ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଦିବ୍ୟାଙ୍ଗ ଶିକ୍ଷକଙ୍କ ଅନ୍ତଃଜିଲ୍ଲା ବଦଳି ହୋଇପାରିବ

କଟକ : ସରକାରୀ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଦିବ୍ୟାଙ୍ଗ ଶିକ୍ଷକଙ୍କ ଅନ୍ତଃଜିଲ୍ଲା ବଦଳି ପ୍ରସଂଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଦିବ୍ୟାଙ୍ଗ ଶିକ୍ଷକଙ୍କ ଅନ୍ତଃଜିଲ୍ଲା ବଦଳି ଅନୁରୋଧ ସଂପର୍କିତ ଦରଖାସ୍ତକୁ ଖାରଜ କରି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ୨୦୨୨, ଫେବ୍ରୁଆରି ୧୪ରେ ‌ପ୍ରଦାନ କରିଥିବା ଆଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଭିନ୍ନକ୍ଷମଙ୍କ ଅଧିକାର ଆଇନ, ୨୦୧୬ରେ ଥିବା ବ୍ୟବସ୍ଥା ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅନ୍ତଃଜିଲ୍ଲା ବଦଳି ପାଇଁ ଅନୁମତି ଦେଉଛି ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ୩ ମାସ ଭିତରେ ଆବେଦନକାରୀ ଦିବ୍ୟାଙ୍ଗ ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର୍‌ ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନ୍‌.କେ. ମହାପାତ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଶିକ୍ଷା ସହାୟକ ଭାବେ ଯୋଗ ଦେଇଥିବା ଆବେଦନକାରୀଙ୍କ ଚାକିରି ନିୟମତ ନେଇ ୨୦୧୮ ମେ ୭ରେ ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶନାମା ଜାରି କରିଥିଲେ। ୭୦ ପ୍ରତିଶତ ଭିନ୍ନକ୍ଷମ ଥିବା ଆବେଦନକାରୀ ଅନ୍ୟ କେତେକ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ। ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା କୁଣ୍ଡାପୋସି ୟୁଜିୟୁପି ସ୍କୁଲ ଆବେଦନକାରୀଙ୍କ ଘର ପାଖରେ ହୋଇଥିବାରୁ ସେ ସେହି ସ୍କୁଲକୁ ବଦଳି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିକଟରେ ୨୦୨୦ ଜୁଲାଇ ୧୩ରେ ଦରଖାସ୍ତ କରିଥିଲେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୨୦୧୬ ମେ ୧୭, ସାଧାରଣ ପ୍ରଶାସନ ବିଭାଗର ୨୦୧୩ ଡିସେମ୍ବର ୩ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ୨୦୨୧ ଫେବ୍ରୁଆରି ୨୫ର ବିଜ୍ଞପ୍ତି ଦିବ୍ୟାଙ୍ଗ ସରକାରୀ କର୍ମଚାରୀଙ୍କୁ ଘର ପାଖ କାର୍ଯ୍ୟାଳୟ‌କୁ ଅବସ୍ଥାପିତ କରିବା ଲାଗି ଅନ୍ତଃଜିଲ୍ଲା ବଦଳି ପାଇଁ ଅନୁମତି ଦେଉଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର