କଟକ : ବିଡିଏ, ସିଡିଏ ଓ ହାଉସିଂବୋର୍ଡ ନିକଟରୁ ଏକାଧିକ ପ୍ଲଟ ହାତେଇବା ଘଟଣାରେ ଟାସ୍କ ଫୋର୍ସ ରିପୋର୍ଟ ଆଧାରରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ସାନି ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗରେ ସାନି ସ୍ଥିତି କଣ ରହିଛି ସେ ନେଇ ଅବଗତ କରବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ହାଇକୋର୍ଟଙ୍କ ୨୦୨୧, ଡିସେମ୍ବର ୬ର ନିର୍ଦ୍ଦେଶ ପାଳନ କରି ରାଜ୍ୟ ସରକାରଙ୍କ ତରଫରୁ ୨୦୨୨, ମେ ୧୭ରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ଟାସ୍କ ଫୋର୍ସ ରିପୋର୍ଟ କାର୍ଯ୍ୟକାରୀ ପ୍ରସଂଗରେ ୨୦୨୨, ମେ ୧୧ରେ କଟକ ଭିଜିଲାନ୍ସ ସେଲ ଏସପି ଆକ୍ସନ ଟେକେନ୍ ରିପୋର୍ଟ ଦାଖଲ କରିଥିଲେ। ଏକାଧିକ ପ୍ଲଟ ଆବଣ୍ଟନ ସଂକ୍ରାନ୍ତୀୟ ୬୬୭ଟି ଫାଇଲ ତଦନ୍ତ ପାଇଁ ନିଆଯାଇଥିଲା। ୧୬୨ ଫାଇଲକୁ ନେଇ ୭୯ଟି ମାମଲା ରୁଜୁ କରାଯାଇଛି। ତଦନ୍ତ ପରେ ୧୦୪ଟି ଫାଇଲ ଫେରାଇ ଦିଆଯାଇଛି। ୪୦୧ଟି ଫାଇଲର ତଦନ୍ତ ପ୍ରସଂଗ ବିଚାରାଧୀନ ରହିଛି। କିନ୍ତୁ ଏପରି ଫାଇଲ ଗୁଡ଼ିକର ତଦନ୍ତ କେତେଦିନ ଭିତରେ ଶେଷ ହେବ ସେ ନେଇ ସମୟସୀମା କିଛି ସତ୍ୟପାଠରେ ଉଲ୍ଲେଖ କରାଯାଇ ନଥିବା ହାଇକୋର୍ଟରେ ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ଏହି ପ୍ରସଂଗରେ ଅତିରିକ୍ତ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସତ୍ୟପାଠରେ ସାନି ସ୍ଥିତି ନେଇ ଅବଗତ କରିବାକୁ ହାଇକୋର୍ଟ କହିବା ସହିତ ଏ ସଂପର୍କିତ ମାମଲାର ୨୦୨୩, ଏପ୍ରିଲ ୫କୁ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆର.ସି. ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ସିଡିଏ ଓ ବିଡିଏ ଓ ହାଉସିଂବୋର୍ଡରେ ପ୍ଲଟ୍/ଫ୍ଲାଟ୍ ଆବଣ୍ଟନରେ କେଳେଙ୍କାରୀ ଅଭିଯୋଗ ହେବା ପରେ ରାଜ୍ୟ ସରକାର ଏହାର ତଦନ୍ତ ପାଇଁ ଟାସ୍କଫୋର୍ସ ଗଠନ କରିଥିଲେ। ଟାସ୍କ ଫୋର୍ସ ଦାଖଲ କରିଥିବା ରିପୋର୍ଟରେ ସିଡିଏ/ବିଡିଏରେ ପ୍ଲଟ ଆବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଉଲ୍ଲେଖ କରାଯାଇଥିଲା। ବହୁ ବ୍ୟକ୍ତି/ପରିବାର ଚଞ୍ଚକତା କରି ଏକାଧିକ ପ୍ଲଟ ହାତେଇଥିବା ଜଣା ପଡ଼ିଥିଲା। ୧୯୯୫ ମସିହା ପରଠାରୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ଇଚ୍ଛାଧୀନ କୋଟାରେ ବିଡିଏ, ସିଡିଏ ଓ ହାଉସିଂବୋର୍ଡ ଆବଣ୍ଟନ କରିଥିବା ସମସ୍ତ ଘର/ପ୍ଲଟ/ଫ୍ଲାଟକୁ ବାତିଲ କରିବାକୁ ତାରା ଦତ୍ତ କମିଟି (ଟାସ୍କ ଫୋର୍ସ) ୨୦୧୪ରେ ରିପୋର୍ଟ ଦେଇଥିଲା। ଏହି ରିପୋର୍ଟ ଆଧାରରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା।