କଟକ: ଚାକିରିରେ ଥାଇ ମୃତ୍ୟୁ ହୋଇଥିବା ସରକାରୀ କମର୍ଚାରୀଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପ୍ରସଂଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଂଗରେ ବିଚାର କରାଯିବା ବେଳେ ସଂପୃକ୍ତ କର୍ମଚାରୀଙ୍କ ମୃତ୍ୟୁ ତାରିଖକୁ ବିଚାରକୁ ନେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ରାଜ୍ୟ ସରକାର ୨୦୨୦ରେ ନୂଆ ନିୟମାବଳୀ ପ୍ରଣୟନ କରିବା ପୂର୍ବରୁ ଯେଉଁ ସରକାରୀ କର୍ମଚାରୀଙ୍କ ଚାକିରିରେ ଥାଇ ମୃତ୍ୟୁ ହୋଇଥିଲା ସେମାନଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ ବେଳେ ୧୯୯୦ର ପୁରୁଣା ନିୟମ ଲାଗୁ ହେବ ବୋଲି ହାଇକୋର୍ଟ କହିଛନ୍ତି। ଚାରି ମାସ ଭିତରେ ମାମଲାର ପ୍ରତିପକ୍ଷଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପ୍ରସଂଗରେ ପଦକ୍ଷେପ ନେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିଲାଗି ସରକାର ସ୍ବତନ୍ତ୍ର କମିଟି ଗଠନ କରିବେ। ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପ୍ରସଂଗରେ ପ୍ରତ୍ୟାଶୀମାନେ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବେ। ଧାର୍ଯ୍ୟ ୪ ମାସ ସମୟକୁ ଆଉ ବୃଦ୍ଧି କରାଯାଇ ପାରିବ ନାହିଁ। ଅନୁକମ୍ପାମୂଳକ ନିଯୁକ୍ତି ମାମଲାଗୁଡିକୁ ସମାନଭୂତି ସହିତ ବିଚାରକୁ ନିଆଯିବା ଉଚିତ। ତେଣୁ କଠୋର ବୈଷୟିକ କାରଣ ଅପ୍ରାସଂଗିକ ବୋଲି ହାଇକୋର୍ଟ କହିଛନ୍ତି। ଏହି ପ୍ରସଂଗରେ ତ୍ବରିତ ପଦକ୍ଷେପ ଗ୍ରହଣ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ସେପ୍ଟେମ୍ବର୍ ୨୫ରେ ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରାୟ ୧୨୦ରୁ ଅଧିକ ମାମଲାର ଏକତ୍ର ଶୁଣାଣି କରି ଏହି ରାୟ ପ୍ରକାଶ କରିଥିଲେ। ଏହି ରାୟର କପି ଆଜି ମାମଲାର ପ୍ରତିପକ୍ଷ ତଥା ଅନୁକମ୍ପାମୂଳକ ନିଯୁକ୍ତି ଆଶାୟୀଙ୍କ ହସ୍ତଗତ ହୋଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୨୦, ଫେବ୍ରୁଆରି ୧୭ରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଂଗରେ ରାଜ୍ୟ ସରକାର ନୂଆ ନିୟମାବଳୀ ଜାରି କରିଥିଲେ। ୧୯୯୦ର ପୁରୁଣା ନିୟମାବଳୀକୁ ସରକାର ଅକାମି କରିଥିଲେ। ଏହି ପ୍ରସଂଗରେ ବିଚାରାଧୀନ ସମସ୍ତ ମାମଲର ନୂଆ ନିୟମ ଅନୁସାରେ ବିଚାର ହେବ। ଅନୁକମ୍ପାମୂଳକ ନିଯୁକ୍ତିକୁ ଅଧିକାର ଭାବେ ଗ୍ରହଣ କରାଯିବ ନାହିଁ ବୋଲି ୨୦୨୦ର ନିୟମାବଳୀରେ ମଧ୍ୟ ଉଲ୍ଲେଖ କରାଯାଇଥିଲା। ଏହି ପ୍ରସଂଗକୁ ନେଇ ହାଇକୋର୍ଟରେ ଏକାଧିକ ମାମଲା ଦାୟର ହୋଇଥିଲା। ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ସଂପୃକ୍ତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ସମୟରେ ବଳବତ୍ତର ଥିବା ୧୯୯୦ର ନିୟମାବଳୀ ଲାଗୁ ହେବା ସପକ୍ଷରେ ରାୟ ଦେଇଥିଲେ। ପୁରୁଣା ନିୟମ ଆଧାରରେ ନିଯୁକ୍ତି ଦେବା ପ୍ରସଂଗରେ ବିଚାର କରିବାକୁ ଜଣିକିଆ ବିଚାରପତି ପ୍ରଦାନ କରିଥିବା ରାୟ ବିରୋଧରେ ରାଜ୍ୟ ସରକାରଙ୍କ ତରଫରୁ ଦୁଇଜଣିଆ ଖଣ୍ଡପୀଠରେ ଶତାଧିକ ରିଟ୍ ଅପିଲ ଦାୟର କରାଯାଇଥିଲା। ଏହି ସବୁ ରିଟ୍ ଅପିଲର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଏକତ୍ର ଶୁଣାଣି ହୋଇଥିଲା। ପ୍ରତିପକ୍ଷ ତଥା ଅନୁକମ୍ପାମୂଳକ ନିଯୁକ୍ତି ପ୍ରତ୍ୟାଶୀଙ୍କ ତରଫରୁ ଆଇନଜୀବୀ ଭବାନୀ ଶଙ୍କର ତ୍ରିପାଠୀ, କୁନାଲ କୁମାର ସ୍ବାଇଁ, ପ୍ରହଲ୍ଲାଦ କୁମାର ସିଂହ, ଅମିୟ ଛାଟୋଇ, ଶିବ ପ୍ରସାଦ ପତି, ରାମକୃଷ୍ଣ ବିଷୋୟୀ ପ୍ରମୁଖ ମାମଲା ପରିଚାଳନା କରୁଥିଲେ। ରାଜ୍ୟ ସରକାରଙ୍କ ରିଟ୍ ଅପିଲ୍ଗୁଡିକୁ ସୁପ୍ରିମକୋର୍ଟଙ୍କ ମଳୟାନନ୍ଦ ସେଠୀ ମାମଲା ରାୟ ଆଧାରରେ ଖାରଜ କରିବା ପାଇଁ ପ୍ରତିପକ୍ଷ ଯୁକ୍ତି ବାଢ଼ିଥିଲେ।