କଟକ : ଅପରାଧିକ ମାମଲା ବିଚାରାଧୀନ ଥିବା କାରଣରୁ ଜଣେ ବ୍ୟକ୍ତିଙ୍କ ପାସପୋର୍ଟ ନବୀକରଣ (ରିନ୍ୟୁ) ପାଇଁ କର୍ତ୍ତୃପକ୍ଷ ଆଉ ମନା କରିପାରିବେ ନାହିଁ। ୧୯୯୩ ଅଗଷ୍ଟ ୨୫ର କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଅନୁସାରେ ଲିଖିତ ପ୍ରତିଶ୍ରୁତି/ସତ୍ୟପାଠ ଦାଖଲ କରୁଥିବା ବ୍ୟକ୍ତିଙ୍କ ପାସପୋର୍ଟ ନବୀକରଣ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ପାସପୋର୍ଟ ନବୀକରଣ ପ୍ରସଂଗରେ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ଅଭିଯୋଗ ନେଇ ଦାୟର ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ୭ ଦିନ ଭିତରେ ଆବେଦନକାରୀ ପାସପୋର୍ଟ କର୍ତ୍ତୃପକ୍ଷଙ୍କ ନିକଟରେ ତାଙ୍କ ବିରୋଧରେ ରହିଥିବା ଅପରାଧୀକ ମାମଲା ଓ ମିଳିଥିବା ଜମିନ ନିର୍ଦ୍ଦେଶ ସଂପର୍କିତ ବିସ୍ତୃତ ତଥ୍ୟ ଉଲ୍ଲେଖ କରି ସତ୍ୟପାଠ/ଲିଖିତ ପ୍ରତିଶ୍ରୁତି ଓ ନଥିପତ୍ର ଦାଖଲ କରିବେ। ଭୁବନେଶ୍ବରସ୍ଥିତ ପାସପୋର୍ଟ କର୍ତ୍ତୃପକ୍ଷ ଏହାପରେ ଏକ ସପ୍ତାହ ଭିତରେ ପାସପୋର୍ଟ ରିନ୍ୟୁ କରି ଆବେଦନକାରୀଙ୍କୁ ପ୍ରଦାନ କରିବେ ବୋଲି ହାଇକୋର୍ଟ କହିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ର ଅଏଲ ଫିଲ୍ଡରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ପାସପୋର୍ଟର ଅବଧି ଶେଷ ହେବାକୁ କିଛିଦିନ ବାକି ରହିଛି। ସେ ପାସପୋର୍ଟ ନବୀକରଣ ପାଇଁ ଆବେଦନ କରିଥିଲେ। ତାଙ୍କ ପାସପୋର୍ଟ ନବୀକରଣ କରିବାକୁ ଭୁବନେଶ୍ବର ଆଞ୍ଚଳିକ ପାସପୋର୍ଟ କର୍ତ୍ତୃପକ୍ଷ ମନା କରିଥିଲେ। ତାଙ୍କ ବିରୋଧରେ ଦୁଇଟି ଅପରାଧିକ ମାମଲା ରହିଥିବାରୁ କର୍ତ୍ତୃପକ୍ଷ ପାସପୋର୍ଟ ନବୀକରଣ କରୁ ନାହାନ୍ତି ବୋଲି ସେ ଜାଣିବାକୁ ପାଇଥିଲେ। ଏହି ପ୍ରସଂଗରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଦର୍ଶାଇଥିଲେ ଯେ ପତ୍ନୀଙ୍କ ସହିତ ମତାନ୍ତର ଘଟଣା ନେଇ ତାଙ୍କ ବିରୋଧରେ ଦୁଇଟି ଅପରାଧିକ ମାମଲା ଭୁବନେଶ୍ବରର ଦୁଇଟି ଥାନାରେ ରୁଜୁ ହୋଇଥିଲା। ଏହି ଦୁଇ ମାମଲାରେ ସେ ଜାମିନରେ ଅଛନ୍ତି। କେନ୍ଦ୍ର ସରକାରଙ୍କ ୧୯୯୩, ଅଗଷ୍ଟ ୨୫ର ବିଜ୍ଞପ୍ତି ଅନୁସାରେ ଅପରାଧିକ ମାମଲା ବିଚାରାଧୀନ ଥିଲେ ମଧ୍ୟ ଜଣଙ୍କ ପାସପୋର୍ଟ ନବୀକରଣ କରାଯାଇପାରିବ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଏହି ବିଜ୍ଞପ୍ତି ଅନୁସାରେ ଅପରାଧିକ ମାମଲା ସଂକ୍ରାନ୍ତରେ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ପ୍ରତିଶ୍ରୁତି ଦେବାକୁ ପଡ଼ିବ। ବିଚାରାଧୀନ ମାମଲାରେ କୋର୍ଟ ଯେତେବେଳେ ହାଜର ହେବାକୁ ନିର୍ଦ୍ଦେଶ ଦେବେ ସେ ହାଜର ହେବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଲେ ପାସପୋର୍ଟ ନବୀକରଣ କରାଯିବାରେ କିଛି ବାଧା ନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/high-court.jpg)