କପିଳେନ୍ଦ୍ର ପ୍ରଧାନ
ଅନୁଗୁଳ: ଚରକ ସଂହିତା ଅନୁସାରେ ବନ୍ଧ୍ୟାଦୋଷ ଦୂର ଲାଗି ମହୌଷଧି ଭଳି କାମ କରେ ଶ୍ବେତଅରଖ ଚେର। କ୍ୟାନସର୍ ଓ ଡାଇବେଟିସ୍ ଭଳି ରୋଗର ଉପଚାର ପାଇଁ କେଉଁ କାଳରୁ ଗାଁ ଗଣ୍ଡାରେ ବ୍ୟବହାର ହେଉଥିଲା ବିଡ଼ଙ୍ଗ ଓ ବାଇବିଡ଼ଙ୍ଗ ଗଛର ପତ୍ର, ମଞ୍ଜି ଓ ଚେର। ହେଲେ କିଛି ବର୍ଷ ହେଲା ଓଡ଼ିଶାରୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଗଲାଣି ଶ୍ବେତଅରଖ, ବିଡ଼ଙ୍ଗ ଓ ବାଇବିଡ଼ଙ୍ଗ ଗଛ। ଆଗାମୀ କିଛି ବର୍ଷ ଭିତରେ ଆଉ ୪୧ଟି ଔଷଧୀୟ ବୃକ୍ଷ ବି ରାଜ୍ୟରୁ ସମ୍ପୂର୍ଣ୍ଣ ହଜିଯିବ।
ନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍)ର ରେଡ୍ ଲିଷ୍ଟେଡ୍ ସ୍ପେସିସ୍ ତାଲିକାରେ ସ୍ଥାନ ପାଇଥିବା ଏସବୁ ପ୍ରଜାତିର ଗଛର ସଂରକ୍ଷଣ ପାଇଁ ଢେର୍ ଦିନ ଆଗରୁ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ର(ଆର୍ପିଆର୍ସି) ରାଜ୍ୟ ସରକାରଙ୍କୁ ଅବଗତ କରିସାରିଛି। ବେଙ୍ଗାଲୁରୁସ୍ଥିତ ଫାଉଣ୍ଡେସନ୍ ଫର୍ ରିଭାଇଟାଲାଇଜେସନ୍ ଅଫ୍ ଲୋକାଲ ହେଲ୍ଥ ଟ୍ରାଡିସନ୍ସ ସହଯୋଗରେ ପ୍ରକାଶିତ ଏକ ରିପୋର୍ଟ କହୁଛି, ରାଜ୍ୟରେ ଏବେ କାଁ ଭାଁ ଦେଖାଯାଉଥିବା ଅଶୋକ, ବରୁଣ, ପାଞ୍ଚ ଆଙ୍ଗୁଳିଆ, ଓଡ଼ଶମାରୀ, ଗଜପିପଳି, ପଶାରୁଣି, ଲୋଧା, ଈଶ୍ବରଜଟା, ଶାଳପର୍ଣ୍ଣି, କୃଷ୍ଣପର୍ଣ୍ଣି, ନାଗବୋଳା ଭଳି ପ୍ରାୟ ୪୧ଟି ଔଷଧୀୟ ବୃକ୍ଷ ଓ ଗୁଳ୍ମ ବିଲୁପ୍ତ ହେବାକୁ ବସିଲାଣି। ହଜି ଆସୁଥିବା ଏସବୁ ବୃକ୍ଷ ଓ ଗୁଳ୍ମକୁ ଆଇୟୁସିଏନ୍ ରେଡ୍ ଲିଷ୍ଟେଡ୍ ସ୍ପେସିସ୍ ତାଲିକାରେ ସ୍ଥାନ ଦେଇଛି।
ଏନେଇ ବରିଷ୍ଠ ଉଦ୍ଭିଦ ବିଜ୍ଞାନୀ ତଥା ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ଗୌରୀଶଙ୍କର ଯୁଗପ୍ରକାଶ ଜେନା କହିଛନ୍ତି, ଏକଦା ଏସବୁ ବୃକ୍ଷ ମଧ୍ୟରୁ ପ୍ରାୟ ଅନେକ ପ୍ରଜାତି ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ସମେତ ମନ୍ଦରଗିରି, ମାଲ୍ୟଗିରି ଓ ପଞ୍ଚଧାରା ପର୍ବତରେ ଭରୁପୂର ମାତ୍ରାରେ ଦେଖିବାକୁ ମିଳୁଥିଲା। କିନ୍ତୁ ଜଳବାୟୁ ପରିବର୍ତ୍ତନ କାରଣରୁ ଏସବୁ ଔଷଧୀୟ ଗଛ ଏବେ ବିଲୁପ୍ତ ହେବାକୁ ଯାଉଛି। ଏବେ ଅଳ୍ପ କିଛି ପ୍ରଜାତିର ଔଷଧୀୟ ବୃକ୍ଷ ତିଷ୍ଠି ରହିଛି। ତେଣୁ ବିଲୁପ୍ତ ହେବାକୁ ଯାଉଥିବା ଏହି ଔଷଧୀୟ ବୃକ୍ଷକୁ କିଭଳି ସଂରକ୍ଷଣ କରାଯାଇପାରିବ, ତାହା ଉପରେ ଗୁରୁତ୍ବ ଦେବାର ସମୟ ଆସିଛି। ନଚେତ୍ ଆଗାମୀ ୧୦ ବର୍ଷ ଭିତରେ ହିଁ ଏହି ୪୧ ପ୍ରଜାତିର ଔଷଧୀୟ ବୃକ୍ଷ ରାଜ୍ୟରୁ ସମ୍ପୂର୍ଣ୍ଣ ହଜିଯିବ। ମନ୍ଦରଗିରି, ମାଲ୍ୟଗିରି ଓ ପଞ୍ଚଧାରା ପର୍ବତକୁ ଜୈବ ବିବିଧତା ଐତିହ୍ୟସ୍ଥଳୀ ଘୋଷଣା କରି ଔଷଧୀୟ ବୃକ୍ଷର ସଂରକ୍ଷଣ କରାଯିବା ଉଚିତ।
ସେହିପରି ପରିବେଶବିତ୍ ପ୍ରସନ୍ନ ବେହେରା କହିଛନ୍ତି, ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ସମେତ ବିଭିନ୍ନ ଜଙ୍ଗଲ ଓ ପାହାଡ଼ରେ ୧ ହଜାରରୁ ଅଧିକ ପ୍ରଜାତିର ଉଦ୍ଭିଦ ରହିଛି। ଏଠାରେ ଏବେ ବି ଅନେକ ଔଷଧୀୟ ବୃକ୍ଷ ରହିଛି। ଏହାର ଉପାଦେୟତା ନେଇ ସ୍ଥାନୀୟ ବରିଷ୍ଠ ଲୋକେ ଓ ଗାଁ ବଇଦମାନେ ବେଶ୍ ଅବଗତ। ଏଣୁ ସେମାନଙ୍କ ଜରିଆରେ ଔଷଧୀୟ ବୃକ୍ଷ ଚିହ୍ନଟ କରାଯାଇ ସଂରକ୍ଷଣ କରାଯିବା ଦରକାର। ସମୟକ୍ରମେ ହଜିଯାଉଥିବା ଏହି ଗାଁ ବଇଦମାନଙ୍କ ପାରମ୍ପରିକ ଜ୍ଞାନକୁ ମଧ୍ୟ ସଂରକ୍ଷଣ କରିବା ଦିଗରେ ସରକାର ପଦକ୍ଷେପ ନେବା ଉଚିତ। ଫଳରେ ଆଗାମୀ ପିଢ଼ି ଏହାର ଫାଇଦା ପାଇପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/03/sfsffsxccxc-2025-09-03-04-16-02.jpg)