ହାଇ‌କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଆର୍‌ଡିସି, ଜିଲ୍ଲାପାଳଙ୍କ କୋର୍ଟ ହେବ ସପ୍ତାହକୁ ୪ ଦିନ, ଦିନକୁ ୫ ଘଣ୍ଟା

ତଦାରଖ ପାଇଁ ଗଠନ ହେବ କମିଟି, ମୁଖ୍ୟ ଶାସନ ସଚିବ ଡାକିବେ ବୈଠକ

କଟକ : ବିଭିନ୍ନ ସ୍ବତନ୍ତ୍ର ରାଜ୍ୟ ଆଇନ ଅଧୀନରେ ଥିବା କ୍ବାସି ଜୁଡିସିଆଲ ଫୋରମ ବା ନ୍ୟାୟିକ କ୍ଷମତାଯୁକ୍ତ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ନିକଟରେ ବର୍ଷ ବର୍ଷ ଧରି ମାମଲା ପଡି ରହିବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି କ୍ବାସି ଜୁଡିସିଆଲ ଫୋରମ ଗୁଡିକ ଯେପରି ସପ୍ତାହକୁ ଅତି କମରେ ୪ ଦିନ ତଥା ଦିନକୁ ଅତି କମରେ ୫ ଘଣ୍ଟା ବସିବେ ତାହା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କ୍ବାସି ଜୁଡିସିଆଲ କ୍ଷମତା ଅଧୀନରେ ଉପଯୁକ୍ତ ଭାବେ କାର୍ଯ୍ୟସଂପାଦନ ପାଇଁ ଆବଶ୍ୟକ ଲୋକବଳ ଓ ଅର୍ଥ ପ୍ରଦାନ ପ୍ରସଂଗ ରାଜ୍ୟ ସରକାର ସୁନିଶ୍ଚିତ କରି ଏହି ସବୁ ପ୍ରତିଷ୍ଠାନକୁ ସଶକ୍ତ କରିବେ। ଏଭଳି ସବୁ ଫୋରମକୁ କଂପ୍ୟୁଟର ଜ୍ଞାନ ଥିବା ଷ୍ଟେନୋଗ୍ରାଫର ଯୋଗାଇ ଦେବା ପାଇଁ ସ୍ବତନ୍ତ୍ର ଯତ୍ନ ନିଆଯିବ। ଜିଲ୍ଲାପାଳ ଓ ଆରଡିସି ସେମାନଙ୍କୁ ପ୍ରଦାନ କରାଯାଇଥିବା ଅତିରିକ୍ତ କ୍ଷମତା ସଂପର୍କିତ ଦାୟିତ୍ବ ସଂପାଦନ କରୁଥିବାରୁ ନ୍ୟାୟିକ ନିର୍ଣ୍ଣୟ ପାଇଁ ସପ୍ତାହରେ ଅତି କମରେ ସେମାନଙ୍କ ଲାଗି ଦୁଇରୁ ତିନି ଦିନ ଧାର୍ଯ୍ୟ କରାଯିବ। ଏହି ସବୁ ଦିନ ଅତି କମରେ ୫ ଘଣ୍ଟା ଜିଲ୍ଲାପାଳ ଓ ଆରଡିସି ବସି ମାମଲାର ଶୁଣାଣି କରିବେ। ମାମଲା ଦାଖଲ ହେବାର ୭ ଦିନ ଭିତରେ ଏପରି ଫୋରମ୍ ନୋଟିସ୍ ଜାରି କରିବେ ଓ ପରବର୍ତ୍ତୀ ତାରିଖ ନେଇ ସୂଚନା ପ୍ରକାଶ କରିବେ। ବରିଷ୍ଠ ନାଗରିକଙ୍କ ସଂପର୍କିତ ମାମଲା ଗୁଡିକର ଶୁଣାଣିକୁ ପ୍ରାଧାନ୍ୟ ଦେବା ପାଇଁ ଏପରି ସବୁ ଫୋରମରେ ବ୍ୟବସ୍ଥା ହେବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ଯଦି ମାମଲାର ନିର୍ଣ୍ଣୟ ନେବା ପ୍ରକ୍ରିୟାରେ କୌଣସି ରିପୋର୍ଟ ବା ରେକର୍ଡ ତଲବ କରିବାକୁ ପଡେ ତେବେ ଏଥିପାଇଁ ଅତି ବେଶିରେ ଦେଢ ମାସର ସମୟସୀମା ଧାର୍ଯ୍ୟ କରାଯିବ। ଏହି ପ୍ରସଂଗରେ ଦାୟିତ୍ବ ସଂପାଦନରେ ଅବହେଳା ପାଇଁ ଉତ୍ତରଦାୟିତ୍ବ ଧାର୍ଯ୍ୟ ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ସବୁ ସଂସ୍ଥାର ଉପଯୁକ୍ତ ଭାବେ କାର୍ଯ୍ୟ କରିବା ଓ ସମଗ୍ର ପ୍ରସଂଗର ଯତ୍ନ ନେବା ପାଇଁ ସଂପୃକ୍ତ ଅଧିକାରୀ ଓ ଗଠନ କରାଯିବାକୁ ଥିବା କମିଟିକୁ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ‌େବୖଠକରେ ୫-ଟି ସଦସ୍ୟଙ୍କୁ ମଧ୍ୟ ସଂପୃକ୍ତ କରାଯିବ। ବୈଠକରେ ଉପରୋକ୍ତ ସମସ୍ତ ଦିଗ ଉପରେ ଆଲୋକପାତ କରାଯିବ ଓ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ତ୍ରୁଟି ସୁଧାରିବା ପାଇଁ ପ୍ରଚେଷ୍ଟା କରାଯିବ। କ୍ବାସି ଜୁଡିସିଆଲ ଫୋରମ ଗୁଡିକ କିଭଳି ଭାବେ ଠିକରେ କାର୍ଯ୍ୟ କରିବେ ତାହା ତଦାରଖ କରିବାକୁ ରାଜସ୍ବ ପର୍ଷଦ ସଦସ୍ୟ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ୫-ଟିର ଜଣେ ସଦସ୍ୟଙ୍କ ସହିତ ଆଇନ ସଚିବଙ୍କୁ ନେଇ କମିଟି ଗଠନ କରାଯିବ। ପ୍ରତିମାସରେ ଏହି କମିଟି ଅତି କମ୍‌ରେ ଥରେ ବସି ସ୍ଥିତି ଅନୁଧ୍ୟାନ କରିବା ସହିତ ଆବଶ୍ୟକ ପରାମର୍ଶ ପ୍ରଦାନ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗରେ ଡିସେମ୍ବର ତୃତୀୟ ସପ୍ତାହ ଭିତରେ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହିତ ଡିସେମ୍ବର ୨୩କୁ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ଏନ.ଆର.ଜେନାଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିଭିନ୍ନ କ୍ବାସି ଜୁଡିସିଆଲ ଫୋରମ ଗୁଡିକରେ ମାମଲା ଶୁଣାଣିରେ ବିଳମ୍ବ ପାଇଁ ଏହି ପ୍ରସଂଗ ‌ଅନେକ ସମୟରେ ହାଇକୋର୍ଟରେ ପହଞ୍ଚୁଥିବା‌ ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ବିଭିନ୍ନ ରିଟ୍ ପିଟିସନରୁ ତିନୋଟି ସାଧାରଣ ଅଭିଯୋଗ ରହିଥିବା ହାଇକୋର୍ଟ ଜାଣିବାକୁ ପାଇଥିଲେ। ୩/୪ ବର୍ଷ ତଳେ କ୍ବାସି ଜୁଡିସିଆଲ ମାମଲା ଦାୟର ହୋଇଥିଲେ ମଧ୍ୟ ଏହା ଦୀର୍ଘ ବର୍ଷ ଧରି ଶୁଣାଣି ପାଇଁ ଗ୍ରହଣ ହେଉ ନାହିଁ, ୧୦ରୁ ୧୫ ବର୍ଷ ତଳେ ଶୁଣାଣି ପାଇଁ ଗ୍ରହଣ କରାଯାଇଥିବା ମାମଲା ପରବର୍ତ୍ତୀ ସମୟରେ ଶୁଣାଣି ନ ହୋଇ ପଡି ରହୁଛି ଓ ଏପରି ବହୁ ଫୋରମରେ ପଦ ଖାଲି ପଡିଛି। ମ୍ୟୁଟେସନ୍ ମାନୁଆଲ, ମିସଲାନିୟସ ସାର୍ଟିଫିକେଟ ରୁଲ୍ସ, ରେଗୁଲେସନ-୨, ଓଏଲଆର ଆକ୍ଟ, ଓସିଏଚ ଆଣ୍ଡ ପିଏଫଏଲ ଆକ୍ଟ, ଓଏସସ ଆକ୍ଟ, ରେଜିଷ୍ଟ୍ରେସନ ଆକ୍ଟ ଓ ଅନ୍ୟ ବହୁ ସମାନ ଧରଣର ସ୍ବତନ୍ତ୍ର ରାଜ୍ୟ ଆଇନରେ କ୍ବାସି ଜୁଡିସିଆଲ ଫୋରମରେ ମାମଲାର ସମାଧାନ ପାଇଁ ସୁଯୋଗ ରହିଛି।

ଏହି ସବୁ ଫୋରମ ଗୁଡିକର ପଦ ପଦବିରେ ଆଇଏଏସ ଅଫିସରଙ୍କ ସହିତ ରାଜ୍ୟ ସ୍ତରର ବରିଷ୍ଠ ପ୍ରଶାସନିକ ଅଧିକାରୀ ରହୁଛନ୍ତି। କିନ୍ତୁ ଏହି ସବୁ ଫୋରମ ଗୁଡିକରେ ମାମଲାର ଫଏସଲା ହୋଇ ନ ପାରିବା କାରଣରୁ ଅଧିକାଂଶ ସମୟରେ ହାଇକୋର୍ଟରେ ବହୁ ସଂଖ୍ୟାରେ ଆବେଦନ ପହଞ୍ଚୁଛି। ଅଯଥାରେ ପ୍ରତି ଦିନ ହାଇକୋର୍ଟଙ୍କ ମୂଲ୍ୟବାନ ସମୟ ନଷ୍ଟ ହେଉଛି ବୋଲି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏହି ସବୁ ଫୋରମରେ ନ୍ୟାୟିକ ନିର୍ଣ୍ଣୟ ନେଉଥିବା କର୍ତ୍ତୃପକ୍ଷ ଦିନରେ ଲଗାତାର ଦୁଇ ଘଣ୍ଟାରୁ ଅଧିକ ମାମଲା ଶୁଣାଣି ପାଇଁ ବସୁ ନାହାନ୍ତି। ଏହି ସବୁ ଫୋରମରେ ମାମଲା ଶୁଣାଣି ପାଇଁ କର୍ତ୍ତୃପକ୍ଷ ବସିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ବା ଦିନ ରହୁ ନାହିଁ। ‌ନିଜ ସୁବିଧାରେ ବସି କର୍ତ୍ତୃପକ୍ଷ ମାମଲ ଶୁଣାଣି କରୁଛନ୍ତି ବୋଲି ଶୁଣାଣି ବେଳେ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ କ୍ବାସି ଜୁଡିସିଆଲ ଫୋରମ ଗୁଡିକରେ ନିର୍ଦ୍ଦିଷ୍ଟ ଢଙ୍ଗରେ କାର୍ଯ୍ୟ ସମୟ ବୃଦ୍ଧି ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯାଉଛି ବୋଲି ହାଇକୋର୍ଟରେ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର