ଆଗାମୀ କିଛି ସପ୍ତାହ ଗୁରୁତ୍ବପୂର୍ଣ୍ଣ, ସତର୍କ ରୁହ: ମୁଖ୍ୟମନ୍ତ୍ରୀ

ଜୋର୍‌ଦାର ହେବ ଟିକାକରଣ

ଭୁବନେଶ୍ବର: ଦେଶରେ କୋଭିଡ୍ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି। ରାଜ୍ୟରେ ସଂକ୍ରମଣ ମଧ୍ୟ ଉପରମୁହାଁ ରହିଛି। ଏହାକୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କୋଭିଡ୍‌ ପରିସ୍ଥିତିର ସମୀକ୍ଷା କରି ଆସନ୍ତା କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି। ଏଥିପାଇଁ ସତର୍କ ରହିବାକୁ ଜନସାଧାରଣ ଓ ପ୍ରଶାସନକୁ ସେ ପରାମର୍ଶ ଦେବା ସହ କୋ‌ଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ଲୋକଙ୍କୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ ଯେ ଯଦିଓ ତୃତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ହସ୍ପିଟାଲ୍‌ରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବହୁତ କମ୍‌ ରହିଛି, ତଥାପି ଆମକୁ ଭବିଷ୍ୟତ ପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ପଡ଼ିବ। ସେହିପରି ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ସନ୍ତୋଷଜନକ ରହିଥିଲେ ମଧ୍ୟ ଆଦୌ ଟିକା ନେଇ ନ ଥିବା ତଥା ଦ୍ବିତୀୟ ଡୋଜ ନେଇ ନ ଥିବା ଲୋକମାନଙ୍କର ଟିକାକରଣକୁ ଜୋରଦାର କରାଯିବ। ଏହା ସହିତ ବରିଷ୍ଠ ନାଗରିକ ତଥା ସମ୍ମୁଖ ଯୋଦ୍ଧାମାନଙ୍କର ଟିକାକରଣ ଖୁବ ଜରୁରୀ। ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଶେଷ ଏହା ସହାୟକ ହେବ।

ପୂର୍ବ ଥର ଭଳି ଏଥର ମଧ୍ୟ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରାଯିବା ଏବଂ ଏଥିରେ ମିସନ ଶକ୍ତି ଗ୍ରୁପମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେହିପରି କୋଭିଡ ନିୟମର କଡ଼ାକଡ଼ି ଅନୁପାଳନ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଯେହେତୁ ବର୍ତ୍ତମାନର ଲହରରେ ସଂକ୍ରମିତ ଅଧିକାଂଶ ବ୍ୟକ୍ତି ନିଜ ଘରେ ସଙ୍ଗରୋଧରେ ରହିଛନ୍ତି, ତେଣୁ ଆମକୁ ତଦାରଖ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପଡ଼ିବ। ଏଥିପାଇଁ ରାପିଡ୍‌ ‌ରେସ୍‌ପନ୍ସ ଟିମ୍ ଓ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ନିଜ ଘରେ ସଙ୍ଗରୋଧରେ ଥିବା ରୋଗୀମାନଙ୍କୁ ନିୟମିତ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାସ୍ତରରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆର. କେ. ଶର୍ମା କୋଭିଡ ସ୍ଥିତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ଉପସ୍ଥାପନା ରଖିଥିଲେ। କମ୍ ରୋଗୀ ହସ୍ପିଟାଲ୍‌ ଯାଉଥିବା ସତ୍ତ୍ବେ ଦ୍ବିତୀୟ ଲହର ଠାରୁ ଅଧିକ ସଂଖ୍ୟକ ଶଯ୍ୟା ମହଜୁଦ ରଖାଯାଇଛି ଏବଂ ତା’ ସହିତ ଅକ୍ସିଜେନ, ଭେଣ୍ଟିଲେଟର ଆଦି ବ୍ୟବସ୍ଥାକୁ ସକ୍ରିୟ ରଖାଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୧.୮ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ଦ୍ବିତୀୟ ଡୋଜ୍‌ର ହାର ୬୮.୪ ପ୍ରତିଶତ ରହିଛି। ସେହିପରି ୩୦.୭ ପ୍ରତିଶତ ୧୫ ରୁ ୧୮ ବର୍ଷ ବୟସର ପିଲା ମଧ୍ୟ ଟିକା ନେଇସାରିଲେଣି। ଭୁବନେଶ୍ବର ଓ କଟକ ମହାନଗର ନିଗମର କମିସନର ଦ୍ବୟ ତଥା ସମ୍ବଲପୁର ଓ ସୁନ୍ଦରଗଡ଼ର ଜିଲ୍ଲାପାଳ ସେମାନଙ୍କ ଅଞ୍ଚଳର ସ୍ଥିତି ସଂପର୍କରେ ଅବଗତ କରାଇଥିଲେ। କୋଭିଡ୍ ନିୟମ ଅନୁପାଳନର କଡ଼ାକଡ଼ି ତଦାରଖ ପାଇଁ ରାଜ୍ୟ ପୁଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପୁଲିସ ଡିଜି ସୁନୀଲ ବନ୍‌ସଲ୍ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉନ୍ନୟନ କମିସନର ତଥା ସ୍ବତନ୍ତ୍ର ରିଲିଫ କମିସନର ପି କେ ଜେନା ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର