ସୁରକ୍ଷିତ ଟ୍ରେନ୍ ଚଳାଚଳ ଉପରେ ପୂର୍ବତଟ ରେଳପଥର ଗୁରୁତ୍ୱ : ପ୍ରୟୋଗ ହେଲା ଦୁଇ ଅତ୍ୟାଧୁନିକ ଜ୍ଞାନକୌଶଳ

କର୍ମଚାରୀଙ୍କ ବାର୍ତ୍ତାଳାପ ରେକର୍ଡ କରୁଛି ଭଏସ୍ ଲଗର୍

ଭୁବନେଶ୍ୱର : ସୁରକ୍ଷିତ ଟ୍ରେନ୍ ଚଳାଚଳ ଦିଗରେ ଆଉ ଦୁଇପାଦ ଆଗକୁ ଯାଇଛି ପୂର୍ବତଟ ରେଳପଥ। ଦୁର୍ଘଟଣା ଏଡ଼ାଇବା ପାଇଁ ରେଳ ଷ୍ଟେସନ୍‌ରେ ଦୁଇ ପ୍ରକାର ବ୍ଲକ୍ ଇନ୍‌ଷ୍ଟ୍ରୁମେଣ୍ଟ୍ ବ୍ୟବହାର ହେଉଥିବା ବେଳେ ଟ୍ରେନ୍ ପରିଚାଳନାରେ ନିୟୋଜିତ ରେଳ ଅଧିକାରୀଙ୍କ ବାର୍ତ୍ତାଳାପ ରେକର୍ଡ ପାଇଁ ଡିଜିଟାଲ୍ ଭଏସ୍ ଲଗର୍ ଟେକ୍ନୋଲୋଜି ବ୍ୟବହାର କରାଯାଇଛି।

ଟ୍ରେନ୍‌କୁ ସୁପରିଚାଳନା କରିବାର ଏକ ସୁରକ୍ଷା ଉପକରଣ ହେଉଛି ବ୍ଲକ୍ ଇନ୍‌ଷ୍ଟ୍ରୁମେଣ୍ଟ୍। ଏହା ସମସ୍ତ ରେଳ ଷ୍ଟେସନ୍‌ରେ ଖଞ୍ଜା ଯାଇଥାଏ। ଦୁଇଟି ଲାଇନ୍ ଥିବା ରେଳ ଧାରଣାରେ ଡବଲ୍ ଲାଇନ୍ ବ୍ଲକ୍ ଇନ୍‌ଷ୍ଟ୍ରୁମେଣ୍ଟ୍(ଡିଏଲ୍‌ବିଆଇ) ଓ ଗୋଟିଏ ରେଳ ଧାରଣା ଥିବା ଲାଇନ୍‌ରେ ଟୋକନ୍‌ଲେସ୍ ବ୍ଲକ୍ ଇନ୍‌ଷ୍ଟ୍ରୁମେଣ୍ଟ୍(ଟିଏଲ୍‌ବିଆଇ) ଉପକରଣ ଖଞ୍ଜା ଯାଇଛି। ଏହି ଉପକରଣ ଯୋଗୁଁ ରେଳ ଧାରଣାରେ ଗୋଟିଏ ଟ୍ରେନ୍ ସୁରକ୍ଷିତ ସ୍ଥାନରେ ନ ପହଞ୍ଚିବା ପର୍ଯ୍ୟନ୍ତ ଅନ୍ୟ ଟ୍ରେନ୍‌କୁ ସେହି ଲାଇନ୍‌ରେ ଯିବାକୁ ଦେଇନଥାଏ। ଏହି ଉପକରଣକୁ ଅଯଥା ଓ ବେଆଇନ୍ ହସ୍ତକ୍ଷେପରୁ ରକ୍ଷା କରିବା ପାଇଁ ବ୍ଲକ୍ ଇନ୍‌ଷ୍ଟ୍ରୁମେଣ୍ଟରେ ଡବଲ୍ ଲକ୍ ବ୍ୟବସ୍ଥା ହୋଇଛି। ବ୍ଲକ୍ ଇନ୍‌ଷ୍ଟ୍ରୁମେଣ୍ଟ୍‌ରେ ଦୁଇଟି ଲକ୍‌ର ବ୍ୟବସ୍ଥା କରାଯାଇ ଟ୍ରେନ୍‌ରେ ଅପରେଟିଂ ବିଭାଗ ପାଖରେ ଗୋଟିଏ ଲକ୍ ରହୁଥିବା ବେଳେ ଅନ୍ୟଟି ସିଗ୍‌ନାଲ୍ ବ୍ୟବସ୍ଥା ଦେଖାଶୁଣା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ହାତରେ ରହିଥାଏ। ଏହାର ଆଉ ଏକ ବିଶେଷତ୍ୱ ହେଉଛି ବ୍ଲକ୍‌ର ଉପର କଭର୍‌କୁ କେହି କାଢ଼ିଲେ, ଡାଟା ଲଗର୍ ସହାୟତାରେ ତୁରନ୍ତ ଏକ ଏସ୍‌ଏମ୍‌ଏସ୍‌ ଯାଇ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ନିକଟରେ ପହଞ୍ଚିଯାଇଥାଏ। ଫଳରେ ତୁରନ୍ତ ବେଆଇନ୍ କାର୍ଯ୍ୟ ବିଷୟରେ ଜଣାପଡ଼ିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।

ଅନ୍ୟପକ୍ଷରେ ପୂର୍ବତଟ ରେଳପଥରେ ଭଏସ୍ ଲଗର୍‌ର ବ୍ୟବହାର କରାଯାଉଛି। ଏହି ଜ୍ଞାନକୌଶଳର ବିଶେଷତ୍ୱ ହେଲା ଯେ ଏହାଦ୍ୱାରା ଟ୍ରେନ୍ ପରିଚାଳନା ସମ୍ପର୍କିତ କଥାବାର୍ତ୍ତାକୁ ରେକର୍ଡ କରିଥାଏ। ଏହାକୁ ରେଳବାଇର ବ୍ଲାକ୍ ବକ୍ସ ବୋଲି କୁହାଯାଇପାରିବ। ଟ୍ରେନ୍ ପରିଚାଳନା ସମ୍ପର୍କରେ ଷ୍ଟେସନ୍ ମାଷ୍ଟର୍ ଓ ଷ୍ଟେସନ୍ ନିୟନ୍ତ୍ରକ ମଧ୍ୟରେ ବାର୍ତ୍ତାଳାପକୁ ଏହା ରେକର୍ଡ କରି ରଖିଥାଏ। ଏଥିସହ ଏଥିରେ ଟ୍ରେନ୍ ଚଳାଚଳ ପାଇଁ ବ୍ୟବହୃତ ବୈଦ୍ୟୁତିକ ଲାଇନ୍ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବାର୍ତ୍ତାଳାପ ରେକର୍ଡ କରାଯାଇପାରିବ। ଫଳରେ ଯଦି କୌଣସି ଦୁର୍ଘଟଣା ଘଟେ ତା’ହେଲେ ତଦନ୍ତ ସମୟରେ ବାର୍ତ୍ତାଳାପର ରେକର୍ଡିଂକୁ ବ୍ୟବହାର କରାଯାଇପାରିବ ଏବଂ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବାରେ ସହାୟତା କରିବ।

ସମ୍ବନ୍ଧିତ ଖବର