ଭୁବନେଶ୍ବର: ଆଇପିଏଲ୍ରେ ଲାଗୁ କରାଯାଇଥିବା ନୂଆ ଇମ୍ପାକ୍ଟ ପ୍ଲେୟାର୍ ନିୟମକୁ ନେଇ କ୍ରିକେଟ୍ ଦୁନିଆ ସକରାତ୍ମକ ଭାବନା ରଖୁଛି। ଏହି ନିୟମ ଫଳରେ ଜଣେ ଅତିରିକ୍ତ ଖେଳାଳି ଚୂଡାନ୍ତ ଏକାଦଶରେ ଖେଳିପାରୁଛି। ଦଳର ଆବଶ୍ୟକତାକୁ ନେଇ ଜଣେ ଅଧିନାୟକ ଅଧିକ ଜଣେ ବ୍ୟାଟର୍ କିମ୍ବା ବୋଲରଙ୍କୁ ଠିକଣା ଭାବେ ବ୍ୟବହାର କରିପାରୁଛି। ଏହି ନିୟମ ଅଧିନାୟକକୁ ଆଉ ଦଳ ଚୟନ ବେଳେ ଦ୍ବନ୍ଦ୍ବରେ ରଖୁନାହିଁ। ଘରୋଇ କ୍ରିକେଟ୍ରେ ବିସିସିଆଇ ଏହାକୁ ପ୍ରୟୋଗ କରିବା ପରେ ଆଇପିଏଲ୍ରେ ଲାଗୁ କରିବା ଭଲ କଥା ବୋଲି ପ୍ରକାଶ କରିଛନ୍ତି ପୂର୍ବତନ ଖେଳାଳି ତଥା ଚୟନକର୍ତା ଶରଣଦୀପ ସିଂହ। ଜିଓସିନେମା ପାଇଁ ପଞ୍ଜାବୀ ଭାଷ୍ୟକାର ଭୂମିକାରେ ଥିବା ଏହି ପୂର୍ବତନ ସ୍ପିନର୍ କହିଛନ୍ତି ନୋ ବଲ୍ ଏବଂ ୱାଇଡ୍ ବଲ୍ ପାଇଁ ଡିଆର୍ଏସ ବ୍ୟବହାର କରାଯିବା ନିରପେକ୍ଷ ନିଷ୍ପତ୍ତିକୁ ପ୍ରୋତ୍ସାହିତ କରୁଛି।
ଏଥିରେ ଅଯଥା ସମୟ ଅପଚୟ କରାଯିବା ଅଭିଯୋଗ ଯଥାର୍ଥ ଯୁକ୍ତି ନୁହେଁ। ଚଳିତ ଆଇପିଏଲ୍ରେ ସ୍ପିନରଙ୍କ ଗୁରୁତ୍ବ ଅଧିକ ବଢ଼ିଛି ବୋଲି ମଧ୍ୟ ସେ ସ୍ବୀକାର କରିଥିଲେ। ଅଭିଜ୍ଞ ପୀୟୂଷ ଚାୱଲାଙ୍କ ପୁନଃ ଉତ୍ଥାନ କଥା ଉଦାହରଣ ଭାବେ ଦେଇଥିଲେ ଏହି ପଞ୍ଜାବୀ ସ୍ପିନର୍। ଏମ୍ଏସ୍ ଧୋନିଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରଶ୍ନ ହେବାରୁ ଶରଣଦୀପ ସିଧାସଳଖ କହିଥିଲେ ‘ଏମଏସ୍ଡିଙ୍କଠାରୁ ଏ ସମ୍ପର୍କରେ ଅଧିକ କେହି କହିପାରିବେ ନାହିଁ। ଫିଟନେସ୍ ସ୍ତରକୁ ବଜାୟ ରଖିବା ସହ ଧୋନି ଏବେ ବି ଦଳର ଅବିଛେଦ୍ୟ ଅଙ୍ଗ ହୋଇ ରହିଛନ୍ତି। ପୂର୍ବଭଳି ଛକା ମଧ୍ୟ ମାରୁଛନ୍ତି। ଚଳିତ ସଂସ୍କରଣ ଟ୍ରଫି ଜିତିବାକୁ କେଉଁ ଦଳ ଦାବିଦାର ବୋଲି ପ୍ରଶ୍ନ ହେବାରୁ ଭାରତ ପାଇଁ ୩ ଟେଷ୍ଟ୍ ଓ ୫ ଦିନିକିଆ ଖେଳିଥିବା ଶରଣଦୀପ କହିଥିଲେ ‘ସିଏସ୍କେ ମୋ ବ୍ୟକ୍ତିଗତ ପସନ୍ଦର ଦଳ, କିନ୍ତୁ ରାଜସ୍ଥାନ ରୟାଲ୍ସ ଯେଭଳି ଖେଳୁଛି ନିଶ୍ଚିତ ଦୃଢ଼ ଦାବିଦାର ରହିବ’।