ଭୁବନେଶ୍ୱର: ସକ୍ରିୟ ଲଘୁଚାପର ପ୍ରଭାବରେ ଓଡ଼ିଶା ଉପକୂଳରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ବର୍ତ୍ତମାନ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ଖୋର୍ଦ୍ଧା, ଯାଜପୁର ଏବଂ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ଜାରି ରହିଥିବା ବେଳେ ଆଗାମୀ କିଛି ଘଣ୍ଟାରେ ଭୁବନେଶ୍ୱର-କଟକ ସହରରେ ବର୍ଷାର ପରିମାଣ ବଢିପାରେ।

Advertisment

ପୂର୍ବାହ୍ନ ୧୧ଟା  ପରେ ଅନୁଗୁଳ-ଢେଙ୍କାନାଳ ଓ ସନ୍ଧ୍ୟାରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।  ଆଜି ଓଡ଼ିଶାର ଚାରୋଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆଇଏମଡିର ପୂର୍ବାନୁମାନ ଅନୁସାରେ, ବୁଧବାର ଓଡ଼ିଶାର ଦେଓଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହି ଜିଲ୍ଲାଗୁଡ଼ିକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଅଞ୍ଚଳଗୁଡ଼ିକରେ ବଜ୍ରପାତ ସହିତ ବର୍ଷା ଏବଂ ପବନ ବହିବାର ମଧ୍ୟ ପୂର୍ବାନୁମାନ କରାଯାଇଛି।

ଏହା ବ୍ୟତୀତ ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କଟକ, କୋରାପୁଟ ଏବଂ ନବରଙ୍ଗପୁର ପାଇଁ ଏକ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି, ଯେଉଁଠାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହା ସହିତ, ବଲାଙ୍ଗୀର, ମୟୂରଭଞ୍ଜ, ନୟାଗଡ଼, ବୌଦ୍ଧ, ସୋନପୁର, ବରଗଡ଼ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ଝଡ଼ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ଗଜପତି, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ ରାୟଗଡ଼ାର କିଛି ସ୍ଥାନରେ  ଘଡ଼ଘଡ଼ି ସହିତ ବଜ୍ରପାତ ଏବଂ ଘଣ୍ଟା ପ୍ରତି ୩୦-୪୦କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ଆଇଏମଡି ସତର୍କ କରିଛି।

ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାର ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ଏବଂ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।

Low pressure | Bay of Bengal | Heavy Rain