ନବ ଦାସ ହତ୍ୟାକାଣ୍ଡ ଚାର୍ଜସିଟ୍‌ରେ ଚାଞ୍ଚଲ୍ୟକର ତଥ୍ୟ: ମାରିବା ପାଇଁ ସମଲେଶ୍ବରୀ ମନ୍ଦିରରେ ନେଇଥିଲା ଶପଥ

‘ଦାଦା’ ରାଗିଥିବା ଶୁଣି ଡରିଯାଇ ଚରମ ପଦକ୍ଷେପ ନେଇଥିଲା ଗୋପାଳ

କଟକ : ହତ୍ୟା କରିବା ପୂର୍ବରୁ ସମଲେଶ୍ବରୀ ମନ୍ଦିରରେ ଶପଥ ନେଇଥିଲା ପୁଲିସ ଏଏସ୍‌ଆଇ ଗୋପାଳ ଦାସ। କ୍ୟାବିନେଟ୍‌ ମନ୍ତ୍ରୀ ନବ ଦାସ ତା ଉପରେ ଭୀଷଣ ରାଗିଥିବା ଖବର ପାଇବା ପରେ ଭୟଭୀତ ହୋଇଯାଇଥିଲା ସେ। ନବ ଦାସ ତାକୁ ରାସ୍ତାରୁ ସଫା କରିବା ପୂର୍ବରୁ ତାଙ୍କୁ ହତ୍ୟା କରିବାକୁ ମନ୍ଦିରରେ ଶପଥ ନେଇଥିଲା ଗୋପାଳ। ନବ ଦାସ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଚାର୍ଜସିଟ୍‌ରେ ପଦାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ।

୧୯୯୨ ଜୁଲାଇ ୮ ତାରିଖ ବ୍ରହ୍ମପୁରରେ ପୁଲିସ ଚାକିରି ଆରମ୍ଭ କରିଥିଲା ଗୋପାଳ ଦାସ। ୨୦୦୯ ସେପ୍ଟେମ୍ବର୍‌ ୯ ତାରିଖରେ ସେ ହାବିଲ୍‌ଦାର୍‌ରୁ ପୁଲିସ ଏଏସ୍‌ଆଇ ପାହ୍ୟାକୁ ପଦୋନ୍ନତି ପାଇଥିଲା। ଝାରସୁଗୁଡ଼ା ଜିଲ୍ଲାରେ ସେ ପ୍ରାୟ ୧୦ ବର୍ଷ କାର୍ଯ୍ୟ କରିଥିଲା ବେଳେ ୨୦୨୦ ନଭେମ୍ବର ପରଠାରୁ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡିରେ କାର୍ଯ୍ୟ କରୁଥିଲା। ଏହି ଜିଲ୍ଲାରେ ଚାକିରିକାଳ ମଧ୍ୟରେ ନବ ଦାସଙ୍କ ସହ ତାର ଶତ୍ରୁତା ବଢ଼ି ଚାଲିଥିଲା। ଏକଦା ନବ ଦାସଙ୍କ ସମର୍ଥକ ଗାନ୍ଧୀଛକ ଅଞ୍ଚଳରେ ଗଣ୍ଡଗୋଳ କରିଥିବା ନେଇ ଅଭିଯୋଗ ଆସିଥିଲା। ଗୋପାଳ ସେମାନଙ୍କୁ ଟେକି ଆଣି ଫାଣ୍ଡି ହାଜତରେ ଅଟକ ରଖିଥିଲା। ତେବେ ନବ ଦାସଙ୍କ ଚାପରେ ଗୋପାଳ ସେମାନଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିବା କୁହାଯାଉଛି। ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ଗୋପାଳକୁ ଧମକାଇଥିଲେ।  ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପଚରାଉଚରା କରାଯାଇଥିଲା। ସେମାନେ ବି ଘଟଣାକୁ ସ୍ବୀକାର କରିଛନ୍ତି।

ଗାନ୍ଧୀଛକ ଅଞ୍ଚଳରେ ଗଣ୍ଡଗୋଳ ହୋଇଥିବା ନିର୍ଦ୍ଦିଷ୍ଟ ସ୍ଥାନର ଲୋକଙ୍କୁ ବି କ୍ରାଇମବ୍ରାଞ୍ଚ ପଚରାଉଚରା କରିଥିଲା। ସେମାନେ ମଧ୍ୟ ଘଟଣାକୁ ସ୍ବୀକାର କରିଛନ୍ତି। ଘଟଣାର ସତ୍ୟାସତ୍ୟ ଥିବା ପ୍ରମାଣ ମିଳିବା ପରେ କ୍ରାଇମବ୍ରାଞ୍ଚ ଏ ସମ୍ପର୍କରେ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି। ନବ ଦାସଙ୍କ ସମର୍ଥକମାନଙ୍କ ଦ୍ବାରା ବିଭିନ୍ନ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରାଗଲେ ଗୋପାଳ ବିରୋଧ କରୁଥିଲା। ଏଥିପାଇଁ ସେ ନବ ଦାସଙ୍କ ଅକ୍ରୋଶର ଶିକାର ହେଉଥିଲା। ଲଗାତାର ୪/୫ଟି ଘଟଣାରେ ଗୋପାଳ ଏଭଳି ବିରୋଧ କରିବା ପରେ ଦାଦା(ନବ ଦାସ) ତା ଉପରେ ରାଗିଛନ୍ତି ବୋଲି ଗାନ୍ଧୀଛକ ଅଞ୍ଚଳର କିଛି ଲୋକଙ୍କ ଠାରୁ ସେ ଶୁଣିବାକୁ ପାଇଥିଲା। ଫଳରେ ଗୋପାଳ ଭୟଭୀତ ହୋଇ ହତ୍ୟା ଯୋଜନା ପ୍ରସ୍ତୁତ କରିଥିଲା। ହତ୍ୟା ପୂର୍ବରୁ ସେ ସମଲେଶ୍ବରୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲା। ସେଠାରେ ନବ ଦାସଙ୍କୁ ହତ୍ୟା କରିବା ପାଇଁ ସେ ଶପଥ ନେଇଥିଲା ବୋଲି ଜେରା ସମୟରେ ଗୋପାଳ କ୍ରାଇମବ୍ରାଞ୍ଚକୁ କହିଥିବା ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି।

ଅପରପକ୍ଷରେ ବ୍ରଜରାଜନଗରରେ ଗୋପାଳର ବଡ଼ଭାଇ ସତ୍ୟନାରାୟଣ ଦାସଙ୍କର ‘ବ୍ରହ୍ମପୁର ହୋଟେଲ୍ ରହିଛି। ଜାନୁଆରି ୨୯ ତାରିଖ ହତ୍ୟାକାଣ୍ଡ ପୂର୍ବରୁ ସତ୍ୟନାରାୟଣଙ୍କୁ ନେଇ ଗୋପାଳ ରେଳ ଷ୍ଟେସନ୍‌ରେ ଛାଡ଼ିଥିଲା। ସେଠାରୁ ସତ୍ୟନାରାୟଣ ଗଞ୍ଜାମ ଜିଲ୍ଲା ଜଳେଶ୍ବରଖଣ୍ଡିସ୍ଥିତ ଘରକୁ ଚାଲିଯାଇଥିଲେ। କ୍ରାଇମବ୍ରାଞ୍ଚ ଟିମ୍ ଜାନୁଆରି ୩୧ ତାରିଖ ଜଳେଶ୍ବରଖଣ୍ଡିରେ ପହଞ୍ଚି ତାଙ୍କୁ ପଚରାଉଚରା କରିଥିଲା। ସତ୍ୟନାରାୟଣ ମଧ୍ୟ ଘଟଣା ସମ୍ପର୍କରେ କ୍ରାଇମବ୍ରାଞ୍ଚକୁ ସୂଚନା ଦେଇଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି। ଗୋପାଳକୁ ରିମାଣ୍ଡରେ ଆଣି ହତ୍ୟାକାଣ୍ଡର ପୂର୍ବ ଓ ପର ଘଟଣା ସମ୍ପର୍କରେ ପଚାରିବା ସମୟରେ ନବ ଦାସଙ୍କ ସହ ତାର ଶତ୍ରୁତା ସମ୍ପର୍କରେ କହିଥିଲା। ଏହାର ସତ୍ୟାସତ୍ୟ ପାଇଁ ଏଲ୍‌ଭିଏ(ଲେୟାର୍‌ଡ୍‌ ଭଏସ୍ ଆନାଲିସିସ୍) ପରୀକ୍ଷା, ପଲିଗ୍ରାଫ୍ ପରୀକ୍ଷା ଓ ନାର୍କୋ ପରୀକ୍ଷା ସମୟରେ ମଧ୍ୟ ଗୋପାଳ ଏହାକୁ ଦୋହରାଇଥିଲା। ଯଦିଓ ଏ ପ୍ରକାର ପରୀକ୍ଷା ସଂକ୍ରାନ୍ତ ରିପୋର୍ଟ ଅଦାଲତରେ ଗ୍ରହଣଯୋଗ୍ୟ ନୁହେଁ, କିନ୍ତୁ କ୍ରାଇମବ୍ରାଞ୍ଚକୁ ତଦନ୍ତ କ୍ଷେତ୍ରରେ ଏହା ସହଯୋଗ କରିଥିଲା ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର