ଜଳବାୟୁ ପରିବର୍ତ୍ତନର ପ୍ରଭାବ: ନିୟନ୍ତ୍ରଣରେ ଓଡ଼ିଶାର ବନାଗ୍ନି

ଏବର୍ଷ ଦକ୍ଷିଣ ଓଡ଼ିଶାର ଜଙ୍ଗଲ ଅଧିକ ପ୍ରଭାବିତ, ୩ ମାସରେ ଦେଶରେ ୪,୨୪୩, ଓଡ଼ିଶାରେ ୧୨୨

ଭୁବନେଶ୍ବର: ତିନି ବର୍ଷ ହେଲା ଓଡ଼ିଶାବାସୀଙ୍କୁ ଅସ୍ତବ୍ୟସ୍ତ କରୁଥିବା ଜଙ୍ଗଲ ନିଆଁ ଏଥର ନିୟନ୍ତ୍ରଣ ଭିତରେ ରହିଛି। ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବନାଗ୍ନି ପରିମାଣ କମ୍‌ ରହିଛି। ଦକ୍ଷିଣ ଓଡ଼ିଶାର ହାତଗଣତି ଜଙ୍ଗଲରେ ନିଆଁ ଲାଗିଥିଲେ ମଧ୍ୟ ତାହାକୁ ନିୟନ୍ତ୍ରଣ କରିବାରେ ସଫଳତା ମିଳିଥିବା କୁହାଯାଉଛି। ତେବେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚଳିତବର୍ଷର ଅନିୟମିତତା ବର୍ଷା ଓଡ଼ିଶାରେ ବଡ଼ଧରଣର ବନାଗ୍ନି ସୃଷ୍ଟି କରିପାରି ନାହିଁ ବୋଲି ପରିବେଶବିତ୍‌ମାନେ ଯୁକ୍ତି ବାଢ଼ିଛନ୍ତି।
‌ଜାନୁଆରି ପହିଲାରୁ ମାର୍ଚ୍ଚ ୨୮ ମଧ୍ୟରେ ସାରା ଦେଶରେ ୪,୨୪୩ଟି ବଡ଼ଧରଣର ବନାଗ୍ନି ଚିହ୍ନଟ ହୋଇଛି। ସେଥିମଧ୍ୟରୁ ଓଡ଼ିଶାରେ ୧୨୨ଟି ରହିଛି। ଓଡ଼ିଶା ତୁଳନାରେ କମ୍‌ ବନାଗ୍ନି ସୃଷ୍ଟି ହେଉଥିବା ରାଜ୍ୟଗୁଡ଼ିକରେ ଏଥର ଅଧିକ ନିଆଁ ସୃଷ୍ଟି ହୋଇଛି। ଏହି ତିନି ମାସ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୫୪୪ଟି ବନାଗ୍ନି ହୋଇଥିବା‌ ବେଳେ ମିଜୋରାମରେ ୪୪୦, ତେଲେଙ୍ଗାନାରେ ୪୩୭, ମହାରାଷ୍ଟ୍ରରେ ୩୭୩, ମଧ୍ୟପ୍ରଦେଶରେ ୩୬୨, ମଣିପୁରରେ ୨୬୭, କର୍ଣ୍ଣାଟକରେ ୨୪୦, ଆସାମରେ ୧୯୭, ଛତିଶଗଡ଼ରେ ୧୮୧, ନାଗାଲ୍ୟାଣ୍ଡରେ ୧୫୫, ଉତ୍ତରାଖଣ୍ଡରେ ୧୪୦, ରାଜସ୍ଥାନରେ ୧୨୩ଟି ବଡ଼ଧରଣର ବନାଗ୍ନି ଚିହ୍ନଟ କରାଯାଇଛି।

ଏବର୍ଷ ଦକ୍ଷିଣ ଓଡ଼ିଶାର ଜଙ୍ଗଲ ଅଧିକ ପ୍ରଭାବିତ
୩ ମାସରେ ଦେଶରେ ୪,୨୪୩, ଓଡ଼ିଶାରେ ୧୨୨
ଆଜିର ଓଡ଼ିଶାର ୯ଟି ସ୍ଥାନରେ ବଡ଼ଧରଣର ବନାଗ୍ନି

ଆଜି ଦିନରେ ଦେଶର ୨୬୪ଟି ଜଙ୍ଗଲରେ ବଡ଼ଧରଣର ବନାଗ୍ନି ନଜରକୁ ଆସିଛି। ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ଯଥାକ୍ରମେ ୬୫ ଓ ୬୧ଟି ବନାଗ୍ନି ରହିଥିବା ବେଳେ ଓଡ଼ିଶାରେ ମାତ୍ର ୯ଟି ଚିହ୍ନଟ କରାଯାଇଛି। ଅପରାହ୍ଣ ସାଢ଼େ ଗୋଟାଏ ସୁଦ୍ଧା ମାଲକାନଗିରି ଜିଲ୍ଲାର ଅକ୍କୁର ବିଟ୍‌, ସୋମନାଥପୁର ବ୍ଲକ ବିଟ୍‌ ଓ ଗୋବିନ୍ଦପାଲ୍ଲୀ ବ୍ଲକ ବିଟ୍‌ରେ ବଡ଼ଧରଣର ବନାଗ୍ନି ରେକର୍ଡ ହୋଇଛି। ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ବ୍ଲକ ବିଟ୍‌, କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ବିଟ୍‌, କନ୍ଧମାଳ ଜିଲ୍ଲାର ଗୁମପଦର ବିଟ୍‌ ଓ ବୁଡ଼ାଗୁଡ଼ ବ୍ଲକ ବିଟ୍‌, ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ବିଟ୍‌ରେ ଆଜି ହିଁ ନିଆଁ ଲାଗିଥିବା ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ତିଆ ରିପୋର୍ଟରେ କୁହାଯାଇଛି। ତିନି ମାସରେ ଚିହ୍ନଟ ହୋଇଥିବା ଜଙ୍ଗଲ ନିଆଁକୁ ସମୀକ୍ଷା କଲେ ଜଣାପଡ଼ୁଛି ଯେ ଏଥର ଦକ୍ଷିଣ ଓଡ଼ିଶାରେ ଜଙ୍ଗଲ ନିଆଁ ଅଧିକ ରହିଛି। ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ପାଣିପାଗରେ ଅନିୟମିତତା ଯୋଗୁଁ ଏଥର ଗ୍ରୀଷ୍ମ ଆରମ୍ଭରୁ ଉତ୍ତର ଓ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ଲାଗିରହିଛି। ବେଳେବେଳେ ମଧ୍ୟମରୁ ପ୍ରବଳ ବର୍ଷା ହେବାରୁ ଜଙ୍ଗଲ ଉପରେ ତାହାର ପ୍ରଭାବ ପରିଲକ୍ଷିତ ହୋଇଛି। ଶିମିଳିପାଳ ସମେତ ଉତ୍ତର ଓଡ଼ିଶାର ଅଧିକାଂଶ ଜଙ୍ଗଲରେ ବର୍ଷା ହେଉଥିବାରୁ ନିଆଁର ପ୍ରକୋପ ସେତେଟା ପରିଲକ୍ଷିତ ହେଉନି। ଏହାଦ୍ବାରା ବହୁ ବନ୍ୟଜନ୍ତୁ ଓ ବୃକ୍ଷଲତାକୁ ସୁରକ୍ଷିତ ରଖାଯାଇ ପାରିଛି। ତେବେ ଆଗକୁ ଖରା ହେଲେ ନିଆଁର ପ୍ରକୋପ ବଢ଼ିପାରେ। ତାହାର ମୁକାବିଲା କରିବାକୁ ବନ ବିଭାଗ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି ବୋଲି ପରିବେଶବିତ୍‌ ଦ୍ବାରିକାନାଥ ସେନାପତି ମତପ୍ରକାଶ କରିଛନ୍ତି।

ପିସିସିଏଫ୍‌(ଜେନେରାଲ) ଦେବୀଦତ୍ତ ବିଶ୍ବାସ ଗତ ସପ୍ତାହରେ କହିଥିଲେ ‌ଯେ ଜଙ୍ଗଲରେ ସୃଷ୍ଟି ହେଉଥିବା ନିଆଁ ରୋକିବାକୁ ସ୍କ୍ବାଡ୍‌ ଷ୍ଟାଫ୍‌ ରହିଛନ୍ତି। ଏହାବ୍ୟତୀତ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ୧୦ ହଜାର ଗାର୍ଡଙ୍କ ମୋବାଇଲ୍‌ ନମ୍ବରକୁ ଏକ ପୋର୍ଟାଲରେ ସାମିଲ କରାଯାଇଛି। ବନାଗ୍ନି ସମ୍ପର୍କିତ ଆଲର୍ଟ ଆସିବା କ୍ଷଣି ବନ କର୍ମଚାରୀଙ୍କୁ ପଠାଇ ଦିଆଯାଉଛି। ଏହାଦ୍ବାରା ବନ କର୍ମଚାରୀଙ୍କ ଦାୟିତ୍ବ ବଢ଼ିଛି। ୨୦୨୩ରେ ୯୯% ବନାଗ୍ନିକୁ ଆମେ ତୁରନ୍ତ ନିୟନ୍ତ୍ରଣ କରିପାରିଥିଲୁ। ଚଳିତବର୍ଷ ଏବେ ସୁଦ୍ଧା ୯୮% ସଫଳତା ମିଳିଛି। ସବୁ ଜଙ୍ଗଲରେ ବନାଗ୍ନି ରୋକିବାକୁ ଫରେଷ୍ଟ ଲାଇନ୍‌ କରାଯିବା ସହ ଲୋକକଳା, ଲୋକନୃତ୍ୟ ଆଦି ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଥିବା ସେ‌ କହିଛନ୍ତି।

ସମ୍ବନ୍ଧିତ ଖବର