କଟକ : ଅଦାଲତଙ୍କ କୌଣସି ପୂର୍ବ ରାୟକୁ ଦୃଷ୍ଟାନ୍ତ ଭାବେ ଅନ୍ୟ ଏକ ମାମଲାର ନିର୍ଣ୍ଣୟ ବେଳେ ସିଧାସଳଖ ଗ୍ରହଣ କରାଯାଇ ପାରିବ ନାହିଁ। କେବଳ ନିର୍ଦ୍ଦିଷ୍ଟ ମାମଲାରେ ରହିଥିବା ତଥ୍ୟ କ୍ଷେତ୍ରରେ ପୂର୍ବ ରାୟକୁ ଲାଗୁ କରାଯିବା ଉଚିତ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଅଦାଲତଙ୍କ ପୂର୍ବ ରାୟର ଉପଯୁକ୍ତ ବ୍ୟାଖ୍ୟା କରାଯିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ପୂର୍ବ ନଜିର କେବଳ ସେତେବେଳେ ଅନୁସରଣ କରାଯାଇପାରେ, ଯେତେବେଳେ ଏହା ନ୍ୟାୟର ପଥକୁ ସୂଚୀତ କରିଥାଏ। ନ୍ୟାୟ ପ୍ରଦାନର ପଥକୁ ଅବରୋଧରୁ ମୁକ୍ତ ରଖିବା ପାଇଁ କହିଛନ୍ତି ହାଇକୋର୍ଟ। ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ସେକ୍ ଜୁମନଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।
ବ୍ରାଉନସୁଗର ଜବତ ମାମଲାରେ ଜାମିନ ଲୋଡ଼ି ଦାୟର ଏହି ମାମଲାର ଶୁଣାଣି ସମୟରେ ଅନ୍ୟ ମାମଲାରେ ରହିଥିବା ରାୟକୁ ନଜିର ଭାବେ ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିଲା। ଏଥିସହିତ ମାମଲାର ସହଅଭିଯୁକ୍ତମାନଙ୍କୁ ଏହି ମାମଲାରେ ଅଦାଲତରୁ ଜାମିନ ମିଳିସାରିଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ହାଇକୋର୍ଟ ଆବେଦନକାରୀଙ୍କ ବିରୋଧରେ ରହିଥିବା ତଥ୍ୟକୁ ବିଚାରକୁ ନେଇ ଜାମିନ ଆବେଦନକୁ ଖାରଜ କରିଛନ୍ତି।