ଜୁନ ୧୫ ଭିତରେ ସରିବ ନାଳ ସଫା, ମରାମତି
ଆସିବେ ଅଧିକ ଡାକ୍ତର, ରହିବ ଅତିରିକ୍ତ ଶଯ୍ୟା
ଚାଲିବ ଅତିରିକ୍ତ ୧୦ ଟ୍ରେନ୍
ପୁରୀ : କୋଭିଡ୍ଜନିତ କଟକଣା ପାଇଁ ଦୁଇବର୍ଷ ଧରି ଭକ୍ତମାନେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଦେଖିବାରୁ ବଞ୍ଚିତ ଅଛନ୍ତି। ଏଣୁ ଚଳିତବର୍ଷ ଅଧିକ ଭକ୍ତ ଆସିବେ, ଯାହା ସବୁବର୍ଷର ରଥଯାତ୍ରା ଭିଡ଼ର ରେକର୍ଡ ଭାଙ୍ଗିବ ବୋଲି ପୂର୍ବାନୁମାନ କରାଯାଉଛି। ସମାନ ଭିଡ଼ ସ୍ନାନଯାତ୍ରାରେ ବି ହେବ ବୋଲି ଆକଳନ କରାଯାଉଛି। ଏହାକୁ ଦୃଷ୍ଟିରେ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆଜି ରଥଯାତ୍ରା ଦ୍ବିତୀୟ ସମନ୍ବୟ ବୈଠକରେ ଏହାର ବିସ୍ତୃତ ସମୀକ୍ଷା କରାଯାଇଛି। ବୈଠକରେ ଭକ୍ତଙ୍କ ସୁବିଧାକୁ ସର୍ବାଧିକ ଗୁରୁତ୍ବ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଯାତାୟାତଠାରୁ ଆରମ୍ଭ କରି ରହିବା, ଖାଇବା, ପାନୀୟ ଜଳ, ରାସ୍ତାଘାଟ ଆଦିର ସୁବନ୍ଦୋବସ୍ତ ଉପରେ ନଜର ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ବୈଠକରେ ରଥକାଠ, ରଥ ନିର୍ମାଣ ସହ ରାସ୍ତାଘାଟ, ପାନୀୟ ଜଳ, ଯାତାୟାତ ଆଦିର ସମୀକ୍ଷା କରାଯାଇଥିଲା। ରେଳ ବିଭାଗ ପକ୍ଷରୁ ଯାତ୍ରୀ ଗମନାଗମନ ଉପରେ ସୂଚନା ଦେଇ କୁହାଯାଇଥିଲା ଯେ ଗତବର୍ଷ ଯେତିକି ଟ୍ରେନ୍ ଚାଲିଥିଲା, ଚଳିତବର୍ଷ ୧୦ଟି ଅତିରିକ୍ତ ଟ୍ରେନ୍ ଚାଲିବ। ଦୈନିକ ପ୍ରାୟ ୪୦ଟି ଟ୍ରେନ୍ ଚାଲିବ। ଯାତ୍ରୀଙ୍କ ପାଇଁ ୩୫ଟି ଅତିରିକ୍ତ ଟିକେଟ୍ କାଉଣ୍ଟର ଖୋଲାଯିବ। ପରିବହନ ବିଭାଗ ପକ୍ଷରୁ ଅତିରିକ୍ତ ୨ଶହ ବସ୍ ଚାଲିବାର ବ୍ୟବସ୍ଥା କରାଯାଇଥିବାବେଳେ ବସ୍, ଅଟୋଭଡ଼ାରେ ଲଗାମ ଲାଗୁନଥିବାରୁ ବୈଠକରେ ହୋ’ହଲ୍ଲା ହୋଇଥିଲା। ଏଦିଗରେ ଦୃଷ୍ଟି ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୭୦ଟି ଶଯ୍ୟା ରହିଥିବାବେଳେ ଆଇଡିଏଚ୍ରେ ପୂର୍ବରୁ କୋଭିଡ୍ ଡାକ୍ତରଖାନା ପାଇଁ ବ୍ୟବହାର ହେଉଥିବା ୧୦୦ ଶଯ୍ୟାକୁ ଭକ୍ତଙ୍କ ସୁବିଧାରେ ଲଗାଯିବ। ବିଶୃଙ୍ଖଳା ରୋକିବାକୁ ବଡ଼ଦାଣ୍ଡରେ ୧୦୮ ଆମ୍ବୁଲାନ୍ସ ଓ ଗ୍ରାମାଞ୍ଚଳରେ ବେସରକାରୀ ଆମ୍ବୁଲାନ୍ସ ଚାଲିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କଣ୍ଟ୍ରୋଲ ରୁମ ରହିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର, ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ ଡାକ୍ତର ମିଶି ରୋଗୀ ସେବା ଯୋଗାଇଦେବେ। ଶିଶୁ ଓ ମାତୃ ଚିକିତ୍ସାଳୟର ଲିଫ୍ଟ ବହୁଦିନରୁ ଅଚଳ ଥିବାରୁ ଏହାକୁ ନେଇ ମଧ୍ୟ ହୋ’ହଲ୍ଲା ହୋଇଥିଲା। