ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଗୋ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ଚୁନି ପ୍ରବେଶ କର ପରିସରଭୁକ୍ତ ନୁହେଁ

କଟକ: ଗୋ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ‘ଚୁନି’ ଉପରେ ଓଡ଼ିଶା ପ୍ରବେଶ କର (ଓଡ଼ିଶା ଏଣ୍ଟ୍ରି ଟ୍ୟାକ୍ସ) ଆଇନ ଅନୁସାରେ କର ଲାଗୁ ହେବନାହିଁ। ଡାଲି ଉତ୍ପାଦନବେଳେ ଏଥିରୁ ବାହାରୁଥିବା ଚୋପା ଓ ତୁଷରୁ ଚୁନି ସୃଷ୍ଟି ହୋଇଥାଏ। ଗୋଖାଦ୍ୟ ପ୍ରସ୍ତୁତରେ ବ୍ୟବହୃତ ବିଭିନ୍ନ ଖାଦ୍ୟ ପଦାର୍ଥ ଭିତରେ ଚୁନି ଅନ୍ୟତମ। ଗୋ ଖାଦ୍ୟ ଓଡ଼ିଶା ପ୍ରବେଶ କର ପରିସରଭୁକ୍ତ। କିନ୍ତୁ, ଡାଲିର ଏକ ଉପଉତ୍ପାଦ ହୋଇଥିବାରୁ ଚୁନି ପ୍ରବେଶ କର ପରିସରଭୁକ୍ତ ନୁହେଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ରାୟ ଦେବା ସହିତ ବିକ୍ରିକର ଟ୍ରିବୁନାଲଙ୍କ ରାୟ ବିରୋଧରେ ରାଜ୍ୟ ସରକାର ଦାୟର କରିଥିବା ୧୧ଟି ମାମଲାକୁ ଖାରଜ କରିଛନ୍ତି। ଓଡିଶା ପ୍ରବେଶ କର ଆଇନରେ ରହିଥିବା ଅନୁସୂଚୀରେ ସ୍ବତନ୍ତ୍ର ବସ୍ତୁ ଭାବେ ଗୋ ଖାଦ୍ୟ ଉଲ୍ଲେଖ ରହିଛି। ହେଲେ, ଚୁନି ହେଉଛି ଡାଲିର ଉପଉତ୍ପାଦ। ଡାଲି ଉତ୍ପାଦନବେଳେ ଏହା ଚୋପା, ଛେଲି, ତୁଷରୁ ସୃଷ୍ଟି ହୋଇଥାଏ ଚୁନି। ଆଇନ ଅନୁସାରେ ଚୁନି ଏକ ସଂପୂର୍ଣ୍ଣ ଉତ୍ପାଦ ନୁହେଁ। ଏଭଳି ସ୍ଥିତିରେ ପ୍ରବେଶ କର ଚୁନି ଉପରେ ଲାଗିପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଚୁନି ଉପରେ ପ୍ରବେଶ କର ଲାଗିପାରିବ ନାହିଁ ବୋଲି ବିକ୍ରିକର ଉପଆୟୁକ୍ତ ୨୦୦୯, ମାର୍ଚ୍ଚ ୭ରେ ରାୟ ଦେଇଥିଲେ। ଏହି ରାୟ ବିରୋଧରେ ରାଜ୍ୟସରକାର ବିକ୍ରିକର ଟ୍ରିବୁନାଲରେ ଦାୟର କରିଥିବା ଆବେଦନ ୨୦୧୧, ଫେବ୍ରୁଆରି ୫ରେ ଖାରଜ ହୋଇଥିଲା। ଏହି ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ୨୦୧୧ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର