ବାରିପଦା: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ବିପଦରେ ପଡ଼ିଛନ୍ତି ବାଦୁଡ଼ି। ଫିଲିଫାଇନ୍ସରେ ବହୁମାତ୍ରାରେ ଦେଖାଯାଉଥିବା ଗୋଲ୍ଡେନ୍ କ୍ୟାପ୍ଡ ଫ୍ରୁଟ୍ ବ୍ୟାଟ୍କୁ ବିଶ୍ବର ସବୁଠାରୁ ବଡ଼ ପ୍ରଜାତିର ବାଦୁଡ଼ି ବୋଲି କୁହାଯାଏ। ଏହି ବାଦୁଡ଼ିର ଆଖି ପାଖରୁ ମୁହଁ ଯାଏଁ ରଙ୍ଗ କଳା, ଆଖିପତା ନିକଟରୁ ବେକ ଯାଏଁ ସୁନେଲୀ ରଙ୍ଗର ପଟି ଓ ବେକ ପାଖରୁ ପାଦ ଯାଏଁ ଗାଢ଼କଳା-ଧୂସର ରଙ୍ଗର ଶରୀର। ଡେଣାର ରଙ୍ଗ ଗାଢ଼କଳା। ଏହି ରଙ୍ଗର ବାଦୁଡ଼ିମାନେ ଦେଖିବାକୁ ବେଶ୍ ସୁନ୍ଦର। ଏକଦା ବାରିପଦା ସହରର ଜୁବୁଲି ପାର୍କ ଓ ଗାନ୍ଧୀ ପାର୍କରେ ଥିବା ଗଛରେ ଏମାନେ ହଜାର ହଜାର ସଂଖ୍ୟାରେ ବସା କରି ରହୁଥିଲେ। ହେଲେ ମୟୂରଭଞ୍ଜ ଜିଲ୍ଲାରେ ଜଳବାୟୁ ପରିବର୍ତ୍ତନର ସାଂଘାତିକ ପ୍ରଭାବ ଯୋଗୁ ବିଗତ କିଛିବର୍ଷ ହେବ ଏହି ପ୍ରଜାତିର ବାଦୁଡ଼ିଙ୍କ ସଂଖ୍ୟା ହ୍ରାସ ପାଉଛି। ସ୍ଥିତି ଏମିତି ହେଲାଣି ଯେ; ଆଉ କେଇ ବର୍ଷ ଭିତରେ ଏହି ବାଦୁଡ଼ିଙ୍କ ବଂଶ ଏଠାରୁ ନିଶ୍ଚିହ୍ନ ହୋଇଯିବାର ଆଶଙ୍କା ପ୍ରକାଶ ପାଇଲାଣି।
ଜୁବୁଲି ପାର୍କ ଓ ଗାନ୍ଧୀ ପାର୍କ ନିକଟରେ ଥିବା ୧୫ଟି ଗଛରେ ବହୁବର୍ଷ ହେବ ଏହି ବିରଳ ପ୍ରଜାତିର ବାଦୁଡ଼ି ରହୁଛନ୍ତି। ନିକଟରେ ଏକାଧିକ ଛୋଟବଡ଼ ଜଳାଶୟ ରହିଥିବା ଯୋଗୁଁ ଏଠାକାର ପରିବେଶ ଏମାନଙ୍କୁ ସୁହାଉଥିଲା। ଜଳାଶୟ ପାଇଁ ଏଠିକାର ପରିବେଶ ଥଣ୍ଡା ରହୁଥିବାରୁ ନିକଟସ୍ଥ ଗଛରେ ବସା ବାନ୍ଧୁଥିଲେ। ହେଲେ ଗତ କିଛି ବର୍ଷ ହେବ ବାରିପଦା ସହରର ତାପମାତ୍ରା ବଢ଼ିଚାଲିଛି। ଗତବର୍ଷ ମେ’ ମାସରେ ସହରର ତାପମାତ୍ରା ୪୫ ଡିଗ୍ରି ଟପି ଯାଇଥିଲା। ସେଦିନ ବାରିପଦା ସହର ବିଶ୍ବର ସବୁଠୁ ଉତ୍ତପ୍ତ ସହର ହେବାର ଅଲୋଡ଼ା ରେକର୍ଡ କରିଥିଲା। ଆଉ ଏବେ ମାଘ ମାସରେ ଶୀତ ଉଭାନ ହୋଇଗଲାଣି। ଫେବ୍ରୁଆରି ଆରମ୍ଭରୁ ତାପମାତ୍ରା ୩୦ ଡିଗ୍ରି ଉପରେ ରହୁଛି। ଫଳରେ ଥଣ୍ଡା ପରିବେଶ ଖୋଜୁଥିବା ଏହି ବିରଳ ବାଦୁଡ଼ି ବଂଶ ବିନାଶ ଆଡ଼କୁ ଅଗ୍ରସର ହେଉଛି। ଏନେଇ ପରିବେଶବିତ୍ ଭାନୁମିତ୍ର ଅଚାର୍ଯ୍ୟ କହନ୍ତି, ଅପେକ୍ଷାକୃତ ଥଣ୍ଡା ପରିବେଶରେ ଥିବା ସୁଉଚ୍ଚ ଗଛକୁ ନିରାପଦ ବାସସ୍ଥାନ ଭାବେ ବାଛିଥାନ୍ତି ଏହି ପ୍ରଜାତିର ବାଦୁଡ଼ି। ହେଲେ, ଏବେ ଜଳବାୟୁ ପରିବର୍ତ୍ତନ ସେମାନଙ୍କ ପାଇଁ କାଳ ହେଉଛି। ସେହିପରି କିଛି ଲୋକ ଶ୍ୱାସରୋଗର ନିରାକରଣ ପାଇଁ ଏହି ବାଦୁଡ଼ିଙ୍କୁ ମାରି ଖାଇ ଦେଉଛନ୍ତି। ସେହିପରି ପରିବେଶବିତ୍ ବାସୁଦେବ ମହାପାତ୍ର କହିଛନ୍ତି, ଏହି ପ୍ରଜାତିର ବାଦୁଡ଼ିମାନେ ଫିଲିଫାଇନ୍ସରେ ଅଧିକ ଦେଖାଯାଉଥିବା ବେଳେ ଭାରତରେ କ୍ବଚିତ୍ ଦେଖାଯାଆନ୍ତି। ହେଲେ, ମୟୂରଭଞ୍ଜରେ ଏମାନଙ୍କ ବହୁଳ ଉପସ୍ଥିତି ଅତ୍ୟନ୍ତ ଖୁସିର କଥା। ତେଣୁ ଏମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାର ବେଳ ଆସିଛି। ସେହିପରି ଏସିଏଫ୍ ରବୀନ୍ଦ୍ର ମହାନ୍ତି କହିଛନ୍ତି; ଏବେ ଶୀତ ଦିନର ଅବଧି କମି କମି ଯାଉଛି। ଫଳରେ ଏହି ବାଦୁଡ଼ିଙ୍କ ଜୀବନ ବିପନ୍ନ ହେବାରେ ଲାଗିଛି। ତେବେ ଗଛରେ ଜଳ ସିଞ୍ଚନ କରି ପରିବେଶକୁ ଥଣ୍ଡା ରଖିବା ସହ ଏମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ।