ବୋଲଗଡ଼ : କରୋନା ହସ୍ତତନ୍ତ ଶିଳ୍ପକୁ ପ୍ରଭାବିତ କରିଛି। ଏବେ ବାହାରୁ ସୂତା ଆସିପାରୁନି। ବୁଣା ହୋଇଥିବା ବସ୍ତ୍ର ବିକ୍ରି ହୋଇପାରୁନି। ଅତ୍ୟନ୍ତ ଦୁର୍ଦ୍ଦିନରେ ଅଛନ୍ତି ବୁଣାକାର ପରିବାର।
/sambad/media/post_attachments/wp-content/uploads/2021/05/weaver.jpg)
ବୋଲଗଡ଼ ବ୍ଲକ୍ ଅଞ୍ଚଳରେ ରଙ୍ଗଣୀ ତନ୍ତୀ ଓ ପାଟରା ଭଳି ବର୍ଗର ଲୋକମାନେ ବୁଣାକାର ଭାବେ ନିଜର କୌଳିକ କାର୍ଯ୍ୟ କରୁଥିଲେ। ତେବେ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଅନେକ ଏହି କୌଳିକ କାର୍ଯ୍ୟ ଠାରୁ ଦୁରେଇ ଯାଉଛନ୍ତି। ବୋଲଗଡ଼ ବ୍ଲକ୍ ଅଞ୍ଚଳର ଦେଉଳି, ଦୁର୍ଗାପ୍ରସାଦ, ସାନପଦର, ସଁପୁର, ଧଳାପଥର, ଅସରଳା, ଆରିକମା, ସାଗରଗାଁ, ରାସୋଳ ଆଦି ଗ୍ରାମରେ ଅନେକ ବୁଣାକାର ପରିବାର ହସ୍ତତନ୍ତ ଓ ଶକ୍ତି ଚଳିତ ତନ୍ତରେ ବୁଣାକାର କାମ କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ଗାମୁଛା, ଲୁଙ୍ଗ, ଧୋତି, ଶାଢ଼ୀ, ପାଟ, ମଶାରୀ, ଚାଦର ଆଦି ବସ୍ତ୍ର ଗୁଡିକ ବୁଣାକାର ମାନେ ବୁଣିଥାନ୍ତି। ତେବେ ପରିଶ୍ରମ ତୁଳନାରେ ଏଥିପାଇଁ କମ୍ ମଜୁରି ମିଳୁଥିବାରୁ ବୁଣାକାର ମାନେ ବହୁ ଅସୁବିଧା ଭୋଗୁଛନ୍ତି। ବୁଣାକାର ପରିବାର ତନ୍ତୁ ସମବାୟ ସମିତି ଅଧୀନରେ କାର୍ଯ୍ୟ କରୁଥିବା ବେଳେ ଅନେକ ବ୍ୟକ୍ତିଗତ ଭାବେ ସୂତା କିଣି ଆଣି ବସ୍ତ୍ର ବୁଣି ବିକ୍ରୟ କରିଥାନ୍ତି। ସେହିପରି ଅନ୍ୟ କେତେକ ବୁଣା ମଜୁରି ପାଇଁ କାର୍ଯ୍ୟ କରୁଛନ୍ତି।
ହେଲେ କରୋନା ପାଇଁ ଲକ୍ଡାଉନ୍ ଫଳରେ ବୁଣାକାର ପରିବାରମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ବସ୍ତ୍ର ବୁଣିବା ପାଇଁ ବାହାରୁ ସୂତା ଆସିପାରୁ ନାହିଁ କିମ୍ବା ବୁଣାଯାଇଥିବା ବସ୍ତ୍ର ବିକ୍ରୟ ହୋଇପାରୁନି। ଫଳରେ ବୁଣାକାରମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ସରକାର ବୁଣାକାର ମାନଙ୍କୁ ସହାୟତାର ହାତ ବଢ଼ାଇବାକୁ ଦାବି ହେଉଛି।