ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ‘ଦାନା’ର ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢ଼ିବାରେ ଲାଗିଛି।
ଭୁବନେଶ୍ୱରରେ ପବନ ବେଗ ଘଣ୍ଟା ପ୍ରତି ୩୫ରୁ ୪୦ କିଲୋମିଟରରୁ ଅଧିକ ରହିବା ନେଇ ପାଣିପାଗ ସୂଚନା ରହିଛି। ଯାହା ବିମାନ ଉଡିବା ପାଇଁ ସୁରକ୍ଷିତ ନୁହେଁ।
ଗତକାଲି ରାତିରେ ଏ ନେଇ ଜରୁରୀକାଳୀନ ବୈଠକ ବସିଥିଲା। ତେଣୁ ଗୁରୁବାର ସନ୍ଧ୍ୟା ୫ ଟାରୁ ଆସନ୍ତାକାଲି ଶୁକ୍ରବାର ପୂର୍ବାହ୍ନ ୯ଟା ଯାଏଁ ବିମାନ ସେବା ବନ୍ଦ ରହିବ ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି। ଶୁକ୍ରବାର ସକାଳେ ବିମାନ ଉଡାଣ ହେବ କି ନାହିଁ ସେ ନେଇ ପୁଣି ସମୀକ୍ଷା ହେବ।
ପାଣିପାଗର ପରିବର୍ତ୍ତନ ଅନୁସାରେ ବିମାନ ଉଡାଣ କରାଯିବ କି ବନ୍ଦ ରହିବ ସେନେଇ ନିଷ୍ପତ୍ତି ନେବୁ। ଏହାଯୋଗୁ ୪୦ ବିମାନ ସେବା ପ୍ରଭାବିତ ହେବ। ସେଥିମଧ୍ୟରେ କିଛି ବିମାନ ଊଡାଣ ବନ୍ଦ ରହିବ। କିଛି ବିମାନର ଊଡାଣ ବିଳମ୍ବ ହେବ। କିଛି ବିମାନର ଉଡାଣ ରିସିଡ୍ୟୁଲ ହେବ ଅବା ଟିକେଟ କ୍ୟାନସଲ ହେବ ସେ ନେଇ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ।
ଯାତ୍ରୀଙ୍କ ସୁରକ୍ଷା ବଡ଼। ଏବେ ଦିଲ୍ଲୀ ହେଡ଼କ୍ୱାର୍ଟର ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମନିଟରିଂ କରୁଛନ୍ତି। ସେମାନେ ଏନେଇ ଆମକୁ ବୈଷୟିକ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ପରେ ଗାଇଡ଼ଲାଇନ ଅନୁସାରେ ପୁଣି ବିମାନ ସେବା ନେଇ ନିଷ୍ପତ୍ତି ନିଆଯିବ।
ଅନ୍ତର୍ଜାତୀୟ ବିମାନ ଉଡାଣ ଭାବେ ଗୁରୁବାର କୁଆଲାମପୁର ବିମାନ ସେବା ବି ବନ୍ଦ ରହିବ। ଯେଉଁମାନେ ଟିକେଟ କରିଛନ୍ତି, ବିମାନ କମ୍ପାନୀ ସମ୍ପୂର୍ଣ୍ଣ ରିଫଣ୍ଡ ଦେବେ କି ରିସିଡ୍ୟୁଲ କରିବେ ସେନେଇ ନିଷ୍ପତ୍ତି ହେବ। ଡିଜିସିଏ ନିୟମ ଆଧାରରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।