ପୁନଶ୍ଚ ପୃଥିବୀ: ଜଳବାୟୁ ପରିବର୍ତ୍ତନର ପ୍ରଭାବ, ବିପଦରେ ଭିତରକନିକା

ମଠଆଡିଆରେ ୨ଶହ ବନି, ଗୁଆଁ ଗଛ ମରିଗଲା

ରାଜନଗର: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ବର ଦ୍ବିତୀୟ ବିସ୍ତାରିତ ଲୁଣା ଜଙ୍ଗଲ ଭିତରକନିକା ପ୍ରତି ବିପଦ ସୃଷ୍ଟି ହୋଇଛି। ଦେଶୀୟ ପକ୍ଷୀଙ୍କ ଆବାସସ୍ଥଳୀ ମଠଆଡିଆରେ ୨ଶହରୁ ଅଧିକ ଲୁଣା ଗଛ ମରିଯାଇଛି। ୩୦/୪୦ ବର୍ଷରୁ ଉର୍ଦ୍ଧ୍ବ ଏହି ଗଛ ଗୁଡିକ ମରିଯିବା ଉଦ୍‌ବେଗର କାରଣ ହୋଇଛି। ମଠଆଡିଆରେ ଲୁଣା ଗଛ ମରିବା ପରେ ଅବଶିଷ୍ଟ ଲୁଣା ଜଙ୍ଗଲ କିପରି ବଂଚି ରହିବ ଓ ସେଠାରେ ପୁଣି ପୂର୍ବାବସ୍ଥା ଫେରିବ, ସେ ନେଇ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି।

ଦେଶୀୟ ପକ୍ଷୀଙ୍କ ଆବାସସ୍ଥଳୀ ମଠଆଡିଆ। ୨୦୦୫ ମସିହାରୁ ମଠଆଡିଆରେ ଦେଶୀୟ ପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ୨୦୧୬ ମସିହାରୁ ବଗଗହନ ପରିବର୍ତ୍ତେ ଦେଶୀୟ ପକ୍ଷୀ ମଠଆଡିଆକୁ ନିଜର ଆବାସସ୍ଥଳ ବାଛି ନେଇଛନ୍ତି। ୩ ହେକ୍ଟର ପରିମିତ ମଠଆଡିଆରେ ଦେଶୀୟ ପକ୍ଷୀମାନେ କାଠିକୁଟା ସଂଗ୍ରହ କରି ବନି, ଗୁଆଁ ଓ ସୁନ୍ଦରୀ ଗଛରେ ବସା ବାନ୍ଧିବା ସହ ଅଣ୍ତା ଦେଇ ଛୁଆ ଫୁଟାଇଥାନ୍ତି। ଏହି ସ୍ଥାନକୁ ଜୁଆର ପାଣି ଆସି ଛାଡ଼ି ଯାଇଥାଏ। ଏଠାରେ ଦେଶୀୟ ପକ୍ଷୀଙ୍କ ପାଇଁ ଖାଦ୍ୟ ପର୍ଯ୍ୟାପ୍ତ ମିଳୁଥିବାରୁ ଦେଶୀୟ ପକ୍ଷୀ ଏହାକୁ ଆବାସସ୍ଥଳୀ ଭ‌ାବେ ବାଛି ନେଇଛନ୍ତି। ଦେଶୀୟ ପକ୍ଷୀମାନେ ଯେଉଁ କାଠି କୁଟାରେ ବସା ବାନ୍ଧିଥାନ୍ତି, ସେଗୁଡିକ ତଳେ ପଡ଼ି ସେହି ସ୍ଥାନରେ ଜମା ହେବା ଏବଂ ସେମାନଙ୍କ ମଳ ସେହି ସ୍ଥାନରେ ପଡିବା ଯୋଗୁଁ ମଠଆଡିଆକୁ ଆଉ ପୂର୍ବପରି ସମୁଦ୍ର ଜୁଆର ଆଉ ଯା’ଆସ କରୁନି।

ଗତ ୪/୫ ବର୍ଷ ହେଲା ମଠଆଡିଆକୁ ଆସୁଥିବା ଜୁଆର ପାଣି ହ୍ରାସ ପାଇ ଏବେ ସେ ସ୍ଥାନକୁ ପାଣି ମାଡ଼ିବା ବନ୍ଦ ହୋଇଯାଇଛି। ଜୁଆର ପାଣି ମାଡିବା ବନ୍ଦ ହୋଇଯିବା ପରେ ସେ ସ୍ଥାନର ଲବଣାକ୍ତ ପରିମାଣ ବୃଦ୍ଧି ପାଇବା ଯୋଗୁଁ ମଠଆଡିଆରେ ଲୁଣା ଜଙ୍ଗଲର ଅବକ୍ଷୟ ଆରମ୍ଭ ହୋଇଛି। ମଠଆଡିଆରେ ପ୍ରାୟ ୨ଶହରୁ ଅଧିକ ବନି ଓ ଗୁଆ ଗଛ ସମ୍ପୂର୍ଣ୍ଣ ମରି ଥୁଣ୍ଟା ହୋଇ ଛିଡା ହୋଇଛି। ଗତ ୪/୫ ବର୍ଷ ହେଲା ମଠଆଡିଆରେ ଗଛ ମରିବା ପକ୍ରିୟା ବା ଲୁଣା ଜଙ୍ଗଲର ଅବକ୍ଷୟ ପକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ପୂର୍ବରୁ ଥିବା ବନବିଭାଗର ବାବୁମାନେ ଏ ନେଇ ଦୃଷ୍ଟି ଦେଇ ନଥିଲେ। ସେ ସ୍ଥାନରେ ଲୁଣା ଜଙ୍ଗଲର ଅବକ୍ଷୟ ହେତୁ ଗତ ୨ବର୍ଷ ହେଲା ମଠଆଡିଆକୁ ଦେଶୀୟ ପକ୍ଷୀ ଆସୁଥିଲେ ମଧ୍ୟ ଅଧା ପକ୍ଷୀ ଲକ୍ଷ୍ମୀପ୍ରସାଦଡିଆ ଓ ଦୁର୍ଗାପ୍ରସାଦଡିଆରେ ବସା ବାନ୍ଧିବା ଆରମ୍ଭ କରିଛନ୍ତି। ଏପରିକି ମଠଆଡିଆ ଅଂଚଳରେ ଗିରିଆ ଗଛ ମାଡିଯିବା ଲୁଣା ଜଙ୍ଗଲ ଅବକ୍ଷୟର ଅନ୍ୟ ଏକ ଉଦାହରଣ।

ସମ୍ବନ୍ଧିତ ଖବର