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ପାଇଁ ଟ୍ୟାଙ୍କର ନିୟୋଜିତ ହେବ। ପାଣିର ମାନ ପରୀକ୍ଷା ପାଇଁ ସ୍ବତନ୍ତ୍ରଦଳ ନିୟୋଜିତ ହେବେ। ଷ୍ଟାଣ୍ଡ୍ପୋଷ୍ଟର ଆବଶ୍ୟକ ମରାମତି ସରିଥିବା ବେଳେ ଭକ୍ତ ତଥା ପର୍ଯ୍ୟଟକଙ୍କ ଗାଧୁଆ ପାଇଁ ଅସ୍ଥାୟୀ ଷ୍ଟାଣ୍ଡ୍ପୋଷ୍ଟର ବ୍ୟବସ୍ଥା କରାଯିବ।
ବୈଠକରେ ଉପସ୍ଥିତ ଥିବା ସ୍ଥାନୀୟ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସମଙ୍ଗ ଜଳଭଣ୍ଡାର ପ୍ରକଳ୍ପର ସୁରକ୍ଷା ଦାବି କରିଥିଲେ। ଏହାର ସୁରକ୍ଷା ବ୍ୟବସ୍ଥା ନ ଥିବାରୁ କୌଣସି ପରିସ୍ଥିତିରେ ଏହି ଜଳଭଣ୍ଡାର କାହାଦ୍ବାରା ବିଷକ୍ରିୟା ହେବାର ଆଶଙ୍କା ଥିବା ଅଭିଯୋଗ କରିଥିଲେ। ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ରୁ ୨୪ ଘଣ୍ଟିଆ ପାଣି ଆସୁନଥିବା ଅଭିଯୋଗ ହେବାପରେ ରାଜ୍ୟସ୍ତରରୁ ଏକ ସ୍ବତନ୍ତ୍ର ଦଳ ଆସି ସବୁ ଅବ୍ୟବସ୍ଥାର ଅନୁଧ୍ୟାନ କରିବେ ବୋଲି ଆଇନ ମନ୍ତ୍ରୀ ଶ୍ରୀ ଜେନା ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପଟେ ଜାତୀୟ ରାଜପଥ ବିଭାଗ, ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ମରାମତି କାମ ତ୍ବରିତ୍ ସାରିବାକୁ କୁହାଯାଇଛି।
ବୈଠକରେ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ନଗର ଉନ୍ନୟନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆର୍କେ ଶର୍ମା, ଆଇନ ବିଭାଗ ପ୍ରମୁଖ ସଚିବ ପ୍ରତାପ କୁମାର ପାତ୍ର, ବାଣିଜ୍ୟ ଓ ପରିବହନ ବିଭାଗ ସ୍ବତନ୍ତ୍ର ସଚିବ ମନୋଜ ମିଶ୍ର, ଗୃହ ବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା, ଦେବୋତ୍ତର କମିସନର ଶିଶିର କୁମାର ରଥ, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି ଡ. କେ. ବିଶାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/ratha-121.jpg)