ନୂତନ ଷ୍ଟାର୍ଟଅପ୍‌ଙ୍କ ସହ ଆଲୋଚନା କଲେ ଏମ୍‌ଏସ୍‌ଏମ୍‌ଇ ସଚିବ: ଇ‌ଲେକ୍ଟ୍ରିକ୍‌ ଗାଡ଼ି ଉତ୍ପାଦନ ପାଇଁ ସରକାରଙ୍କ ଗୁରୁତ୍ବ

ଭୁବନେଶ୍ବର : ପରିବହନ ପାଇଁ ରାଜ୍ୟରେ ଇଲେକ୍ଟ୍ରିକ୍‌ ଗାଡ଼ି ଉତ୍ପାଦନ କରୁଥିବା ନୂତନ ଷ୍ଟାର୍ଟଅପ୍‌ମାନଙ୍କୁ ସରକାରୀ ସହାୟତା ପ୍ରଦାନରେ କୌଣସି ଅସୁବିଧା ହେବ ନାହିଁ। ଶନିବାର ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଭର୍ଚୁଆଲ୍‌ ଯୋଗେ ନୂତନ ଷ୍ଟାର୍ଟଅପ୍‌ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରି ଏପରି ପ୍ରତିଶ୍ରୁତି ଦେଇଛନ୍ତି। ଏହାସହିତ ନୂତନ ଉଦ୍ୟୋଗ ପ୍ରତିଷ୍ଠା କରିବାରେ କଣସବୁ ଅସୁବିଧା ରହିଛି, ତାକୁ ମଧ୍ୟ ଦୂର କରାଯିବ ବୋଲି କହିଛନ୍ତି।

ଆଲୋଚନା ବେଳେ ଶ୍ରୀ ସାହୁ କ, ଷ୍ଟାର୍ଟ୍‌ଅପ୍‌ମାନଙ୍କୁ ଜମି ଯୋଗାଣ, ବ୍ୟାଙ୍କ ଋଣ ସହାୟତା ପ୍ରଦାନ, ପଞ୍ଜୀକରଣରେ ଯଦି କିଛି ଅସୁବିଧା ଥାଏ, ତାହେଲେ ଆବଶ୍ୟକତା ଅନୁଯାୟୀ ଆଇନରେ ସଂଶୋଧନ କରାଯିବ। ଷ୍ଟାର୍ଟଅପ୍‌ମାନଙ୍କ ସହ ଆଲୋଚନା ବେଳେ ଆସୁଥିବା ଅଭିଯୋଗଗୁଡ଼ିକୁ ରେକର୍ଡ଼ କରାଯାଇଥିଲା। ୯ଟି ନୂତନ ଉଦ୍ୟୋଗୀମାନଙ୍କ ସହ ଆଲୋଚନା ହୋଇଥିଲା। ସେମାନେ ହେଲେ ସ୍କାଏ ରାଇଡର ହିମାଂଶୁ ଓ ନିରଞ୍ଜନ ପଣ୍ଡା, ୟୋ ୟୋ ରାଇଡର୍ସର ଲକ୍ଷ୍ମୀ ନାରାୟଣ, ଆଲ୍‌ଫା ଇଭିର ଚିନ୍ମୟୀ ପାତ୍ର, ସେସ୍ବା ଗ୍ଲୋବାଲ ସଲ୍ୟୁସନ୍‌ର ଜେ.ସ୍ବାଇଁ, ଆର୍କନସ୍‌ର ଯୁବରାଜ ହରିଚନ୍ଦନ ଓ ଓଁଜୟ ଇଭିର ଶ୍ରୀହର୍ଷ। ଏହି ସମସ୍ତ ଷ୍ଟାର୍ଟ୍‌ଅପ୍‌ ଇଲେକ୍ଟ୍ରିକ୍‌ ଗାଡ଼ି ଓଡ଼ିଶାରେ ଉତ୍ପାଦନ ପାଇଁ ଯୋଜନା ରଖିଛନ୍ତି। କେତେକ ଷ୍ଟାର୍ଟ୍‌ଅପ୍‌ ଜମିର ଆବଶ୍ୟକତା କଥା କହିଥିବାବେଳେ ଆଉ କେତେକ ଆର୍ଥିକ ସହଯୋଗ ଉପରେ ଅନୁରୋଧ କରିଥିଲେ।

ଏହି ଆଲୋଚନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ଶାସନ ସଚିବ ଉଦୟ ନାରାୟଣ ଦାସ, ସଂଯୋଜିକା ସଂଯୁକ୍ତା ବଢ଼ାଇ ପ୍ରମୁଖ ଯୋଗଦେଇଥିଲେ। ଏହି କ୍ରମରେ ପୂର୍ବରୁ କୃଷି ଓ ଆନୁସଙ୍ଗିକ କ୍ଷେତ୍ର, ସ୍ବାସ୍ଥ୍ୟସେବା, ବିଦ୍ୟାଳୟ ଓ ଗଣଶିକ୍ଷା କ୍ଷେତ୍ର ଉପରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର