ଭୁବନେଶ୍ୱର: ଶିଶୁମାନେ ଖୁସିରେ ରହିଲେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିବ । ଏକୁଟିଆ ରହିବା ଛୁଆମାନଙ୍କ ପାଇଁ ଏକ ପ୍ରକାର ଦଣ୍ଡ ବିଧାନ । କାରଣ ସେ ପରିବାର ଲୋକଙ୍କ ସହିତ ସବୁବେଳେ ରହିବାକୁ ଚାହାନ୍ତି । ତେଣୁ ପିଲାଙ୍କୁ ଘର ଭିତରେ ଖେଳିବା ଶିଖାଇବା ଦରକାର । ରାଜ୍ୟ ସରକାରଙ୍କ ତରଫରୁ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡ.ଅରବିନ୍ଦ ମହାନ୍ତି ଏହା କହିଛନ୍ତି । ସେ କହିଛନ୍ତି ଯେ, ଶିଶୁମାନଙ୍କର ରୋଗ ପ୍ରତଷେଧକ ଶକ୍ତି ଅଧିକ । କିନ୍ତୁ ସଂକ୍ରମିତ ପିଲାଙ୍କ ସହିତ ରହିଲା ବେଳେ ସତର୍କତା ଅବଲମ୍ବନ କରାଯିବା ଦରକାର ।
ରାଜ୍ୟ ସରକାର ଦ୍ୱାରା କୋଭିଡ ସଂପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଯୋଗ ଦେଇ ଡ. ଅରବିନ୍ଦ ମହାନ୍ତି କହିଛନ୍ତି, କରୋନା ଆକ୍ରାନ୍ତ ଶିଶୁ ମଧ୍ୟ ମା’ କ୍ଷୀର ଖାଇପାରିବେ । ମା’ମାନେ ମାସ୍କ ପିନ୍ଧି ସତର୍କତାର ସହିତ ନିଜ ପିଲାଙ୍କୁ ସ୍ତନ୍ୟପାନ କରାଇପାରିବେ । ବର୍ଷକରୁ କମ ଶିଶୁର ମୁଖ୍ୟ ଖାଦ୍ୟ ମା’ କ୍ଷୀର ହୋଇଥିବାରୁ ମା’ ମାନେ ସତର୍କତା ଅବଲମ୍ବନ କରିବା ଉଚିତ । ମା’କ୍ଷୀର ଖାଇଲେ ପିଲାର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । କରୋନା ସମୟରେ ମା’ କ୍ଷୀର ଶିଶୁ ପାଇଁ ଜରୁରୀ । ଏହା କରୋନା ମୁକାବିଲାରେ ସାହାଯ୍ୟ କରିଥାଏ । କିନ୍ତୁ ଯେଉଁ ମା’ କରୋନା ଆକ୍ରାନ୍ତ ହୋଇ ନଥିବେ, ସେ କରୋନା ଆକ୍ରାନ୍ତ ଶିଶୁକୁ ମଧ୍ୟ ସ୍ତନ୍ୟପାନ କରାଇପାରିବେ । ଏହା ଦ୍ୱାରା ଶିଶୁ ଖୁବ ଶୀଘ୍ର ସୁସ୍ଥ ହୋଇପାରିବ । କାରଣ ମା’ କ୍ଷୀର ହେଉଛି ପିଲାମାନଙ୍କ ପାଇଁ ସବୁଠାରୁ ବଡ଼ ପ୍ରତିରୋଧକ ଔଷଧ ଭଳି ।
ଡ. ମହାନ୍ତି କହିଛନ୍ତି, ଟିକା ଶିଶୁ ଦେହରେ ଆଣ୍ଟିବଡି ସୃଷ୍ଟି କରିଥାଏ । ଏହି ଟିକା ଶିଶୁ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଟିକା ନେଇ ନଥିବା ଶିଶୁର ରୋଗ ପ୍ରତିରୋଧକ ଶକ୍ତି କମ ଥାଏ । ସେହିଭଳି ଟିକା ନେଇ ନଥିବା ଶିଶୁଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି । ସବୁ ଛୁଆଙ୍କୁ ରୋଗମୁକ୍ତ କରିବା ଲାଗି ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଟିକା ରୋଗରୁ ମୁକ୍ତ ରଖିବା ସହିତ ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇ ଥାଏ । କିଛି ଆଣ୍ଟିବଡି ସୃଷ୍ଟି କରିଥାଏ । ତେଣୁ ପିଲାମାନଙ୍କୁ ଟିକା ଦିଆଯିବା ଦରକାର । କିଛି ଅଭିଭାବକଙ୍କ ଚିନ୍ତାଧାରା ଯେ, ସବୁ ସରକାରୀ ହସ୍ପିଟାଲରେ କରୋନା ଅଛି । କିନ୍ତୁ ଏହା ଭାବିବା ଭୁଲ । ସବୁ ଅଭିଭାବକ ପିଲାମାନଙ୍କୁ ସଠିକ ସମୟରେ ଟିକା ଦେଇ ନିରୋଗ ରଖନ୍ତୁ ।
୫ରୁ ୧୫ ମିନଟ ପର୍ଯ୍ୟନ୍ତ ସଂକ୍ରମିତ ବ୍ୟକ୍ତିଙ୍କ ପାଖରେ ରହିଲେ ଶିଶୁ ସଂକ୍ରମିତ ହେବାର ଆଶଙ୍କା ରହିଛି । ପିଲାମାନଙ୍କର ରକ୍ଷଣାବେକ୍ଷଣ ଯିଏ କରୁଛନ୍ତି, ସେମାନେ ସତର୍କ ରହିବା ଉଚିତ । ହାତ ଧୋଇବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା । ସେ ପରାମର୍ଶ ଦେଇଛନ୍ତି ଯେ, ପିଲାମାନେ ଏକାଠି ରହିଲେ ଖେଳିବେ । ଜଣେ ପିଲା ସଂକ୍ରମିତ ହୋଇଥିଲେ, ତା’ ସହିତ ଅନ୍ୟମାନେ ଖେଳିଥିବା ପିଲାଙ୍କୁ ମଧ୍ୟ ୧୪ ଦିନ ସଂଗରୋଧ ରଖିବା ଦରକାର । ଏହା ଦ୍ୱାରା କରୋନା ଠାରୁ ଦୂରରେ ରହିହେବ ।
ଡ. ମହାନ୍ତି କହିଛନ୍ତି, ବୟସ୍କମାନଙ୍କ ଭଳି ଛୁଆମାନେ ମଧ୍ୟ ପୃଥକବାସରେ ରହିପାରିବେ । କିନ୍ତୁ ତା’ର ରକ୍ଷଣାବେକ୍ଷଣ ପାଇଁ ସ୍ୱତନ୍ତ୍ର ଭାବେ ଜଣେ ଲୋକ ଦରକାର । ଏହା ମା’, ଜେଜେ ମା’ ଅଥବା ଶିଶୁକୁ ଅଧିକ ଭଲ ପାଉଥିବା ବ୍ୟକ୍ତି ହେଲେ ଭଲ । ଛୁଆମାନେ ଅଲଗା ରହି ଭିନ୍ନ ଏକ ଶୌଚାଳୟ ବ୍ୟବହାର କରିବା ଅସମ୍ଭବ । ସେଥିପାଇଁ ଘରଲୋକେ ବ୍ୟବହାର କରୁଥିବା ଶୌଚାଳୟକୁ ବାରମ୍ବାର ସାନିଟାଇଜ କରାଯିବା ଦରକାର ।
ବୟସ୍କମାନେ ନିଜେ ନିଜର ଯତ୍ନ ନେଇପାରୁଥିବାରୁ ଏକାନ୍ତରରେ ରହିପାରିବେ କିନ୍ତି ଶିଶୁ ପକ୍ଷରେ ଏହା ସମ୍ଭବ ହୋଇ ନଥିବାରୁ ତାକୁ ଯିଏ ଯତ୍ନ ନେବେ ସେ ମାସ୍କ ପିନ୍ଧିବେ, ହାତ ଧୋଇବେ ଓ ସାମାଜିକ ଦୂରତା ରକ୍ଷା କରିବେ । ଛୋଟ ଛୁଆ ମୁହଁ ବନ୍ଦ କରି ରଖିବାକୁ ଭଲ ପାଏ ନାହିଁ । ଯଦି ତାର ମାଁ ବୁଝାଇ ରଖିପାରିବେ ତାହା ଭଲ । ବର୍ଷକରୁ କମ ଛୁଆ ଶାରୀରିକ ଦୂରତା ରକ୍ଷା କରିବା ସବୁଠାରୁ ଭଲ ମାଧ୍ୟମ । ଏକ ବର୍ଷରୁ ୫ ବର୍ଷର ଛୁଆକୁ ବୁଝାଇ କରି ମାସ୍କ ପିନ୍ଧାଇପାରିଲେ ଭଲ ବୋଲି ଡ. ମହାନ୍ତି ପରାମର୍ଶ ଦେଇଛନ୍ତି ।