁକ୍ତ ଖାଦ୍ୟ ଖାଇବା ସହ ପରିସ୍କାର ବିଶେଷ ଗୁରୁତ୍ବ ଦେବା ଉଚିତ ବୋଲି କହିଛନ୍ତି। ଆଉ କିଛି ଡାକ୍ତର ଇମ୍ୟୁନିଟି ପାୱାର ପାଇଁ ଭିଟାମିଟ୍‌ ଟାବଲେଟ୍‌, କାଡ଼ା, ହୋମିଓପାଥିକ ଇମ୍ୟୁନିଟି ବୁଷ୍ଟର ଖାଇବା ଦରକାର। କିନ୍ତୁ ଯେତିକି ଆବଶ୍ୟକ ‌ସେତିକି ଖାଆନ୍ତୁ ଅତ୍ୟଧିକ ଖାଇବା ଆଦୌ ଅନୁଚିତ। ଅତି ବେଶିରେ ଦିନକୁ ଗୋଟିଏ ଲେଖାଏଁ କରି ୪/୫ଟି ଭିଟାମିଟ୍‌ ଟାବଲେଟ୍‌ ଖାଅନ୍ତୁ। ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ବାହାର ଲୋକଙ୍କ ଗୁଜବରେ ଆଦୌ ବଶବର୍ତ୍ତୀ ହେବା ଉଚିତ୍‌ ବୋଲି ମତ ଦେଇଛନ୍ତି।

ଡାକ୍ତରମାନେ କ’ଣ କହନ୍ତି: ଆର୍‌ଜିଏଚ୍‌ର ଡାକ୍ତର କବି ଶତପଥୀ କହିଛନ୍ତି , ଅଳ୍ପ କିଛି ଟାବଲେଟ୍‌ ଖାଇଲେ ଭଲ। ମାତ୍ର ଅତ୍ୟଧିକ ଭିଟାମିଟ୍‌ ଟାବଲେଟ୍‌ ଖାଇବା ଅନୁଚିତ୍। ବଟିକା ଆକାରରେ ନ ଖାଇ ଫଳ,ମୁଗ ସମେତ ଯେଉଁ ଖାଦ୍ୟରୁ ଭିଟାମିଟ୍‌ ମିଳେ ସେହି ଖାଦ୍ୟ ଖାଇବା ଦରକାର। ଭେଷଜ ବିଶେଷଜ୍ଞ ଡାକ୍ତର ଦୁର୍ଗେଶ ସ କହନ୍ତି, ଯେତିକି ଆବଶ୍ୟକ ସେତିକି ଖାଇବା ଉଚିତ୍‌। ଅଧିକ ଖାଇଲେ ଦେହକୁ କ୍ଷତି ପହଞ୍ଚାଇ ପାରେ। ପରିଶ୍ରାବାଟ ଦେଇ ବାହାରି ଯା‌ଏ। ଭିଟାମିଟ୍‌ ଟାବଲେଟ୍‌ କିଛି ମାତ୍ରାରେ ଇମ୍ୟୁନିଟି ପାୱାର ବଢ଼ାଇବାରେ ସାହାଯ୍ୟ କରେ। ସୁଷମ ଖାଦ୍ୟ ଉପରେ ବିଶେଷ ଗୁରୁତ୍ବ ଦେବା ଦରକାର। ବ୍ୟାୟାମ କରିବା ସହ ପରିସ୍କାର ପରିଚ୍ଛନ୍ନକୁ ପ୍ରାଥମିକତା ଦେବା ଉଚିତ୍‌। ସେକ୍ଟର-୨୧ ନୟାବଜାର ସରକାରୀ ହୋମିଓପାଥିକ କଲେଜର ଅଧ୍ୟକ୍ଷ ଡାକ୍ତର ରତ୍ନାକର ପଣ୍ଡା କହିଛନ୍ତି ହୋମିଓପାଥିକ ଇମୁନୋ ବୁଷ୍ଟର କରୋନାକୁ ପ୍ରତିହତ ପାଇଁ ଦିଆଯାଉଛି। ଏଥିରେ କୌଣସି ପାର୍ଶ୍ବପ୍ରତିକ୍ରିୟା ନାହିଁ। ଦିନକୁ ସକାଳ ଓ ସଂଧ୍ୟାରେ ୩ ଦିନ ୪ଟି ଲେଖାଏଁ ଗୁଲି ଖାଲି ପେଟରେ ଖାଇବେ। ଏହାର ୧୫ ଦିନ ପରେ ପୂର୍ବ ଭଳି ଖାଇବେ। ସହରରେ ଯେମିତି ଅଧିକରୁ ଅଧିକ ଲୋକ ଖାଇବେ ସେଥିପ୍ରତି କଲେଜ ପକ୍ଷରୁ ପ୍ରୟାସ ଜାରି ରହିଛି।

ସମ୍ବନ୍ଧିତ ଖବର