ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ୫ ତାରିଖ ଅପରାହ୍ନ ୪ ସୁଦ୍ଧା ଓଟିଏମ୍‌କୁ ଦଖଲ ନେବେ ସରକାର

କଟକ : ଆସନ୍ତା ୫ତାରିଖ ଅପରାହ୍ନ ୪ଟା ସୁଦ୍ଧା ରାଜ୍ୟ ସରକାର ଚୌଦ୍ବାରର ଓଟିଏମ୍‌କୁ ହାତକୁ ନେବେ। ଏ କ୍ଷେତ୍ରରେ ଆଉ କୌଣସି ଟାଳଟୁଳ ନୀତି ଗ୍ରହଣୀୟ ହେବନାହିଁ। ଯଦି ତାହା କାର୍ଯ୍ୟକାରୀ ନ ହୁଏ, ତେବେ ବିଳମ୍ବ ପାଇଁ ମାସକୁ ସରକାର ୬ ଲକ୍ଷ ଟଙ୍କା ଦେବେ। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ହାଇକୋର୍ଟ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଓଟିଏମ୍‌ ସଂପତ୍ତି ହସ୍ତାନ୍ତର ସଂପର୍କରେ ରାଜ୍ୟ ସରକାରଙ୍କ ତରଫରୁ ଅଫିସିଆଲ ଲିକ୍ବିଡେଟରଙ୍କୁ ଆଗୁଆ ଅବଗତ କରାଯିବ। ଓଟିଏମ୍‌ ସମ୍ପତ୍ତି ହସ୍ତାନ୍ତର ଓ ଦଖଲ ପ୍ରକ୍ରିୟା ସଂପାଦନ ପାଇଁ ରାଜ୍ୟ ସରକାରଙ୍କ ପ୍ରତିନିଧି ଓ ଅଫିସିଆଲ ଲିକ୍ବିଡେଟର ଉପସ୍ଥିତ ରହିବେ। ଓଟିଏମ୍‌ ସଂପତ୍ତି ହସ୍ତାନ୍ତର ଓ ଦଖଲନେବା ପ୍ରକ୍ରିୟା ସଂକ୍ରାନ୍ତୀୟ ନିର୍ଦ୍ଦେଶ କାର୍ଯ୍ୟକାରୀ ସଂପର୍କିତ ସତ୍ୟପାଠ ଡିସେମ୍ବର ୬ ସୁଦ୍ଧା ହାଇକୋର୍ଟରେ ଦାଖଲ ହେବ। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଟିଏମ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଶୁକ୍ରବାର ଦିନ ମାମଲାର ଶୁଣାଣି ସମୟରେ ଅଫିସିଆଲ ଲିକ୍ବିଡେଟରଙ୍କ ତରଫରୁ ରିପୋର୍ଟ ଦାଖଲ କରାଯାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ ଓଟିଏମ୍‌ ସଂପତ୍ତି ରାଜ୍ୟ ସରକାରଙ୍କ ପ୍ରତିନିଧି ଦଖଲକୁ ନେଉନାହାନ୍ତି। ଓଟିଏମ୍‌ କିଣିବା ପାଇଁ ରାଜ୍ୟ ସରକାର ସମଗ୍ର ରାଶି ଅଫିସିଆଲ ଲିକ୍ବିଡେଟରଙ୍କ ନିକଟରେ ଜମା କରିଥିଲେ। ନଭେମ୍ବର ୧୫ରେ ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଓଟିଏମ୍ ବିକ୍ରି ପ୍ରସଙ୍ଗକୁ ଅନୁମୋଦନ କରିଥିଲେ।। ଓଟିଏମ୍ ହସ୍ତାନ୍ତର ପ୍ରକ୍ରିୟା ନେଇ କେତେକ ନିୟମ ପାଳନ ପାଇଁ ହାଇକୋର୍ଟ କହିଥିଲେ। ରାଜ୍ୟ କର୍ତ୍ତୃପକ୍ଷଙ୍କ ଉପଯୁକ୍ତ ପ୍ରତିନିଧି ଓଟିଏମ୍‌ ସଂପତ୍ତି ଅଫିସିଆଲ ଲିକ୍ବିଡେଟରଙ୍କଠାରୁ ଦଖଲକୁ ନେବେ। ଓଟିଏମ୍‌ ସଂପତ୍ତି ହସ୍ତାାନ୍ତର ସମୟରେ ରାଜ୍ୟ କର୍ତ୍ତୃପକ୍ଷଙ୍କ ପ୍ରତିନିଧି ଅଫିସିଆଲ ଲିକ୍ବିଡେଟରଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ବୋଲି ନଭେମ୍ବର ୧୫ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଓଟିଏମ୍‌ ସଂପତ୍ତି ଦଖଲକୁ ନେବାପାଇଁ ରାଜ୍ୟ ସରକାରଙ୍କ ପ୍ରତିନିଧି ଯାଇଥିଲେ ଏବଂ ଅଫିସିଆଲ ଲିକ୍ବିଡେଟରଙ୍କ ଉପସ୍ଥିତିରେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। କିନ୍ତୁ, ଦୁର୍ଭାଗ୍ୟର ବିଷୟ ରାଜ୍ୟ ସରକାରଙ୍କ ପ୍ରତିନିଧି ବିଭିନ୍ନ କାରଣ ଦର୍ଶାଇ ଓଟିଏମ୍ ସଂପତ୍ତି ହାତକୁ ନେଉନାହାନ୍ତି ବୋଲି ଅଭିଯୋଗ କରାଯାଇଥିଲା। ଓଟିଏମ୍‌ ସଂପତ୍ତିର ବିସ୍ତାରିତ ତାଲିକା ପ୍ରସ୍ତୁତ କରାଯିବା ପରେ ସଂପତ୍ତିର ଦଖଲ ନେବାଉପରେ ରାଜ୍ୟ ପ୍ରତିନିଧି ଗୁରୁତ୍ବାରୋପ କରୁଛନ୍ତି।

‘ଯେମିତି ଅଛି ସେମିତି’ ଆଧାରରେ ଓଟିଏମ୍‌ ସଂପତ୍ତି ବିକ୍ରି କାର୍ଯ୍ୟକାରୀ କରାଯାଉଥିବା ବେଳେ ଜିନିଷପତ୍ର ଓ ସଂପତ୍ତିର ବିସ୍ତାରିତ ତାଲିକା ପ୍ରସ୍ତୁତ ପାଇଁ କୌଣସି ଅବସର ନାହିଁ। ସରକାର ଓଟିଏମ୍ କିଣିବା ପାଇଁ ସଂପୂର୍ଣ୍ଣ ଅର୍ଥ ଜମା କରି ସାରିଥିବାରୁ କଣ ପାଇଁ ରାଜ୍ୟ ପ୍ରତିନିଧି ସଂପତ୍ତି ଦଖଲ ନେବାରେ ବାଧା ସୃଷ୍ଟି କରୁଛନ୍ତି ବୁଝା ପଡ଼ୁନାହିଁ। ଏହାଦ୍ବାରା ଅଫିସିଆଲ ଲିକ୍ବିଡେଟରଙ୍କ ଉପରେ ଅଯଥା ବୋଝ ପଡୁଛି। ଓଟିଏମ୍‌ ରାଜ୍ୟ ସରକାରଙ୍କୁ ବିକ୍ରି ପ୍ରସଙ୍ଗକୁ ଅନୁମୋଦନ ମିଳିସାରିଥିବା ବେଳେ ଯଦି ଉପଯୁକ୍ତ ସମୟରେ ରାଜ୍ୟ ସରକାର ସଂପତ୍ତି ଦଖଲକୁ ନ ନିଅନ୍ତି, ତେବେ ଅଯଥା ଆର୍ଥିକ ବୋଝ ଅଫିସିଆଲ୍‌ ଲିକ୍ବିଡେଟରଙ୍କ ଉପରେ ପଡ଼ିବ। ଏହି ଅର୍ଥ ରାଜ୍ୟସରକାର ବହନ କରିବେ। ଓଟିଏମ୍‌ ଦଖଲକୁ ନ ନେବା ପଛରେ କୌଣସି କାରଣ ନାହିଁ ବୋଲି ହାଇକୋର୍ଟ କହିବା ସହିତ ଡିସେମ୍ବର ୫ ସୁଦ୍ଧା ସଂପତ୍ତି ହସ୍ତାନ୍ତର ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶୁଣାଣି ସମୟରେ ଓଟିଏମ୍‌ରୁ ପ୍ରାପ୍ୟ ପାଇବାକୁ ଥିବା ଦାବିଦାରଙ୍କୁ ଅର୍ଥ ପ୍ରଦାନ ପ୍ରସଂଗରେ ଅଗ୍ରଗତି ହୋଇଛି ବୋଲି ଅଫିସିଆଲ ଲିକ୍ବିଡେଟର ଦର୍ଶାଇଥିଲେ। ଜଣେ ନୂଆ ମାଲିକ ଆଗକୁ ଆସିଛନ୍ତି।

ଅନ୍ୟପକ୍ଷରେ, ଅଫିସିଆଲ ଲିକ୍ବିଡେଟରଙ୍କ ଅନୁରୋଧ ସତ୍ତ୍ବେ ଏପର୍ଯ୍ୟନ୍ତ ପ୍ରୋଭିଡେଣ୍ଟ ଫଣ୍ଡ କର୍ତ୍ତୃପକ୍ଷ ହିତାଧିକାରୀଙ୍କ ତାଲିକା ପ୍ରଦାନ କରିନାହାନ୍ତି ବୋଲି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ତାଲିକା ଦାଖଲ ସଂପର୍କିତ ସତ୍ୟପାଠ ଡିସେମ୍ବର ୮ ସୁଦ୍ଧା ଦାଖଲ କରିବାକୁ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର