ଭୁବନେଶ୍ବର: ଗତକାଲିର ଲଘୁଚାପ ବଳୟ ଆଜି ଅଧିକ ଘନୀଭୂତ ହୋଇ ପଶ୍ଚିମ ମଧ୍ୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରର ରୂପ ନେଇଛି। ଏହା ଆଜି ରାତି ସୁଦ୍ଧା ଅଧିକ ବଳ ଗୋଟାଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ମଙ୍ଗଳବାର ମଧ୍ୟାହ୍ନ ସହ ଏହା ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ଲଘୁଚାପ ପ୍ରଭାବରେ ଗତକାଲି ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା ୨୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। 

Advertisment

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆଜି ସକାଳ ସାଢ଼େ ୮ଟାରୁ ସଂଧ୍ୟା ସାଢ଼େ ୫ଟା ଯାଏ ରାଜ୍ୟର ସର୍ବାଧିକ ବର୍ଷା କୋରାପୁଟଠାରେ ୬୪ ମିମି ବର୍ଷା ହୋଇଯାଇଛି। ସେହିଭଳି ପାରଳାଖେମୁଣ୍ଡିରେ ୪୯.୬ ମିମି, ନବରଙ୍ଗପୁରରେ ୩୩.୨ ମିମି ଓ ଢେଙ୍କାନାଳରେ ୨୬.୪ ମିମି ବର୍ଷା ହୋଇଯାଇଛି। ଆସନ୍ତାକାଲି ରାଜ୍ୟର ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ବଲାଙ୍ଗୀର ଓ ରାୟଗଡ଼ା ଜିଲ୍ଲାଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ। ଏଥିସହ ଉପକୂଳ ଓଡ଼ିଶାରେ ବି ବର୍ଷା ହେବ। ଏଣୁ ଏହି ସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଭଳି ଭାବେ ବର୍ଷା ସମ୍ଭବାନା ରହିଥିବା ପାଣିପାଗ କେନ୍ଦ୍ର କହିଛି।