ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ୬ ସପ୍ତାହ ଭିତରେ ହେବ ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ

କଟକ: ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ପ୍ରସଂଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ୬ ସପ୍ତାହ ଭିତରେ ନିର୍ବାଚନ କରିବା ପାଇଁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ପ୍ରଚଳିତ ରହିଥିବା ମତଦାତା ତାଲିକା ଆଧାରରେ ଏହି ନିର୍ବାଚନ କରାଯିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ଆଇନଜୀବୀ ପରିଷଦର ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ମହାନ୍ତି ଓ ପୂର୍ବତନ ବରିଷ୍ଠ ସଦସ୍ୟ ସୀତାଂଶୁ ମୋହନ ଦ୍ବିବେଦୀଙ୍କ ଆବେଦନର ଶୁଣାଣି କରି ଏପରି ନି‌ର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ରାୟ ପରେ ଦୁଇ ବର୍ଷ ହେବ ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ନେଇ ଜାରି ରହିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟ ଆଇନଜୀବୀ ପରିଷଦର ନିର୍ବାଚନ ପରେ ୨୫ ଜଣ ସଦସ୍ୟ ୨୦୧୪, ମେ ୫ରେ ଦାୟିତ୍ବ ଗ୍ରହଣ କରିଥିଲେ। ପରିଷଦର ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷ ହୋଇଥିବା ବେଳେ ତାହାକୁ ୬ ମାସ ବୃଦ୍ଧି କରାଯାଇଥିଲା। ନିର୍ବାଚିତ ପରିଷଦ ସଦସ୍ୟଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୧୯, ନଭେମ୍ବର ୪ରେ ଶେଷ ହୋଇଥିଲା। ବାର୍ କାଉନସିଲ ଅଫ ଇଣ୍ଡିଆ ଆଡଭୋକେଟ୍ସ ଆକ୍ଟର ଧାରା ୮-କରେ ଥିବା ବ୍ୟବସ୍ଥା ଅନୁସାରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରିଥିଲା। ୨୦୧୯, ନଭେମ୍ବର ୫ରୁ ରାଜ୍ୟ ଆଇନଜୀବୀ ପରିଷଦରେ ଏହି ସ୍ବତନ୍ତ୍ର କମିଟି ଦାୟିତ୍ବରେ ରହିଛି। ଇତିମଧ୍ୟରେ ନିର୍ବାଚିତ ପରିଷଦ ସଦସ୍ୟଙ୍କ କାର୍ଯ୍ୟକାଳ ବହୁ ଦିନ ହେବ ଶେଷ ହୋଇଥିବା ବେଳେ ତୁରନ୍ତ ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ କରାଯାଉ ବୋଲି ଦର୍ଶାଇ ହାଇକୋର୍ଟରେ ଏହି ମାମଲା ଦାୟର ହୋଇଥିଲା। ଆବେଦନରେ ଦର୍ଶାଯାଇଥିଲା ଯେ ନିୟମ ଅନୁସାରେ ନିର୍ଦ୍ଧାରିତ ସମୟସୀମା ଭିତରେ ଆଇନଜୀବୀ ପରିଷଦ ନିର୍ବାଚନ କରାଯିବା କଥା। ବାର୍ କାଉନସିଲର ଭେରିଫିକେସନ୍ ରୁଲ କାର୍ଯ୍ୟକାରୀ କ୍ଷେତ୍ରରେ ଅବହେଳା କରାଯାଉଛି। ଭେରିଫିକେସନ୍ ରୁଲ ଅନୁସାରେ ମତଦାତା ତାଲିକା ସଂଶୋଧନ କରାଯିବା କଥା। କିନ୍ତୁ ଏହି ରୁଲ୍ ଆଳରେ ନିର୍ବାଚନ ପ୍ରକ୍ରିୟାରେ ବିଳମ୍ବ କରାଯାଉଛି। କରୋନା ସଂକ୍ରମଣ ସ୍ଥିତିରେ ନିୟମ ପାଳନ କରି ବିଧାନସଭା ଓ ରାଜ୍ୟସଭା ଆସନ ସହିତ ବାର୍ ଆସୋସିଏସନ୍ ନିର୍ବାଚନ କରାଯାଉଛି। କିନ୍ତୁ ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ କରାଯାଉ ନାହିଁ। ନିର୍ବାଚିତ ପ୍ରତିନିଧି ନଥିବାରୁ ଆଇନଜୀବୀମାନେ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ତୁରନ୍ତ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେନରେ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର