ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ଚାର୍ଜସିଟ୍, ରିପୋର୍ଟରେ ରହିବ ସମାନ ଧରଣର ଅକ୍ଷର

ପୁଲିସ ଡିଜି ଜାରି କରିବେ ନିର୍ଦ୍ଦେଶନାମା, ତିନି ସପ୍ତାହ ଭିତରେ ଦେବେ ସତ୍ୟପାଠ

କଟକ : ଏଫ୍‌ଆଇଆର୍, ଚାର୍ଜସିଟ୍ ଓ ଅନ୍ୟାନ୍ୟ ରିପୋର୍ଟ ପ୍ରସ୍ତୁତ ବେଳେ ରାଜ୍ୟର ସମସ୍ତ ପୁଲିସ ଅଧିକାରୀ ସମାନ ଧରଣର ଓ ଆକାରର ଅକ୍ଷର ବ୍ୟବହାର କରିବେ। ଏ ନେଇ ପୁଲିସ ଡିଜିଙ୍କ ପକ୍ଷରୁ ସମସ୍ତ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରାଯିବ। ଏପରି ନିର୍ଦ୍ଦେଶନାମା ସଂକ୍ରାନ୍ତରେ ପୁଲିସ ଡିଜି ହାଇକୋର୍ଟରେ ତିନି ସପ୍ତାହ ଭିତରେ ସତ୍ୟପାଠ ଦାଖଲ କରିବେ। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜାମିନ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟରେ ଏକ ନିୟମିତ ଜାମିନ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଚାର୍ଜସିଟର କପି ଦାଖଲ କରିଥିଲେ। କିନ୍ତୁ ଖାଲି ଆଖିରେ ଏହା ପଢିବା ସମ୍ଭବ ନଥିଲା। କାରଣ ତଦନ୍ତକାରୀ ଅଧିକାରୀ ପ୍ରସ୍ତୁତ କରିଥିବା ଲେଖା ଅତି ଛୋଟ ଅକ୍ଷରରେ ଥିଲା। ଏଭଳି ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଥିଲେ। ପ୍ରସିକ୍ୟୁସନ୍, ଡିଫେନ୍ସ ଓ କୋର୍ଟ ଏଭଳି ଘଟଣାରେ ନିୟମିତ ସମସ୍ୟାର ସମ୍ମୁଖୀନ ହେଉଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏଭଳି କ୍ଷୁଦ୍ର ଅକ୍ଷର ଯୋଗୁଁ ଲିଖିତ ତଥ୍ୟ ପଢିବା ପାଇଁ ଅଦାଲତଙ୍କର ବି ସମସ୍ୟା ହେଉଛି। ଏଭଳି ତଥ୍ୟ ଲେଖିବାବେଳେ ଭଲ ଭାବେ ପଢିବା ଯୋଗ୍ୟ ଅକ୍ଷର ବ୍ୟବହାର କରାଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ଏଭଳି ସମସ୍ୟାର ପ୍ରତିକାର ପାଇଁ ଉପଯୁକ୍ତ ଆକାରର ଅକ୍ଷର (ଫଣ୍ଟ୍ ସାଇଜ) ଓ ଦୁଇ ଧାଡି ମଧ୍ୟରେ ବ୍ୟବଧାନ (ଲାଇନ ସ୍ପେସିଂ) ଗୁରୁତ୍ବପୂର୍ଣ୍ଣ। ଅତି ଛୋଟ ଆକାରର ଅକ୍ଷର ଓ ଦୁଇ ଧାଡି ମଧ୍ୟରେ ଠିକ୍ ବ୍ୟବଧାନ ନ ରହିବା ଅଥବା ସାମାନ୍ୟ ଝାପ୍‌ସା/ଅସ୍ପଷ୍ଟ ଅକ୍ଷର ବା ଖରାପ ହସ୍ତାକ୍ଷର ଯୋଗୁଁ ଲିଖିତ ତଥ୍ୟ ପଢିବାରେ ଅସୁବିଧା ହୋଇଥାଏ। ଏହି ପ୍ରସଂଗକୁ ପୁଲିସ ଡିଜିଙ୍କ ଦୃଷ୍ଟିକୁ ଆଣିବାକୁ ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଫଆଇଆର, ଚାର୍ଜସିଟ୍ ଓ ଅନ୍ୟ ରିପୋର୍ଟ ପ୍ରସ୍ତୁତ ବେଳେ ସ୍ପଷ୍ଟ ଭାବେ ପଢି ହେଉଥିବା ଆକାରର ଅକ୍ଷର, ସ୍ପଷ୍ଟ ହସ୍ତାକ୍ଷର ବ୍ୟବହାର ସହିତ ଏହି ପ୍ରସଂଗରେ ବିଭିନ୍ନ ପକ୍ଷ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ଡିଜିଙ୍କୁ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚାର୍ଜସିଟ୍, ଏଫଆଇଆର ଓ ଅନ୍ୟ ରିପୋର୍ଟ ପ୍ରସ୍ତୁତ କରିବା ବ‌େଳେ ସମସ୍ତ ପୁଲିସ ଷ୍ଟେସନର ପୁଲିସ ଅଧିକାରୀଙ୍କୁ ସମ‌ାନ ଆକାରର ଟାଇମ୍ସ ନ୍ୟୁ ରୋମାନ୍‌ ୧୨ ଫଣ୍ଟ୍ ସାଇଜ ଅକ୍ଷର ସହିତ ୧.୫ ଲାଇନ ସ୍ପେସିଂ ବ୍ୟବହାର ପାଇଁ ପୁଲିସ ଡିଜି ଆଦେଶ ଦେବେ। ରାଜ୍ୟର ସମସ୍ତ ପୁଲିସ ଅଧିକାରୀଙ୍କୁ ଏହି ପ୍ରସଂଗରେ ଆଦେଶ ଦିଆଯିବା ନେଇ ପୁଲିସ ଡିଜି ସତ୍ୟପାଠ ମାଧ୍ୟମରେ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାତଲେଖା ଥିବା ନଥିପତ୍ର‌ ମଧ୍ୟ ପ୍ରସ୍ତୁତ ବେଳେ ଭଲ ଓ ସ୍ପଷ୍ଟ ଭାବେ ପଢି ହେଉଥିବା ହସ୍ତାକ୍ଷର ଯଥା ସମ୍ଭବ ବ୍ୟବହାର କରାଯିବା ଆବଶ୍ୟକ ବୋଲି ହାଇକୋର୍ଟ କହିଛନ୍ତି। ଏହି ପ୍ରସଂଗରେ ପରବର୍ତ୍ତୀ ଶୁଣାଣି ପାଇଁ ଏପ୍ରିଲ ୧୨ ତାରିଖକୁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର