ସ୍କୁଲ ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍‌ ପାଠପଢ଼ାକୁ ଗୁରୁତ୍ବ: ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନର ଶୁଭାରମ୍ଭ

ଡିଇଓଙ୍କ ସହ ଆଲୋଚନା କଲେ ଗଣଶିକ୍ଷା ମନ୍ତ୍ରୀ, ଇ-ପିଟିଏମ୍‌ କରିବାକୁ ପରାମର୍ଶ

ଭୁବନେଶ୍ବର : ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷାଦାନ ଓ ଶିକ୍ଷଣ ଅଭିବୃଦ୍ଧି ମୂଲ୍ୟାୟନ ପାଇଁ ଓସେପା ଦ୍ବାରା ପ୍ରସ୍ତୁତ ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନ ପୋର୍ଟାଲ ଲୋକାର୍ପଣ ହୋଇଛି। ଗୁରୁବାର ପୂର୍ବାହ୍ନରେ ଭର୍ଚୁଆଲ୍‌ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହାକୁ ଉଦ୍‌ଘାଟନ କରି କହିଛନ୍ତି ଯେ କୋଭିଡ୍‌ ସମୟରେ ପିଲାମାନେ କେତେ ଶିକ୍ଷା ଲାଭ କଲେ, ତାହାର ଆକଳନ କରିବାରେ ଏହି ପୋର୍ଟାଲ ସହାୟକ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଉଚ୍ଚ ବିଦ୍ୟାଳୟ (ହାଇସ୍କୁଲ) ଶିକ୍ଷା କ୍ଷେତ୍ରରେ ନିଆଯାଉଥିବା ବୈପ୍ଳବିକ ପରିବର୍ତ୍ତନ ଯଥା ଡିଜିଟାଲ୍‌ ଶିକ୍ଷା, ସ୍ମାର୍ଟ କ୍ଲାସରେ ବିଶେଷ ସହାୟକ ହେବ। ଏହାଦ୍ବାରା ଉଭୟ ଜିଲ୍ଲା ଓ ରାଜ୍ୟସ୍ତରର ଶିକ୍ଷା ପ୍ରଶାସକ ଶିକ୍ଷଣ ଅଗ୍ରଗତିର ସମୀକ୍ଷା କରିପାରିବେ। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ସହ ଆଲୋଚନା କରି ମନ୍ତ୍ରୀ ଶ୍ରୀ ଦାଶ କହିଲେ, ଗତ ବର୍ଷ ବିଭିନ୍ନ ପ୍ରୟାସ ସତ୍ତ୍ବେ ରାଜ୍ୟର ସବୁ ପିଲାଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ସମ୍ଭବ ହୋଇନଥିଲା। ତୃଣମୂଳସ୍ତରର ପିଲାଙ୍କ ପାଖରେ କିପରି ଶିକ୍ଷା ପହଞ୍ଚାଯିବ, ତାହା ଆମର ମୂଳ ଲକ୍ଷ୍ୟ ହେବା ଆବଶ୍ୟକ। ଏ ଦିଗରେ ସମସ୍ତଙ୍କ ସହଯୋଗ ଲୋଡ଼ା।

ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ ବିଭାଗ ଦ୍ବାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିବା ସହ ଡ୍ରପ୍‌ଆଉଟ୍‌ ପିଲା ଏବଂ ପ୍ରବାସୀ (ମାଇଗ୍ରାଣ୍ଟ) ପିଲାଙ୍କୁ ସର୍ଭେ ମାଧ୍ୟମରେ ଠାବ କରି ମୁଖ୍ୟସ୍ରୋତକୁ ଆଣିବା ଉପରେ ଗୁରୁତ୍ବାରୋପ କରିଥିଲେ। ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଯୋଗଦେଇ ଦୂରଦର୍ଶନରେ ‘ଶିକ୍ଷା ଦର୍ପଣ’, ‘ରେଡିଓ ପାଠଶାଳା’, ହ୍ବାଟସ୍‌ଆପ୍‌ ମାଧ୍ୟମରେ ବିଭିନ୍ନ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଅନ୍‌ଲାଇନ୍‌ ପାଠପଢ଼ା ହେବ। ଜୁନ୍‌ ୨୧ରୁ ୟୁ-ଟ୍ୟୁବ୍‌ ମାଧ୍ୟମରେ ସମସ୍ତ ଶ୍ରେଣୀର ଶିକ୍ଷାଦାନ ପାଇଁ ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି।

ବୈଠକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ, ଶିକ୍ଷକ ନିଯୁକ୍ତି, ସାମଗ୍ରୀ କ୍ରୟ, ପାଣ୍ଠି ବିନିଯୋଗ ସାର୍ଟିଫିକେଟ୍‌ ଓ ଉନ୍ନତ ଶିକ୍ଷାଦାନ ଆଦି ଉପରେ ଆଲୋଚନା ହୋଇଛି। ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ବାବଦରେ ଚାଉଳ ଓ ଅର୍ଥରାଶି ଠିକ୍‌ ସମୟରେ ପ୍ରଦାନ ଉପରେ ଗୁରୁତ୍ବ ଦିଆଯାଇଥିଲା। କେତେକ ବିଦ୍ୟାଳୟରେ ହୋଇଥିବା ପୁଷ୍ଟି ବଗିଚା ଦେଖି ମନ୍ତ୍ରୀ ଶ୍ରୀ ଦାଶ ପ୍ରଶଂସା କରିବା ସହ ବର୍ଷା ଋତୁରେ ବ୍ୟାପକ ବୃକ୍ଷରୋପଣ ଉପରେ ଗୁରୁତ୍ବାରୋପ କରିଥିଲେ। ଛାତ୍ରଛାତ୍ରୀଙ୍କ ମୌଳିକ ଭାଷା ଓ ସାଂଖ୍ୟିକ ଜ୍ଞାନ ସମୃଦ୍ଧ ପାଇଁ ଗଣଶିକ୍ଷା ବିଭାଗ ଓ ସେଣ୍ଟର ସ୍କୋୟାର୍‌ ଫାଉଣ୍ଡେସନ୍‌ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। କରୋନା ସମୟରେ ଛାତ୍ରଛାତ୍ରୀ ଘରେ ରହୁଥିବାରୁ ପିତାମାତାଙ୍କ ସହଯୋଗ ନିମିତ ଇ-ପିଟିଏମ୍‌(ଭର୍ଚୁଆଲ୍‌ ମାଧ୍ୟମ)ରେ ଶିକ୍ଷକ ଓ ଅଭିଭାବକ ବୈଠକ କରିବା ପାଇଁ ପରାମର୍ଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର